Constitution Day: ଆଜି ସମ୍ବିଧାନ ଦିବସ: ଶୁଭେଚ୍ଛା ଜଣାଇଲେ ନେତା... ରାଷ୍ଟ୍ରପତି କହିଲେ- ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ବିରାଟ ଉଦାହରଣ...

ଦେଶ ପାଳୁଛି ସମ୍ବିଧାନ ଦିବସ । ପ୍ରତିବର୍ଷ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା

Constitution Day

Constitution Day Photograph: (sambad.in)

ନୂଆଦିଲ୍ଲୀ: ଦେଶ ପାଳୁଛି ସମ୍ବିଧାନ ଦିବସ । ପ୍ରତିବର୍ଷ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା । ଏହି ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । 

pm modi
pm modi Photograph: (sambad.in)

ଆହୁରି ପଢନ୍ତୁ- IND vs SA Test 2: ନିରାଶ କଲା ଭାରତ, ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ହାରିଲା ଟିମ୍ ଇଣ୍ଡିଆ

ପ୍ରଧାନମନ୍ତ୍ରୀ ମୋଦୀ ସମ୍ବିଧାନ ସହ ଏକ ଫଟୋ ଛାଡ଼ି ଲେଖିଛନ୍ତି- ସମ୍ବିଧାନ ଦିବସରେ ମୁଁ ସାରା ଦେଶରେ ଥିବା ମୋ ପରିବାର ସଦସ୍ୟଙ୍କୁ ଏକ ଚିଠି ଲେଖିଛି। ଏଥିରେ ମୁଁ ଆମର ସମ୍ବିଧାନର ମହତ୍ତ୍ୱ, ଜୀବନରେ ମୌଳିକ କର୍ତ୍ତବ୍ୟର ଗୁରୁତ୍ୱ ଏବଂ ଆମେ ପ୍ରଥମ ଥର ଭୋଟର ହେବାର ଉତ୍ସବ କାହିଁକି ପାଳନ କରିବା ଉଚିତ ସେ ବିଷୟରେ ମୋର ଚିନ୍ତାଧାରା ବାଣ୍ଟିଛି...

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି- 

ଆଜି, ନଭେମ୍ବର ୨୬, ସମ୍ବିଧାନ ଦିବସ ଅବସରରେ, ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର ଦାୟିତ୍ୱ ପାଳନ କରିବା ଓ ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା।

ରାହୁଲ ଗାନ୍ଧୀ ସମ୍ବିଧାନ ଧରି ଫଟୋ ଛାଡିବା ସହ ଲେଖିଛନ୍ତି-

ଭାରତର ସମ୍ବିଧାନ କେବଳ ଏକ ପୁସ୍ତକ ନୁହେଁ, ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଆଯାଇଥିବା ଏକ ପବିତ୍ର ପ୍ରତିଶ୍ରୁତି। ଯେଉଁ ପ୍ରତିଶ୍ରୁତି ଜଣେ ଯେକୌଣସି ଧର୍ମ କିମ୍ବା ଜାତିର ହୋଇଥାଉ ନା କାହିଁକି, ସେ କେଉଁ ଅଞ୍ଚଳରୁ ଆସିଥାଉ ନା କାହିଁକି, ସେ କେଉଁ ଭାଷାରେ କଥା ହେଉନା କାହିଁକି, ଗରିବ ହେଉ ବା ଧନୀ ହେଉ, ସେ ସମାନତା, ସମ୍ମାନ ଏବଂ ନ୍ୟାୟ ପାଇବ। ସମ୍ବିଧାନ ହେଉଛି ଗରିବ ଏବଂ ବଞ୍ଚିତଙ୍କ ସୁରକ୍ଷା କବଚ । ଯେପର୍ଯ୍ୟନ୍ତ ସମ୍ବିଧାନ ସୁରକ୍ଷିତ ଅଛି, ପ୍ରତି ଭାରତୀୟଙ୍କ ଅଧିକାର ସୁରକ୍ଷିତ। ଆସନ୍ତୁ ଆମେ ପ୍ରତିଜ୍ଞା କରିବା ଯେ ଆମେ ସମ୍ବିଧାନ ଉପରେ କୌଣସି ଆକ୍ରମଣକୁ ପ୍ରଶୟ ଦେବୁ ନାହିଁ। ସମ୍ବିଧାନକୁ ରକ୍ଷା କରିବା ମୋର କର୍ତ୍ତବ୍ୟ, ଏବଂ ଏହା ଉପରେ ଯେକୌଣସି ଆକ୍ରମଣ ବିରୁଦ୍ଧରେ ମୁଁ ପ୍ରଥମେ ଠିଆ ହେବି। ଆପଣମାନଙ୍କୁ ସମସ୍ତଙ୍କୁ ସମ୍ବିଧାନ ଦିବସର ବହୁତ ବହୁତ ଶୁଭେଚ୍ଛା। ଜୟ ହିନ୍ଦ, ଜୟ ସମ୍ବିଧାନ।

