Khamenei's brutality crossed the line Photograph: (sambad.in)
ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ବିରୋଧରେ ଉଠିଥିବା ପ୍ରତିବାଦ ସ୍ବର ଏବେ ଥମିବାରେ ଲାଗିଛି। ପ୍ରତିବାଦକାରୀଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଖେମିନିଙ୍କର ବର୍ବରତା ଏବେ ସୀମା ଟପିବାରେ ଲାଗିଛି। ଜେଲ୍ରେ ବନ୍ଦୀ ଥିବା ପ୍ରତିବାଦକାରୀମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ସେମାନଙ୍କୁ ଜୋରଜବରଦସ୍ତ ଉଲଗ୍ନ କରି ଥଣ୍ଡାରେ ବାହାରେ ବସାଇ ରଖାଯାଉଛି। ସେମାନଙ୍କ ଉପରେ ଥଣ୍ଡା ପାଣି ପକାଯାଉଛି। ଏହା ସହିତ ଅଜଣା ପଦାର୍ଥର ଇଞ୍ଜେକ୍ସନ ଦିଆଯାଉଛି। ଜେଲ୍ରେ ଥିବା ଜଣେ ଯୁବ ପ୍ରତିବାଦକାରୀ ଏଭଳି ନିର୍ଯାତନା ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଛନ୍ତି। ପରିବାର ପକ୍ଷରୁ ଏନେଇ ଗଣମାଧ୍ୟମକୁ କୁହାଯାଇଛି। ଜେଲ୍ରେ ଯୁବ ପ୍ରତିବାଦକାରୀ ଖବର ଦେଇଛନ୍ତି ତାଙ୍କୁ ଓ ଅନ୍ୟମାନଙ୍କୁ ଗିରଫ କରାଯିବା ପରେ ଏପରି ଅତ୍ୟାଚାର କରାଯାଉଛି।
ଚୋରା ଭିଡିଓରୁ ଡିଜିଟାଲ ଅନ୍ଧାର ସତ୍ୟ ଖୋଲୁଛି
କିଛି ଦିନ ଇଣ୍ଟରନେଟ୍ ବନ୍ଦ ହେବା ସହିତ ଇରାନରେ ଡିଜିଟାଲ୍ ଅନ୍ଧାରରେ ଘଟିଥିବା ଅମାନବୀୟ କାର୍ଯ୍ୟ ଏବେ ବାହାରକୁ ଆସୁଛି। ଏହା ସହିତ ସମଗ୍ର ବିଶ୍ବ ଖେମିନିଙ୍କ ନିର୍ଦ୍ଦେଶରେ କରାଯାଉଥିବା ନିର୍ଯାତନା ଓ ମାନବାଧିକାର ଉଲ୍ଲଂଘନର ଭୟଙ୍କର କାହାଣୀ ସମ୍ପର୍କରେ ଅବଗତ ହେବାରେ ଲାଗିଛି। ଜେଲ୍ରେ ଥିବା ପ୍ରତିବାଦକାରୀମାନେ ଖେମିନି ଶାସନର କ୍ରୋଧର ସମ୍ମୁଖୀନ ହେଉଛନ୍ତି। ଇରାନରୁ ଚୋରାରେ ଆସିଥିବା ଭିଡିଓ, କିଛି ଫୋନ୍ କଲ୍ ଓ ଷ୍ଟାରଲିଙ୍କ୍ ମେସେଜ୍ ହତ୍ୟା ତଥା ଅତ୍ୟାଚାରର ଭୟାବହତାକୁ ପ୍ରକାଶ କରିଛି। ଏହାକୁ ନେଇ ଏବେ ମାନବାଧିକାର ଗୋଷ୍ଠୀଗୁଡ଼ିକ ଏକଜୁଟ ହେବାରେ ଲାଗିଛନ୍ତି। ପ୍ରତିବାଦର ବନ୍ଦ ହେବା ପରେ ଇରାନରୁ କଳା ବ୍ୟାଗରେ ଗୁଡ଼ାଯାଇଥିବା ମୃତଦେହ, ଅଳିଆ ଆବର୍ଜନାରେ ଗଦା ହୋଇଥିବା କୁଢ଼ କୁଢ଼ ମୃତଦେହ ଓ ପ୍ରିୟଜନଙ୍କ ସନ୍ଧାନରେ ବୁଲୁଥିବା ପରିବାରଗୁଡ଼ିକର ଚିତ୍ର ସାମ୍ନାକୁ ଆସିଛି । ଷ୍ଟାରଲିଙ୍କ୍ ବ୍ୟବହାର କରି ତେହେରାନରୁ ପଠାଯାଇଥିବା ଏକ ଛୋଟ ବାର୍ତ୍ତାରେ, ଜଣେ ବାସିନ୍ଦା କହିଛନ୍ତି, ପରିସ୍ଥିତି ଏତେ ଭୟଙ୍କର ଯେ, ପ୍ରତ୍ୟେକ ବ୍ୟକ୍ତି ପରିବାରର ସଦସ୍ୟ, ସମ୍ପର୍କୀୟ, ପଡ଼ୋଶୀ କିମ୍ବା ବନ୍ଧୁଙ୍କ ମୃତ୍ୟୁ ହୋଇଥିବା କହୁଛନ୍ତି।
