Bill Gates caught STD Photograph: (sambad.in)
ୱାସିଂଟନ: ଜେଫ୍ରି ଏପଷ୍ଟାଇନ୍ ମାମଲା ସହ ଜଡିତ ନୂଆ ତଥା ଚାଞ୍ଚଲ୍ୟକର ତଥ୍ୟ ସମ୍ବଳିତ ଫାଇଲ୍ ସାରା ବିଶ୍ୱରେ ଆଲେଡ଼ନ ସୃଷ୍ଟି କରିଛି। ଏଥିରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଯୌନ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଆମେରିକାର ନ୍ୟାୟ ବିଭାଗ ଦ୍ୱାରା ପ୍ରକାଶିତ ଏହି ଦଲିଲ୍ ଗୁଡିକରେ ରୁଷୀୟ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଉଲ୍ଲେଖ କରାଯାଇଛି। ତଥାପି, ବିଲ୍ ଗେଟ୍ସଙ୍କ ଜଣେ ମୁଖପାତ୍ର ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ମାନହାନିଜନକ ବୋଲି କହିଛନ୍ତି।
ଚାଞ୍ଚଲ୍ୟକର ଖୁଲାସା
ପ୍ରକାଶିତ ଦଲିଲ୍ରେ ୨୦୧୩ ମସିହାରେ ଏପଷ୍ଟାଇନଙ୍କ ଦ୍ୱାରା ନିଜ ପାଖକୁ ପଠାଯାଇଥିବା ଇମେଲର ଡ୍ରାଫ୍ଟ ଅନ୍ତର୍ଭୁକ୍ତ। ଏହି ଇମେଲଗୁଡ଼ିକରେ ଦାବି କରାଯାଇଛି, ବିଲ୍ ଗେଟ୍ସଙ୍କର ରୁଷିଆନ ଯୁବତୀ ମହିଳାଙ୍କ ସହିତ ସମ୍ପର୍କ ଥିଲା ଓ ଏହି ସମ୍ପର୍କ ସମୟରେ ସେ ଯୌନ ସଂକ୍ରମଣ ରୋଗ(ଏସ୍ଟିଡି)ରେ ଆକ୍ରାନ୍ତ ହୋଇଥିଲେ।
ଇମେଲ୍ର ଡ୍ରାଫ୍ଟ
୨୦୧୩ରେ ଏପଷ୍ଟାଇନଙ୍କ ଦ୍ୱାରା ନିଜ ପାଖକୁ ପଠାଯାଇଥିବା ଇମେଲରେ ଏହି ଦାବିଗୁଡ଼ିକ ରହିଛି। ବର୍ତ୍ତମାନ ସେସବୁ ସାର୍ବଜନୀନ ହୋଇଛି। ୧୮ ଜୁଲାଇ ୨୦୧୩ରେ ଲେଖାଯାଇଥିବା ଏହି ଇମେଲଗୁଡ଼ିକୁ ଏପଷ୍ଟାଇନ ବୋରିସ ନିକୋଲିକଙ୍କ ସ୍ବରରେ ପ୍ରସ୍ତୁତ କରାଯାଇଥିଲେ। ଗେଟ୍ସ ରୁଷୀୟ ମହିଳାଙ୍କ ସହିତ ଶୟନ କରିଥିବା ଓ ତା''''ପରେ ଅସୁସ୍ଥ ହୋଇଥିବାର ଅଭିଯୋଗ କରାଯାଇଛି
ସ୍ତ୍ରୀଙ୍କୁ ଲୁଚାଇଥିଲେ
ଏହା ମଧ୍ୟ ଉଲ୍ଲେଖ ଅଛି ଯେ, ଗେଟ୍ସ ଆଣ୍ଟିବାୟୋଟିକ୍ ବ୍ୟବହାର କରିଥିଲେ। ଉଦ୍ଦେଶ୍ୟ ଥିଲା ତାଙ୍କ ତତ୍କାଳୀନ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କଠାରୁ ଏହାକୁ ଲୁଚାଇ ରଖିବା। ଏପଷ୍ଟାଇନ୍ ଦାବି କରିଛନ୍ତି ଯେ, ଗେଟ୍ସ ତାଙ୍କୁ ଏହି ଘଟଣାଗୁଡ଼ିକ ସହିତ ଜଡିତ ଇମେଲଗୁଡ଼ିକୁ ଡିଲିଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଲ୍ ଗେଟ୍ସଙ୍କ ପ୍ରତିକ୍ରିୟା
ଏହା ପ୍ରକାଶ ହେବା ପରେ ବିଲ୍ ଗେଟ୍ସଙ୍କ ଦଳ ଏକ ବିବୃତି ଜାରି କରିଥିଲେ। ତାଙ୍କ ମୁଖପାତ୍ର କହିଛନ୍ତି ଯେ, ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଅବାନ୍ତର। ଏପଷ୍ଟାଇନ୍ କେବଳ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ବିଲ୍ ଗେଟ୍ସଙ୍କ ବ୍ରେକ୍ ଅପ୍ ଯୋଗୁ ଏପଷ୍ଟାଇନ୍ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିଲେ।