ସମ୍ବିଧାନ ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା କଳା କରିଛନ୍ତି । ବାଲୁକା କଳା ଜରିଆରେ ସେ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।

sand art
sand art Photograph: (sambad.in)

ଆହୁରି ପଢନ୍ତୁ- Road Accident, 10 Dead: ବାଟରେ ହଜିଗଲା ବାହାଘର ଖୁସି: ୨ଟି ଦୁର୍ଘଟଣାରେ ଚାଲିଗଲା ୧୦ ଜୀବନ, ବିବାହ ଭୋଜିରୁ ଫେରିବା ବେଳେ ବାଟରେ ଜଗିଥିଲା ଯମ…

ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିର ଏହି ବିଶେଷ ସମାରୋହର ନେତୃତ୍ୱ ନେଇଛନ୍ତି । ପୁରୁଣା ସଂସଦ ଭବନର ଐତିହାସିକ ସେଣ୍ଟ୍ରାଲ ହଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ନିଜର ଉଦ୍‌ବୋଧନ ଦେବାବେଳେ ରାଷ୍ଟ୍ରପତି ମୁର୍ମୁ ସମ୍ବିଧାନ ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି , ଭାରତର ଗଣତନ୍ତ୍ର ବିଶ୍ୱ ପାଇଁ ଏକ ଉଦାହରଣ । ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାଲାୟାଲମ୍, ମରାଠୀ, ନେପାଳୀ, ପଞ୍ଜାବୀ, ବୋଡୋ, କାଶ୍ମୀରୀ, ତେଲୁଗୁ, ଓଡ଼ିଆ ଏବଂ ଅହମିୟା (ଆସାମୀ) ସମେତ ୯ଟି ଭାଷାରେ ସମ୍ବିଧାନର ଅନୁବାଦିତ ସଂସ୍କରଣ ଜାରି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ସମ୍ବିଧାନ ଦିବସର ଏହି ଐତିହାସିକ ଅବସରରେ ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ଅତ୍ୟନ୍ତ ଖୁସି । ଆଜିର ଦିନରେ ଆମେ ଭାରତବାସୀ ନିଜ ସମ୍ବିଧାନକୁ ଅଙ୍ଗୀକାର କରିଥିଲୁ । ସ୍ୱାଧୀନତା ପରେ ସମ୍ବିଧାନ ସଭା ଭାରତର ଅନ୍ତରୀଣ ସଂସଦ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା। ଚିଠା କମିଟିର ଅଧ୍ୟକ୍ଷ ବାବା ସାହେବ ଡ. ଭୀମରାଓ ଆମ୍ବେଦକର ଆମ ସମ୍ବିଧାନର ପ୍ରମୁଖ ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।"

କାର୍ଯ୍ୟକ୍ରମ ସମୟରେ ନିଜ ଅଭିଭାଷଣରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ କହିଥିଲେ, "... ଆମ ସମ୍ବିଧାନର ଚିଠା ପ୍ରସ୍ତୁତି, ଏହା ଉପରେ ତର୍କବିତର୍କ ଏବଂ ରୂପାୟନ ସମ୍ବିଧାନ ସଭାରେ ଭାରତ ମାତାର ମହାନ ନେତାମାନଙ୍କ ଦ୍ୱାରା କରାଯାଇଥିଲା । ଏହା ସ୍ୱାଧୀନତା ସଂଗ୍ରାମରେ ସାମିଲ ଆମର ଲକ୍ଷ ଲକ୍ଷ ଦେଶବାସୀଙ୍କ ସାମୂହିକ ଜ୍ଞାନ, ତ୍ୟାଗ ଏବଂ ସ୍ୱପ୍ନର ପ୍ରତୀକ । ମହାନ ବିଦ୍ୱାନ, ଚିଠା କମିଟି ଏବଂ ସମ୍ବିଧାନ ସଭାର ସଦସ୍ୟମାନେ କୋଟି କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଗଭୀର ବିଚାର କରିଥିଲେ । ସେମାନଙ୍କ ନିସ୍ୱାର୍ଥପର ଅବଦାନ ଆଜି ଭାରତକୁ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରରେ ପରିଣତ କରିଛି । ଆମର ସମ୍ବିଧାନ ବୁଦ୍ଧିମତା ଏବଂ ଜୀବନ୍ତ ଅନୁଭବ, ତ୍ୟାଗ, ଆଶା ଓ ଆକାଂକ୍ଷାରୁ ନିର୍ମିତ ହୋଇଛି । ଆମ ସମ୍ବିଧାନର ଆତ୍ମା ପ୍ରମାଣିତ କରିଛି ଯେ ଭାରତ ଏକ ଅଟେ ଏବଂ ସର୍ବଦା ଏକ ରହିବ...। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe