ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ପରେ ଏବେ ଇଣ୍ଡିଗୋ ଉପରେ ପଡିଛି କି ଶନିଦଶା ? ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆକୁ ନେଇ ଅଘଟଣର ଖବର ଆସୁଥିବା ବେଳେ ଏବେ ପୁଣି ଇଣ୍ଡିଗୋ ଏୟାରଲାଇନ୍ସକୁ ନେଇ ଆସିବାରେ ଲାଗିଛି ଅଘଟଣର ଖବର । ଇଣ୍ଡିଗୋ ହେଉ କି ଏୟାର ଇଣ୍ଡିଆ- ଗୋଟେ ପ୍ରକାର କହିବାକୁ ଗଲେ ବିମାନ ସେବାର ବେଳା ଖରାପ ଚାଲିଛି । କାରଣ କେତେବେଳେ ଦୁର୍ଘଟଣା ତ କେତେବେଳେ ବୋମା ଧମକ ତ ଆଉ କେତେବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନର ଜରୁରୀ ଅବତରଣ ହେଉଛି । ତେବେ ଆସନ୍ତୁ ଜାଣିବା ବିଗତ କିଛି ଦିନରେ ଇଣ୍ଡିଗୋ ବିମାନକୁ ନେଇ କେଉଁଠି ହୋଇଛି କଣ ?

Advertisment


ଉଡାଣ ଭରୁ ଭରୁ ଅବତରଣ

ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ- ୬ଇ ୨୦୦୬ । ଦିଲ୍ଲୀରୁ ଲେହ ପାଇଁ ଉଡାଣ ଭରିଥିଲା ଏହି ବିମାନ । ତେବେ ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଯାହା ଫଳରେ ବିମାନକୁ ଫେରାଇ ଅଣା ଯାଇଥିଲା । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ଦିଲ୍ଲୀ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା । ବିମାନରେ ମୋଟ ୧୮୦ ଯାତ୍ରୀ ଥିଲେ । ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ବୋମା ଧମକ ପରେ ଜରୁରୀ ଅବତରଣ

ଗତ ମଙ୍ଗଳବାର ଦିନ ନାଗପୁରରେ ମଧ୍ୟ ଇଣ୍ଡିଗୋର ବିମାନ ଜରୁରୀ ଅବତରଣ କରିଥିଲା । ବିମାନକୁ ବୋମା ଧମକ ମିଳିବା ପରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଚିରୁ ଦିଲ୍ଲୀ ଯାଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ।

ବିମାନରେ ପକ୍ଷୀମାଡ଼

ପକ୍ଷୀ ମାଡ଼ର ଶିକାର ହେଲା ଇଣ୍ଡିଗୋ ବିମାନ, ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ୧୮୦ ଯାତ୍ରୀଙ୍କ ଜୀବନ । ବୁଧବାର ଅପରାହ୍ନରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନରେ ପକ୍ଷୀ ମାଡ଼ ହୋଇଥିଲା । ପରେ ଗନ୍ତବ୍ୟସ୍ଥଳକୁ ନଯାଇ ଏହା ପୁଣିଥରେ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । 
ଇଣ୍ଡିଗୋ ବିମାନ ୬ଇ-୬୭୧୭ ରନୱେରେ ଉଡ଼ାଣ ଆରମ୍ଭ କରୁକରୁ ଏକ ବଡ଼ ପକ୍ଷୀ ସାମ୍ନାପଟେ ପିଟି ହୋଇଥିଲା । ବିମାନ କକପିଟର ସାମ୍ନା କାଚରେ ରକ୍ତ ଛିଟା ପଡ଼ିଥିଲା । ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବାରୁ ପାଇଲଟ୍ ବିମାନକୁ ପୁଣି ଅବତରଣ କରିବାକୁ ଏଟିସିକୁ ଅନୁମତି ମାଗିଥିଲେ । ଏଟିସି ତୁରନ୍ତ ଅନୁମତି ଦେବା ପରେ ବିମାନଟି ଅବତରଣ କରିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆ ଯାଇପାରିଥିଲା । ଅଳ୍ପ ସମୟ ମଧ୍ୟରେ ହଠାତ୍ ବିମାନଟି ପୁଣି ଅବତରଣ କରିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଯାଇଥିଲେ । 

ବିମାନର ଏଭଳି ସମସ୍ୟା ଦେଖି ଅହମ୍ମଦାବାଦ-ଲଣ୍ଡନ ବିମାନର ଦୁର୍ଘଟଣା ସମସ୍ତଙ୍କ ଆଖି ଆଗରେ ନାଚି ଉଠିଥିଲା । ଆଉ ଯାତ୍ରୀମାନେ ବିମାନରେ ଚିତ୍କାର କରିବାକୁ ଲାଗିଥିଲେ । ତେବେ ପାଇଲଟ୍ କିଛି ବଡ଼ ସମସ୍ୟା ହୋଇନି ବୋଲି ଘୋଷଣା କରିବାରୁ ଯାତ୍ରୀମାନେ ଶାନ୍ତ ପଡ଼ିଥିଲେ ।

ଅଧିକ ପଢନ୍ତୁ-

ପୁଣି ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ, ମଝି ଆକାଶରେ ଦେଖା ଦେଲା ଯାନ୍ତ୍ରିକ ତ୍ରୁଟି

ବନ୍ଦ ହୋଇଗଲା ଗେଟ୍, ଯାତ୍ରୀ ହନ୍ତସନ୍ତ

ହଠାତ୍ ବନ୍ଦ ହୋଇଗଲା ବିମାନର ଗେଟ୍, ଭିତରେ ଫସି ରହିଲେ ଯାତ୍ରୀ । ୫ ମିନିଟ୍ କି ୧୦ ମିନିଟ୍ ନୁହେଁ ପାଖାପାଖି ୪୦ ମିନିଟ୍ ଯାଏଁ ବିମାନ ଭିତରେ ଫସି ରହିଲେ ଯାତ୍ରୀ । ଗତକାଲି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଛତିଶଗଡ ରାଇପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ । ଯେଉଁଠି ଇଣ୍ଡିଗୋ ବିମାନର ଗେଟ୍ ଲକ୍ ହୋଇଯିବାରୁ ଯାତ୍ରୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।

ତେବେ ଦିଲ୍ଲୀରୁ ରାଇପୁର ପାଇଁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ଦ୍ବିପର ୨ଟା ୨୫ରେ ଆସି ପହଞ୍ଚିଥିଲା । ବିମାନ ଅବତରଣ ପରେ ଯେତେବେଳେ ଯାତ୍ରୀମାନେ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଥିଲେ ଠିକ୍ ସେତେବେଳେ ଗେଟ୍ ଲକ୍ ହୋଇଗଲା । ବିମାନରେ ଯାତ୍ରୀ ବିରକ୍ତି ପ୍ରକାଶ କରିଥିବା ବେଳେ ସେହି ବିମାନରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସମେତ ଅନେକ ଭିଆଇପି ଥିଲେ ।

ଅଧିକ ପଢନ୍ତୁ-

ହଠାତ୍ ବନ୍ଦ ହେଇଗଲା ଗେଟ୍, ଫସି ରହିଲେ ଯାତ୍ରୀ.. ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