ନୂଆଦିଲ୍ଲୀ: ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଦିଲ୍ଲୀରେ ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପୁଟିନ ବିସ୍ତୃତ ଆଲୋଚନା କରିଛନ୍ତି। ଦ୍ରୁତ ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ଏବଂ ମସ୍କୋ ଉପରେ ପାଶ୍ଚାତ୍ୟ ଦେଶର କଟକଣା ସତ୍ତ୍ୱେ ଉଭୟ ନେତା ସେମାନଙ୍କର ‘ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୀତିକ ଭାଗିଦାରୀ’କୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ସମ୍ମିଳନୀ ଭାରତର ରୁଷ୍ ସହିତ ଦୀର୍ଘସ୍ଥାୟୀ ସମ୍ପର୍କର ପ୍ରତିବଦ୍ଧତାକୁ ଦର୍ଶାଇଛି।
Literature: ‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର
ଆଜି ଶିଖର ବୈଠକରେ ଉଭୟ ନେତା ସେମାନଙ୍କ ଦୀର୍ଘ ଦିନର ସମ୍ପର୍କର ସ୍ଥିରତାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ପର୍କକୁ ଧ୍ରୁବତାରା ପରି ଅଟଳ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରତିରକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି। ଏଥିସହିତ ୨୦୩୦ ସୁଦ୍ଧା ବାର୍ଷିକ ୧୦୦ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ହାସଲ କରିବାକୁ ସହମତି ପ୍ରକାଶ ପାଇଛି। ବର୍ତ୍ତମାନ ୯୬% ବାଣିଜ୍ୟିକ ଦେୟ ଜାତୀୟ ମୁଦ୍ରାରେ କରାଯାଉଛି, ଯାହା ବାହ୍ୟ ଚାପରୁ ବାଣିଜ୍ୟକୁ ସୁରକ୍ଷିତ ରଖିଛି। ତେବେ ପ୍ରତିରକ୍ଷା ହିଁ ଭାରତ-ରୁଷ୍ ଭାଗିଦାରୀର ଏକ ମୁଖ୍ୟ ଆଧାର ହୋଇ ରହିଛି।
ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଓ ବିଶ୍ୱ ଶାନ୍ତି ଉପରେ ଗୁରୁତ୍ୱ
ବାର୍ଷିକ ୧୦୦ ବିଲିୟନ ଡଲାର ବାଣିଜ୍ୟ ଚୁକ୍ତି
ଦ୍ବିପାକ୍ଷିକ ସଂପର୍କରେ ନୂଆ ଅଧ୍ୟାୟ
ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ, ସୁପର ସୋନିକ୍ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ଏକେ-୨୦୩ ଆସଲ୍ଟ ରାଇଫଲର ମିଳିତ ଉତ୍ପାଦନ ଭଳି ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ଉଭୟ ନେତା ଉନ୍ନତ ଫାଇଟର ଜେଟ୍ର ମିଳିତ ବିକାଶ ସମେତ ନୂତନ କ୍ଷେତ୍ରଗୁଡ଼ିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ୟୁକ୍ରେନ ସଂଘର୍ଷ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଆଭିମୁଖ୍ୟକୁ ଦୋହରାଇ କହିଥିଲେ ଯେ ‘ଆଲୋଚନା ଓ କୂଟନୀତି ହିଁ ସବୁଠାରୁ ଗଠନମୂଳକ ପନ୍ଥା’ ଏବଂ ଭାରତ ଶାନ୍ତି ପକ୍ଷରେ ରହିଛି। ସୂଚନାଯୋଗ୍ୟ, ବ୍ରିକ୍ସ, ଏସ୍ସିଓ ଓ ଜି-୨୦ ଭଳି ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ଉଭୟ ନେତା ସେମାନଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ସହ ଆତଙ୍କବାଦ ବିରୋଧୀ ପ୍ରୟାସ ଉପରେ ଆଲୋଚନା କରିଥିଲେ। ଆଜି ଶିଖର ବୈଠକରେ ଏ ବାବଦ ଅଗ୍ରଗତିର ସମୀକ୍ଷା ହୋଇଥିଲା।
BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ
ସମ୍ମିଳନୀ ଶେଷରେ ବାଣିଜ୍ୟ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଗଣମାଧ୍ୟମ କ୍ଷେତ୍ରରେ ଅନେକ ନୂତନ ରାଜିନାମା ସ୍ୱାକ୍ଷର କରାଯାଇଛି, ଯାହା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଏକ ବହୁମୁଖୀ ଏବଂ ସ୍ଥିର ଭାଗିଦାରୀକୁ ଆହୁରି ମଜବୁତ କରିଛି। ଆଜି ରାତିରେ ପୁଟିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୋଜିତ ନୈଶ ଭୋଜିରେ ଯୋଗ ଦେବା ପରେ ରୁଷ୍ ପ୍ରତ୍ୟାବର୍ତ୍ତନ କରିଛନ୍ତି।
Follow Us