ରକ୍ତରଞ୍ଜିତ ରାସ୍ତାକୁ ଧୁଆଗଲା
ଅନ୍ୟ ଏକ ବିବରଣୀରେ କୁହାଯାଇଛି ତାଜରିଶ ଓ ନର୍ମକରେ ରକ୍ତରଞ୍ଜିତ ରାସ୍ତାକୁ କର୍ତ୍ତୃପକ୍ଷ ଉଦ୍ୟାନ ବିଭାଗ ପାଇଁ ଉଦ୍ଦିଷ୍ଟ ପୌର ପାଣି ଟ୍ୟାଙ୍କରରେ ଧୋଇଥିଲେ। କିଛି ପରିବାରବର୍ଗ କହିଛନ୍ତି ଯେ, ସେମାନଙ୍କୁ ସେମାନଙ୍କ ସମ୍ପର୍କୀୟମାନଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ଗୁଳି ପାଇଁ ଟଙ୍କା ଦେବାକୁ କୁହାଯାଇଥିଲା। ଅନ୍ୟ କ୍ଷେତ୍ରରେ, ମୃତକମାନଙ୍କୁ ବାସିଜ୍ ମିଲିସିଆ ଭାବେ ମିଥ୍ୟା ଘୋଷଣା କରିବାକୁ ସେମାନଙ୍କ ଉପରେ ଚାପ ପକାଯାଇଥିଲା। ପ୍ରତ୍ୟେକ ଗଳିରେ ଦୁଇ କିମ୍ବା ତିନି ଜଣ ଲୋକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।
କେତେ ମୃତ୍ୟୁ ଜଣା ନାହିଁ
ଇରାନ ଇଣ୍ଟରନ୍ୟାସନାଲ ରିପୋର୍ଟ କରିଛି, ପ୍ରାୟ ୧୨,୦୦୦ ଲୋକଙ୍କ ମୃତ୍ୟୁ ହୋଇଥାଇପାରେ। ଆମେରିକୀୟ ଗଣମାଧ୍ୟମ କହିଛି, ମୃତକଙ୍କ ସଂଖ୍ୟା ୨୦,୦୦୦ ପର୍ଯ୍ୟନ୍ତ ହୋଇପାରେ। ଇରାନର ଖେମିନି ଶାସନ ପ୍ରତିବାଦକାରୀଙ୍କୁ ମୋହାରେବ ବୋଲି ନାମିତ କରିଥିଲେ। ଯାହାର ଅର୍ଥ ହେଉଛି ଈଶ୍ୱରଙ୍କ ବିରୋଧରେ ଯୁଦ୍ଧ କରୁଥିବା ବ୍ୟକ୍ତି। ଏହି ଅଭିଯୋଗରେ ମୃତ୍ୟୁଦଣ୍ଡ ରହିଛି। ଖାମେନି ଶାସନର ଅଧିକାରୀମାନେ ଦାବି କରିଛନ୍ତି ଯେ, ପ୍ରତିବାଦକାରୀମାନେ ଶହ ଶହ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି।
୪୫ ବର୍ଷର ଖେମିନିଙ୍କ ଶାସନକୁ ଚ୍ୟାଲେଞ୍ଜ
ଡିସେମ୍ବର ଶେଷ ସପ୍ତାହରେ ଇରାନରେ ଘଟିଥିବା ଖେମିନି ବିରୋଧୀ ପ୍ରତିବାଦ ୧୯୭୯ ଇରାନ ବିପ୍ଳବ ପରେ ସବୁଠାରୁ ବୃହତ ଥିଲା। ଭୁଶୁଡ଼ି ପଡ଼ୁଥିବା ଅର୍ଥନୀତିକୁ ନେଇ ପ୍ରଦର୍ଶନ ୪୫ ବର୍ଷ ଧରି ଇରାନକୁ ଶାସନ କରୁଥିବା ଖେମିନିଙ୍କ ଶାସନ ପ୍ରତି ସିଧାସଳଖ ଆହ୍ବାନ ସୃଷ୍ଟି କରିଥିଲା। ପ୍ରତିବାଦରେ ପ୍ରାୟ ୫୦୦ ସୁରକ୍ଷା କର୍ମୀଙ୍କ ସମେତ ଅତି କମରେ ୫,୦୦୦ଙ୍କର ମୃତ୍ୟୁ ଘଟିଥିଲା। ଖେମିନି ଶାସନ କଡ଼ା ଆଭିମୁଖ୍ୟ ସହିତ ଏହାର ଜବାବ ଦେଇଥିଲେ। ବିଶ୍ୱସ୍ତ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆର୍ଜିସି)କୁ ନିୟୋଜିତ କରାଯାଇଥିଲା । ଦେଶବ୍ୟାପୀ ଇଣ୍ଟରନେଟ୍ ବ୍ଲାକ୍ଆଉଟ୍ ଲାଗୁ ହୋଇଥିଲା।
ଆହୁରି ପଢ଼ନ୍ତୁ: Deadly missile will be inducted: ଜାନୁଆରି ୨୬ରେ ବିଶ୍ଵ ଦେଖିବ ଭାରତର ସଫଳତା, ସେନାରେ ସାମିଲ୍ ହେବ ଏହି ଘାତକ ମିସାଇଲ୍
Follow Us