China ignores Trump's warning Photograph: (sambad.in)
ବେଜିଂ: ହଂକଂର ପୂର୍ବତନ ମିଡିଆ ମହାରଥୀ ତଥା ଗଣତନ୍ତ୍ର ସମର୍ଥକ ଜିମି ଲାଇଙ୍କୁ ୨୦ ବର୍ଷ ଜେଲଦଣ୍ଡା ଦେଶ କରାଯାଇଛି। ଏହା ଏକ ଆଇନଗତ ଲଢ଼େଇର ଅନ୍ତ ଘଟାଇଛି ଯାହା ଗତ କିଛି ବର୍ଷ ଧରି ହଂକଂର ପରିବର୍ତ୍ତିତ ଦୃଶ୍ୟପଟ ଓ ଚୀନ୍ର କଠୋର ମନୋଭାବର ପ୍ରତୀକ ପାଲଟିଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ପାଶ୍ଚାତ୍ୟ ନେତାମାନେ ଏହା ବିରୋଧରେ ଚେତାବନୀ ଦେଇଥିଲେ। ୭୮ ବର୍ଷ ବୟସ୍କ ଜିମି ଲାଇ ୨୦୨୦ରେ ହଂକଂ ଜାତୀୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ଚୀନ୍ର କଠୋର କାର୍ଯ୍ୟାନୁଷ୍ଠାନର ସବୁଠାରୁ ସ୍ପଷ୍ଟ ସମାଲୋଚକଙ୍କ ମଧ୍ୟରେ ଥିଲେ। ଏହି ଆଇନ ଅନୁଯାୟୀ ତାଙ୍କୁ ଦୁଇଟି ଜାତୀୟ ସୁରକ୍ଷା ମାମଲା ଓ ଗୋଟିଏ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କୋର୍ଟ ତାଙ୍କୁ ଡିସେମ୍ବରରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏବେ ଏନେଇ ଦଣ୍ଡାଦେଶ କରାଯାଇଛି।
ଦଣ୍ଡାଦେଶ ସମୟରେ ମୁହଁରେ ଥିଲା ହସ
୨୦ ବର୍ଷର ଦଣ୍ଡାଦେଶର ଅର୍ଥ ହେଉଛି, ଜିମି ଲାଇ କେବଳ ୯୦ ବର୍ଷରୁ ଅଧିକ ବୟସର ହେଲେ ପାରୋଲ ପାଇଁ ଯୋଗ୍ୟ ହେବେ। ରିପୋର୍ଟ ଅନୁଯାୟୀ, ରାୟ ଶୁଣିବା ସମୟରେ ଲାଇ ଧଳା ଜ୍ୟାକେଟ୍ ପିନ୍ଧି ଦୁର୍ବଳ ଦେଖାଯାଉଥିଲେ। କିନ୍ତୁ ଦଣ୍ଡାଦେଶ ପଢ଼ାଯିବା ସମୟରେ ସେ ହସୁଥିଲେ। ସେ କୋର୍ଟରେ ଉପସ୍ଥିତ ଲୋକମାନଙ୍କୁ ହାତ ଯୋଡି ସ୍ୱାଗତ ମଧ୍ୟ କରିଥିଲେ। ଜିମି ଲାଇଙ୍କ ସହିତ, ତାଙ୍କ ଖବରକାଗଜ ଆପଲ୍ ଡେଲିର ଛଅ ଜଣ ପୂର୍ବତନ ସହକର୍ମୀଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି। ସେମାନଙ୍କୁ ୬ ବର୍ଷ ଓ ୯ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ଦିଆଯାଇଥିଲା। ଏହା ସହିତ ଖବରକାଗଜ ଓ ଏହାର ସହଯୋଗୀମାନଙ୍କୁ ପ୍ରାୟ ୭୬୦,୦୦୦ ଆମେରିକୀୟ ଡଲାର ଜରିମାନା କରାଯାଇଥିଲା।
ପାଶ୍ଚାତ୍ୟ ଦେଶଙ୍କର ଚାପକୁ ଫୁ କଲା ଚୀନ୍