ଏପଷ୍ଟାଇନ୍ଙ୍କ ଷଡ୍ଯନ୍ତ୍ର
ବିଲ୍ ଗେଟ୍ସଙ୍କ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ, ଏହି ଦଲିଲଗୁଡ଼ିକ କେବଳ ଏପଷ୍ଟାଇନ୍ଙ୍କ ହତାଶାକୁ ପ୍ରତିଫଳିତ କରୁଛି। ଏପଷ୍ଟାଇନ୍ ଚାହୁଁଥିଲେ ଯେ, ଗେଟ୍ସ ତାଙ୍କ ସହିତ ସମ୍ପର୍କରେ ରୁହନ୍ତୁ। କିନ୍ତୁ ସମ୍ପର୍କ ଶେଷ ହେବା ପରେ ସେ ଏହି କୌଶଳ ଆପଣାଇଥିଲେ। ଅଭିଯୋଗଗୁଡ଼ିକ କେବଳ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ପ୍ରତିଛବିକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା।
ଫାଇଲଗୁଡ଼ିକର ସତ୍ୟତା
ଆମେରିକାର ନ୍ୟାୟ ବିଭାଗ ଏପଷ୍ଟାଇନ ମାମଲା ସହିତ ଜଡିତ ୩ ନିୟୁତ ପୃଷ୍ଠାରୁ ଅଧିକ ଦଲିଲ୍ ପ୍ରକାଶ କରିଛି। ବିଭାଗ ସ୍ପଷ୍ଟ କରିଛି, ଫାଇଲଗୁଡ଼ିକରେ ନାମ ରହିବା କୌଣସି ବ୍ୟକ୍ତି ବିଶେଷଙ୍କର ଅପରାଧରେ ସମ୍ପୃକ୍ତିକୁ ସୂଚିତ କରେ ନାହିଁ। ତଦନ୍ତର ପରିସରଭୁକ୍ତ ହୋଇଥିବା ଏହି ଫାଇଲଗୁଡ଼ିକରେ ହଜାର ହଜାର ଭିଡିଓ ଓ ଲକ୍ଷ ଲକ୍ଷ ଫଟୋଗ୍ରାଫ ମଧ୍ୟ ରହିଛି।
ପୁରୁଣା ଫଟୋକୁ ନେଇ ବିବାଦ
ପ୍ରକାଶିତ ଫାଇଲଗୁଡ଼ିକରେ ଏପଷ୍ଟାଇନ୍ ଓ ଗେଟ୍ଦଙ୍କୁ ଏକାଠି ଦେଖାଉଥିବା ପୁରୁଣା ଫଟୋଗ୍ରାଫ ମଧ୍ୟ ରହିଛି। ଗେଟ୍ସ ଅତୀତରେ ଏପଷ୍ଟାଇନ୍ଙ୍କ ସହ ତାଙ୍କ ସମ୍ପର୍କ ପାଇଁ ସାର୍ବଜନୀନ ଭାବରେ ଦୁଃଖ ପ୍ରକାଶ କରିଥିଲେ। କୌଣସି ବେଆଇନ କିମ୍ବା ଅନୈତିକ ଆଚରଣରେ ଲିପ୍ତ ରହିଥିବା ନେଇ ସେ ସର୍ବଦା ଅସ୍ୱୀକାର କରିଛନ୍ତି।
ଛାଡପତ୍ର ତଥା ଅତୀତର ସମ୍ପର୍କ
ବିଲ୍ ଓ ମେଲିଣ୍ଡା ଗେଟ୍ସ ୧୯୯୪ ରୁ ୨୦୨୧ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ବିତାଇଥିଲେ। ପରେ ସେମାନଙ୍କର ଛାଡପତ୍ର ହୋଇଥିଲା। ମେଲିଣ୍ଡା କହିଥିଲେ ଯେ, ଏପଷ୍ଟାଇନ୍ଙ୍କ ସହ ବିଲ୍ଙ୍କ ଘନିଷ୍ଠତା ଛାଡପତ୍ରର ଏକ କାରଣ ଥିଲା। ତଥାପି, ସେତେବେଳେ ସେ ଏହି ଯୌନ ସଂକ୍ରମିତ ରୋଗ କିମ୍ବା ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକର କୌଣସି ବିବରଣୀ ପ୍ରଦାନ କରିନଥିଲେ।
ନ୍ୟାୟ ବିଭାଗର ମନ୍ତବ୍ୟ
ଆମେରିକା ସରକାର କହିଛନ୍ତି, କେବଳ ଡକ୍ୟୁମେଣ୍ଟର ଉପସ୍ଥିତି ସମ୍ପୃକ୍ତିର ପ୍ରମାଣ ନୁହେଁ। ୨୦୧୯ ମସିହାରେ ଏପଷ୍ଟାଇନ୍ ଜେଲ୍ରେ ଆତ୍ମହତ୍ୟା କରିଥିଲେ। ଯାହା ମାମଲାକୁ ଆହୁରି ଜଟିଳ କରିଦେଇଥିଲା। ନୂତନ ତଥ୍ୟ ପ୍ରକାଶ ପାଇବା ପରେ ପୁଣି ଥରେ ଆମେରିକାରେ ଏକ ବଡ଼ ସାମାଜିକ ଝଡ଼ ସୃଷ୍ଟି ହୋଇଛି।
ଆହୁରି ପଢ଼ନ୍ତୁ: Expensive cars will be cheaper: ଶସ୍ତା ହେବ ଦାମୀ କାର୍, ୧କୋଟିର କାର୍ ହେବ ୫୦ଲକ୍ଷ
Follow Us