ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମବଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟରୁ ଅନୁପ୍ରବେଶକାରୀଙ୍କୁ ହଟାଇବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରକୁ ଚ୍ୟାଲେଂଜ କରିବା ସହ ଏ ବାବଦରେ କଡ଼ା ପ୍ରତିଶ୍ରୁତି ଦେଇ ଶାହ କହିଛନ୍ତି, ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ ଏବଂ ସେମାନଙ୍କୁ ରାଜ୍ୟରୁ ବାହାର କରାଯିବ। ଶାହଙ୍କ ଏହି ଘୋଷଣା ବିଜେପିର ନିର୍ବାଚନୀ ରଣନୀତିର ଏକ ମୁଖ୍ୟ ଦିଗ ବୋଲି କୁହାଯାଉଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।
ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରି ଶାହ କହିଛନ୍ତି, ତୃଣମୂଳ କଂଗ୍ରେସ ସରକାର ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଉଛି ଏବଂ ସେମାନଙ୍କ ଭୋଟ୍ ପାଇଁ ରାଜ୍ୟକୁ ବିପଦଗ୍ରସ୍ତ କରିଛି। ସେ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ସିଏଏ ପୂରା ଲାଗୁ କରାଯିବ ଏବଂ ଯୋଗ୍ୟ ହିନ୍ଦୁ, ଶିଖ, ବୌଦ୍ଧ ଓ ଅନ୍ୟ ଧର୍ମାବଲମ୍ବୀଙ୍କୁ ନାଗରିକତା ଦିଆଯିବ। ତେବେ ଅନୁପ୍ରବେଶକାରୀଙ୍କୁ କୌଣସି ସୁବିଧା ଦିଆଯିବ ନାହିଁ ଏବଂ ସୀମା ସିଲ୍ କରାଯିବ।
ଶାହ ଆହୁରି କହିଛନ୍ତି ଯେ ମମତା ସରକାର ରାଜ୍ୟରେ ଅନୁପ୍ରବେଶକାରୀଙ୍କୁ ଭୋଟର କାର୍ଡ ଓ ଆଧାର କାର୍ଡ ଦେଇ ସେମାନଙ୍କୁ ସୁରକ୍ଷା ଦେଉଛି। ଏହା ଦେଶର ସୁରକ୍ଷା ପାଇଁ ବିପଦ ବୋଲି ସେ କହିଛନ୍ତି। ଏହା ସହ ଶାହ ରାଜ୍ୟରେ ତୃଣମୂଳ କଂଗ୍ରେସର ଦୁର୍ନୀତି ଓ ହିଂସାକୁ ମଧ୍ୟ ସମାଲୋଚନା କରିଛନ୍ତି। ଟିଏମ୍ସିର ୧୫ ବର୍ଷର କୁଶାସନର ପରିସମାପ୍ତି ଘଟାଇବା ପାଇଁ ବିଜେପି ବଦ୍ଧପରିକର ବୋଲି ଶାହ କହିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭା ନିର୍ବାଚନ ଆଗାମୀ ଏପ୍ରିଲରେ ହେବାକୁ ଥିବା ବେଳେ ଶାହ ହିନ୍ଦୁ ଭୋଟରଙ୍କୁ ଏକଜୁଟ କରିବାର ରଣନୀତି ଆପଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/31/untitled-19-2025-12-31-05-23-13.jpg)