ନୂଆଦିଲ୍ଲୀ: ଭାରତ ଏବଂ ୬ ସଦସ୍ୟ ବିଶିଷ୍ଟ ଉପସାଗରୀୟ ସହଯୋଗ ପରିଷଦ (ଜିସିସି) ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଆଲୋଚନା ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପାଇଁ ଗୁରୁବାର ସର୍ତ୍ତାବଳିରେ ସ୍ବାକ୍ଷର ହୋଇଛି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ ଓ ନିବେଶ ବଢ଼ାଇବା ଏହାର ଲକ୍ଷ୍ୟ। ଜିସିସି ସହିତ ସର୍ତ୍ତାବଳି ସ୍ବାକ୍ଷର ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ। ଜିସିସିରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ, କତର, କୁଏତ, ଓମାନ ଓ ବାହାରିନ ରହିଛନ୍ତି।

Advertisment

ଅଧିକପଢ଼ନ୍ତୁ:ବିଶ୍ବକପ୍‌ ପୂର୍ବରୁ ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ଗମ୍ଭୀର

ସର୍ତ୍ତାବଳି ରାଜିନାମା ସ୍ବାକ୍ଷରିତ

ଉଭୟ ପକ୍ଷ ପରସ୍ପର ସହିତ ୫ ହଜାରରୁ ଅଧିକ ବର୍ଷ ହେଲା ବାଣିଜ୍ୟ କରି ଆସୁଛନ୍ତି। ପ୍ରାୟ ୧୦ ନିୟୁତ ଭାରତୀୟ ସଂପ୍ରତି ଜିସିସି ଅଞ୍ଚଳରେ ବସବାସ କରୁଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏବେ ପ୍ରାୟ ୧୭୯ ବିଲିଅନ ଡଲାରର ବାଣିଜ୍ୟ ହେଉଛି। ୟୁଏଇ ସହିତ ଭାରତ ୨୦୨୨ ‌ମେ ମାସରୁ ମୁକ୍ତ ବାଣିଜ୍ୟ ରାଜିନାମା କାର୍ଯ୍ୟକାରୀ କରିଛି। ଭାରତ ଓ ଓମାନ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଭାଗିତା ରାଜିନାମା (ସିଇପିଏ) ମସ୍କଟଠାରେ ୨୦୨୫ ଡିସେମ୍ବର ୧୮ରେ ସ୍ବାକ୍ଷର ହୋଇଛି। ନିକଟ ଅତୀତରେ ଭାରତ ୩୮ଟି ବିକଶିତ ଦେଶ ସହିତ ୯ଟି ବାଣିଜ୍ୟ ରାଜିନାମା କରିଛି ବୋଲି ଗୋୟଲ କହିଛନ୍ତି। ଗତ ଆର୍ଥିକବର୍ଷରେ ୟୁଏଇ ଭାରତର ତୃତୀୟ ବୃହତ୍‌ ବାଣିଜ୍ୟିକ ସହଯୋଗୀ ରହିଥିଲା। ସେହିଭଳି ସାଉଦି ଆରବ ପଞ୍ଚମ ବୃହତ୍‌, କତର ୨୨ତମ ବୃହତ୍, ଓମାନ ୨୮ତମ ବୃହତ୍‌, କୁଏତ ୨୯ତମ ବୃହତ୍‌ ଏବଂ ବାହାରିନ ୬୫ତମ ବୃହତ୍‌ ବାଣିଜ୍ୟିକ ସହଯୋଗୀ ରହିଥିଲା।

ଅଧିକପଢ଼ନ୍ତୁ:କେରଳରୁ ପୁଳା ପୁଳା ବିସ୍ଫୋରକ ଜବତ, ଶହେଟି ବକ୍ସରୁ ମିଳିଲା ୧୮ ହଜାର ଜେଲେଟିନ୍ ଷ୍ଟିକ୍