ନାଗପୁର: ୩୧ଡିସେମ୍ବର ଏବଂ ନୂଆବର୍ଷରେ ଜଙ୍ଗଲ ସଫାରି ପାଇଁ ନାଗପୁର ଜିଲ୍ଲାର ଉମରେଦ-ପୌନି-କରହାଣ୍ଡଲା ଅଭୟାରଣ୍ୟରେ ପହଞ୍ଚିଥିବା ପର୍ଯ୍ୟଟକମାନେ ବାଘୁଣୀ ଦେଖିଥିଲେ। ବର୍ତ୍ତମାନ ଏହି ଜଙ୍ଗଲ ସଫାରିର ମଜା ମହଙ୍ଗା ପଡ଼ିଛି। ଏନେଇ ହାଇକୋର୍ଟ ଦଣ୍ଡାଦେଶ କରିଛନ୍ତି। ନୂଆବର୍ଷ ଅବସରରେ ବମ୍ବେ ହାଇକୋର୍ଟ  ଅଭୟାରଣ୍ୟରେ ଏକ ବାଘୁଣୀ ଏବଂ ଶାବକଙ୍କ ଚଳାଚଳ ଉପରେ ବାଧା ସୃଷ୍ଟି କରୁଥିବା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Advertisment

ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚର ଜଷ୍ଟିସ୍ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ ଭ୍ରୁଶାଲି ଯୋଶୀ ରାଜ୍ୟ ଜଙ୍ଗଲର ମୁଖ୍ୟ ବନ ସଂରକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଏବଂ ଏହାକୁ ଏଡ଼ାଇବା ପାଇଁ ପଦକ୍ଷେପ ଉପରେ କୋର୍ଟ ଏକ ସବିଶେଷ ସତ୍ୟପାଠ ମାଗିଛନ୍ତି। ବୁଧବାର ଦିନ ଏହି ଆବେଦନ ଶୁଣାଣି ହେବ।

୩୧ ଡିସେମ୍ବର ୨୦୨୪ର ଘଟଣାର ଭିଡିଓରେ ଦେଖାଯାଉଛି ଯେ 'ଏଫ-୨' ନାମକ ବାଘୁଣୀ ତାର ୫ ଶାବକଙ୍କ ସହିତ ଅଭୟାରଣ୍ୟର 'ବଫର୍ ଜୋନ୍'ରେ ଅଛି। ସଫାରି ଯାନଗୁଡିକ ଚାରିଆଡ଼େ ପାର୍କିଂ କରାଯାଇଛି। ଯାହାଦ୍ୱାରା ପର୍ଯ୍ୟଟକମାନେ ସେମାନଙ୍କର ଫଟୋ ଉଠାଇ ପାରିବେ ଏବଂ ଭିଡିଓ ସୁଟିଂ କରିପାରିବେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ହାଇକୋର୍ଟ ଏହି ଘଟଣାର ଭିଡିଓ ଏବଂ ସମ୍ବାଦ ରିପୋର୍ଟ ଆଧାରରେ ସଂଜ୍ଞାନକୁ ନେଇ ଏହାର ବିଚାର କରିଥିଲେ। 

ମହାରାଷ୍ଟ୍ର ବନ ବିଭାଗ ଏହି ଘଟଣାରେ ସମ୍ପୃକ୍ତ ୪ ଡ୍ରାଇଭର ଏବଂ ଗାଇଡ୍‌ଙ୍କୁ ତିନିମାସ ପାଇଁ ନିଲମ୍ବିତ କରିଛି। ଏଥିସହ ଜିପ୍ସି ଏସୟୁଭି ଡ୍ରାଇଭରଙ୍କ ଉପରେ ପ୍ରତ୍ୟେକଙ୍କୁ ୨୫,୦୦୦ଟଙ୍କା ଜରିମାନା ଦଣ୍ଡାଦେଶ କରିବା ସହିତ ଅଭୟାରଣ୍ୟ ପରିଦର୍ଶନ କରିଥିବା 'ନେଚର ଗାଇଡ୍' ଉପରେ ୧୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏହା ବ୍ୟତୀତ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ସମ୍ପୃକ୍ତ ବିଭାଗ ଅଧୀନରେ ସେମାନଙ୍କ ବିରୋଧରେ ଏକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି।

ଏହି ଘଟଣା ସମ୍ପର୍କରେ ନାଗପୁର ପେଞ୍ଚ ଟାଇଗର ଅଭୟାରଣ୍ୟର ଡେପୁଟି ଡାଇରେକ୍ଟର ପ୍ରଭାସ ନାଥ ଶୁକ୍ଲା  ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ କୁହାଯାଇଛି ଯେ, କୁହି ୱାଇଲ୍ଡ ଲାଇଫ ରେଞ୍ଜର ଗୋଥାଙ୍ଗାଓନରେ ବାଘୁଣୀ 'ଏଫ-୨ 'ଏବଂ ତା’ର ୫ ଶାବକଙ୍କୁ ଅନେକ ସଫାରି ଗାଡି ଦ୍ବାରା ଅବରୋଧ କରି ପର୍ଯ୍ୟଟକମାନେ ଅଭୟାରଣ୍ୟର ନିୟମ ଉଲ୍ଲଂଘନ କରିଛନ୍ତି।

ପ୍ରକାଶ ଯେ, ଏହି ଘଟଣାରେ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ଭବିଷ୍ୟତରେ ଅଭୟାରଣ୍ୟ ପରିଦର୍ଶନ କରିବାକୁ ସବୁଦିନ ପାଇଁ ବାରଣ କରାଯାଇଛି। ଭବିଷ୍ୟତରେ ଏହିପରି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିବାକୁ ବୋର ଟାଇଗର ଅଭୟାରଣ୍ୟର ଡେପୁଟି ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି।

ଅଧିକ ପଢ଼ନ୍ତୁ: ଚୀନ୍‌ରେ ହାହାକାର: ଉହାନରେ ସ୍କୁଲ ବନ୍ଦ, ରିପୋର୍ଟ ମାଗିଲା ଡବ୍ଲୁଏଚଓ

ଡେପୁଟି ଡାଇରେକ୍ଟର ପ୍ରଭାସ ନାଥ ଶୁକ୍ଲା କହିଛନ୍ତି ଯେ ଏଭଳି ଘଟଣାକୁ ରୋକିବା ପାଇଁ କ୍ଷେତ୍ର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସଫାରି ମାର୍ଗରେ ନିୟମିତ ପାଟ୍ରୋଲିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରିବେଶ ଅନୁକୂଳ ପର୍ଯ୍ୟଟନ ପ୍ରତି ସଚେତନତା ଏବଂ ସମ୍ବେଦନଶୀଳତା ବୃଦ୍ଧି ପାଇଁ 'ନେଚର ଗାଇଡ୍' ଏବଂ ଜିପ୍ସି ଡ୍ରାଇଭରମାନଙ୍କ ପାଇଁ ସ୍ୱତନ୍ତ୍ର ବୈଠକ ଏବଂ କର୍ମଶାଳା ଆୟୋଜନ କରାଯାଉଥିବା ସୂଚନା ଦିଆଯାଇଛି।

ଅଧିକ ପଢ଼ନ୍ତୁ: ତିବ୍ଦତ ଭୂକମ୍ପ ପାଇଁ କିଏ ଦାୟୀ?: ପ୍ରକୃତି ନା ଚୀନ୍