ନୂଆଦିଲ୍ଲୀ: ଦୀର୍ଘ ତିନି ସପ୍ତାହ ଧରି ଚାଲିଥିବା ଜେଏନ୍ୟୁ ଛାତ୍ର ଆନ୍ଦୋଳନ ଆଜି ବି ଜାରି ରହିଛି। ଗତକାଲି ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଲାଠି ମାଡ଼ ଘଟଣାକୁ ଆଜି ଜେଏନ୍ୟୁ ଛାତ୍ର ସଂସଦ ନିନ୍ଦା କରିଛି। ଆଜି ସନ୍ଧ୍ୟାରେ ଫ୍ରିଡମ୍ ସ୍କୋୟାରଠାରେ ଜେଏନ୍ୟୁଏସ୍ୟୁ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ଐଶୀ ଘୋଷ୍ ପୁଲିସର ‘ଅମାନବୀୟ କାର୍ଯ୍ୟ’କୁ ନିନ୍ଦା କରିଛନ୍ତି। ଏ ଘଟଣାରେ ପୁଲିସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର ସଂସଦ। ସେହିଭଳି ବିଶ୍ବବିଦ୍ୟାଳୟର କୁଳପତି ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ ଆନ୍ଦୋଳନକାରୀ ଛାତ୍ରମାନେ ଦାବି କରିଛନ୍ତି।
ଛାତ୍ରୀମାନେ ପୁରୁଷ ପୁଲିସଙ୍କ ଦ୍ବାରା ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଛାତ୍ର ସଂସଦ ସଭାନେତ୍ରୀ ଅଭିଯୋଗ କରିଛନ୍ତି। ସେହିଭଳି ଶାରୀରିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମଧ୍ୟ ପୁଲିସର ଅତ୍ୟାଚାରରୁ ବର୍ତ୍ତି ନାହାନ୍ତି ବୋଲି ଜେଏନ୍ୟୁ ଦୃଷ୍ଟିହୀନ ଛାତ୍ର ସଂଘ ଅଭିଯୋଗ ଆଣିଛି। ତେବେ ହଷ୍ଟେଲ୍ ଫି ବୃଦ୍ଧି ପ୍ରତ୍ୟାହାର ଏବଂ ଅନ୍ୟାନ୍ୟ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଛାତ୍ର ସଂସଦ ପକ୍ଷରୁ କୁହାଯାଇଛି।ଗତକାଲି ବଳପୂର୍ବକ ସଂସଦ ଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିବା ଏବଂ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ଆଜି ଦିଲ୍ଲୀ ପୁଲିସ ଛାତ୍ର ସଂସଦର ସଦସ୍ୟମାନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛି। ଛାତ୍ରଛାତ୍ରୀମାନେ ସଂସଦ ଭବନ ବାହାରେ ଥିବା ବ୍ୟାରିକେଡ୍କୁ ଡେଇଁ ୧୪୪ ଧାରା ଜାରି ହୋଇଥିବା ସତ୍ତ୍ବେ ସଂସଦ ଭବନ ଅଞ୍ଚଳକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏଣୁ ଛାତ୍ର ସଂସଦର ସଦସ୍ୟଙ୍କ ବିରୋଧରେ ଆଜି କିସାନଗଡ଼ ଥାନାରେ ଆଇପିସିର ଧାରା ୧୮୬ ଏବଂ ୩୫୩ ଅନୁସାରେ ଏଫ୍ଆଇଆର୍ ରୁଜୁ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁଲିସର କହିବା ଅନୁଯାୟୀ, ଗତକାଲିର ଘଟଣାରେ ୩୦ ପୁଲିସ କର୍ମଚାରୀ ଏବଂ ୧୫ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଜେଏନ୍ୟୁ ଛାତ୍ର ଆନ୍ଦୋଳନକୁ ସମର୍ଥନ ଦେବା ସହିତ ପୁଲିସର କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛନ୍ତି। ଜେଏନ୍ୟୁ ପ୍ରଶାସନ ଉପରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାତ୍ରାଧିକ ହସ୍ତକ୍ଷେପକୁ ଦିଗ୍ବିଜୟ ନିନ୍ଦା କରିଛନ୍ତି।