ଆପଲ୍ ଡେଲି ହଂକଂରେ ଗଣତନ୍ତ୍ର ସମର୍ଥକ ଏକ ଟାବଲଏଡ୍ ଥିଲା। ଯାହାକୁ ଦୀର୍ଘ ସମୟ ଧରି ଚୀନ୍ ଟାର୍ଗେଟ କରିଥିଲା। ଜାତୀୟ ସୁରକ୍ଷା ଆଇନ ଲାଗୁ ହେବା ପରେ ଖବରକାଗଜକୁ ବନ୍ଦ କରିବାକୁ ବାଧ୍ୟ କରାଯାଇଥିଲା। ଜିମି ଲାଇଙ୍କ ଦଣ୍ଡାଦେଶ ନୂଆ ଅନ୍ତର୍ଜାତୀୟ ବିତର୍କ ଆରମ୍ଭ କରିଛି। ଅନେକ ଆମେରିକା ଓ ପାଶ୍ଚାତ୍ୟ ନେତା ଏହି ବିଷୟ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୂର୍ବରୁ ଲାଇଙ୍କୁ ମୁକ୍ତ କରିବାକୁ ଚେତାବନୀ ଦେଇଥିଲେ। ମାତ୍ର ଚୀନ୍ କାହାର କଥାକୁ ନଶୁଣି ଏଭଳି କରିଛି। ଆଗାମୀ ଦିନରେ ଟ୍ରମ୍ପ ଚୀନ୍ ଗସ୍ତ କରିବାର ଆଶା ଥିବାରୁ ଲାଇଙ୍କ ସମର୍ଥକମାନେ ଏହି ପ୍ରସଙ୍ଗକୁ ପୁଣି ଥରେ ଉଠାଇବାକୁ ଚାହୁଁଛନ୍ତି।
ଚୀନ୍ ଓ ହଂକଂ ପ୍ରଶାସନ ଲଗାତାର ଭାବରେ ଦାବି କରିଆସୁଛନ୍ତି ଯେ, ଏହି ମାମଲା ରାଜନୈତିକ ଭାବରେ ପ୍ରେରିତ ନୁହେଁ କିମ୍ବା ପ୍ରେସ୍ ସ୍ୱାଧୀନତା ଉପରେ ଆକ୍ରମଣ ନୁହେଁ। କର୍ତ୍ତୃପକ୍ଷ କହିଛନ୍ତି, ୨୦୧୯ର ହିଂସାତ୍ମକ ପ୍ରତିବାଦ ପରେ ଏହି କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ଥିଲା। ଏହା ଦ୍ବାରା ସାମାଜିକ ସ୍ଥିରତା ପୁନଃସ୍ଥାପିତ ହୋଇଛି।
ବାସ୍ତବତା ହେଉଛି ଯେ, ଜାତୀୟ ସୁରକ୍ଷା ଆଇନ ପରଠାରୁ ବହୁ ଲୋକ ଜେଲ୍ରେ ଅଛନ୍ତି, ଅନେକ ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଯାଇଛି ଓ ହଂକଂର ଏକଦା କୋଳାହଳପୂର୍ଣ୍ଣ ରାଜନୈତିକ ଦୃଶ୍ୟ ପ୍ରାୟ ନୀରବ ହୋଇଯାଇଛି। ଜିମି ଲାଇଙ୍କ ସମର୍ଥକମାନେ ତାଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ ଆଶା କରି କୋର୍ଟହାଉସ୍ ବାହାରେ ଦିନ ଦିନ ଧରି ଧାଡ଼ିରେ ଠିଆ ହୋଇଥିଲେ। ୭୫ ବର୍ଷୀୟ ଚାନ୍ ଚୁନ୍-ୟି କହିଛନ୍ତି,ସେ ହେଉଛନ୍ତି ହଂକଂର ପତାକା। ମୁଁ ସବୁକିଛିରେ ତାଙ୍କ ସହିତ ସହମତ ନ ଥିଲି, କିନ୍ତୁ ମୁଁ ସ୍ୱାଧୀନତା, ଗଣତନ୍ତ୍ର ଓ ନ୍ୟାୟ ପାଇଁ ତାଙ୍କ ଦୃଷ୍ଟିକୋଣ ସହିତ ଜଡିତ ଥିଲି। ଆଉ ଜଣେ ସମର୍ଥକ କହିଛନ୍ତି, ଜିମି ଲାଇ ଓ ତାଙ୍କ ସାଥୀମାନଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବା ଉଚିତ।
ଆହୁରି ପଢ଼ନ୍ତୁ: Trump demands stricter restrictions: ନିର୍ବାଚନ ଜାଲିଆତି ଯୋଗୁ ବିଶ୍ବରେ ହାସ୍ୟର ପାତ୍ର ହୋଇଛି ଆମେରିକା: କଠୋର କଟକଣା ଦାବି କଲେ ଟ୍ରମ୍ପ
Follow Us