ଓଟାୱା: ପ୍ରାୟ ଦୁଇ ବର୍ଷ ଧରି ତିକ୍ତ ଥିବା ଭାରତ-କାନାଡା ସମ୍ପର୍କ ଏବେ ଏକ ନୂଆ ରାସ୍ତାରେ ଯାଉଥିବା ପରି ମନେ ହେଉଛି। କାନାଡା ନିଜର ମତରେ ଏକ ବଡ଼ ପରିବର୍ତ୍ତନ ଆଣିଛି। କାନାଡା କହିଛି ଯେ, ଆମ ସରକାର ବିଶ୍ୱାସ କରନ୍ତି, ଭାରତ ଆଉ କାନାଡାରେ ହିଂସାତ୍ମକ ଅପରାଧ ସହିତ ଜଡିତ ନାହିଁ। ଟୋରଣ୍ଟୋ ଷ୍ଟାର ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ଅଧିକାରୀ ଏକ ବୈଷୟିକ ବ୍ରିଫିଂ ସମୟରେ ଏହି ବିବୃତି ଦେଇଛନ୍ତି। କାନାଡା ପ୍ରଧାନମନ୍ତ୍ରୀମାର୍କ କାର୍ନିଙ୍କ ଭାରତ ଗସ୍ତ ପୂର୍ବରୁ ସାମ୍ବାଦିକମାନଙ୍କ ସହିତ ଏକ ବ୍ରିଫିଂ ସମୟରେ ଏହି ଗୁରୁତ୍ବପୂର୍ଣ୍ଣ ବିବୃତି ଆସିଛି। ଯେଉଁଠାରେ ବରିଷ୍ଠ ସରକାରୀ ଅଧିକାରୀମାନେ ଓଟାୱା ଓ ନୂଆଦିଲ୍ଲୀ ମଧ୍ୟରେ ସୁରକ୍ଷା ଆଲୋଚନା ତଥା ସହଯୋଗର ପ୍ରଗତି ଉପରେ ଗୁରୁତ୍ବାରୋପ କରିଛନ୍ତି।

Advertisment

କାନାଡାର ମନୋଭାବରେ ଆସିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ

ପ୍ରାୟ ଦୁଇ ବର୍ଷର ଉତ୍ତେଜନା ପରେ, ମାର୍କ କାର୍ନିଙ୍କ ସରକାର ଏବେ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି। ତାଙ୍କ ସରକାର କହିଛନ୍ତି ଆମେ ସୁରକ୍ଷା ବିପଦକୁ ଗମ୍ଭୀରତାର ସହ ନେଇଥାଉ ଏବଂ ସେଗୁଡ଼ିକର ସମାଧାନ ପାଇଁ ଭାରତ ସହିତ କାମ କରୁଛୁ। ଭାରତ ଦୀର୍ଘ ସମୟ ଧରି କାନାଡାରେ ଶିଖ ଉଗ୍ରବାଦୀଙ୍କ ବିଷୟରେ ଚିନ୍ତା ବଜାୟ ରଖିଛି ଏବଂ ସେଗୁଡ଼ିକୁ ସମାଧାନ କରିବା ପାଇଁ ଓଟାୱାକୁ ଅନୁରୋଧ କରିଛି।
ଏସବୁରୁ ଜଣାପଡୁଛି, କାନାଡାର ମନୋଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। କାନାଡାରେ ହିଂସାତ୍ମକ ଅପରାଧରେ ଭାରତର ସମ୍ପୃକ୍ତି ନେଇ ତାଙ୍କ ସରକାରଙ୍କ ଅଭିଯୋଗକୁ ନୂଆଦିଲ୍ଲୀ ନିରନ୍ତର ଅସ୍ୱୀକାର କରିଆସିଛି। କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଜଣେ ଖଲିସ୍ତାନ ସମର୍ଥକ ଉଗ୍ରବାଦୀଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା ଜୁନ୍ ୨୦୨୩ରେ ବ୍ରିଟିଶ୍ କଲମ୍ବିଆର ସରେରେ ଏକ ଗୁରୁଦ୍ୱାର ବାହାରେ ହରଦୀପ ସିଂହ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କିଛି ମାସ ପରେ ସେପ୍ଟେମ୍ବରରେ ଟ୍ରୁଡୋ ଭାରତ ଉପରେ ଅଭିଯୋଗ ଆଣିବା ପରେ ଏହି ହତ୍ୟାକାଣ୍ଡ ଏକ ଉତ୍ତେଜନାପୂର୍ଣ୍ଣ କୂଟନୈତିକ ମୋଡ଼ ନେଇଥିଲା। ସେପ୍ଟେମ୍ବର ୨୦୨୩ରେ, ଟ୍ରୁଡୋ କହିଥିଲେ ଯେ ଭାରତ ସରକାରଙ୍କ ସହିତ ଜଡିତ ଏଜେଣ୍ଟମାନେ କାନାଡିୟ ମାଟିରେ ଜଣେ କାନାଡିୟ ନାଗରିକଙ୍କୁ ହତ୍ୟା କରିଥିବାର ବିଶ୍ୱସନୀୟ ପ୍ରମାଣ ଅଛି। ବିବାଦ ଆହୁରି ବଢ଼ିଥିଲା, ଯାହା ଫଳରେ ଉଭୟ ଦେଶ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ।

ଆହୁରି ପଢନ୍ତୁ - J&K Budget: କାଶ୍ମୀରର ବଜେଟ୍‌ ଇସଲାମାବାଦ ଆଇଏମ୍‌ଏଫ୍‌ଠାରୁ ନେଇଥିବା ଋଣର ଦୁଇଗୁଣ