ବିଜେପି ଆସିଲେ ଏକ ଟଙ୍କାରେ ହେବ ଜମି ରେଜିଷ୍ଟ୍ରି: ଝାଡଖଣ୍ଡରେ ଶାହଙ୍କ ଘୋଷଣା

ଝାଡଖଣ୍ଡର ଝରିଆରେ ଏକ ରାଲିରେ ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି। ଶାହ କହିଛନ୍ତି ଯେ ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତେବେ ମହିଳାଙ୍କୁ ଏକ ଟଙ୍କାରେ ଜମି ରେଜିଷ୍ଟ୍ରିର ସୁବିଧା ଦିଆଯିବ...

WhatsApp Image 2024-11-12 at 4.35.09 PM

ରାଞ୍ଚି:ଝାଡଖଣ୍ଡର ଝରିଆରେ ଏକ ରାଲିରେ ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଘୋଷଣା କରିଛନ୍ତି।  ଶାହ କହିଛନ୍ତି ଯେ ଯଦି ରାଜ୍ୟରେ ବିଜେପି ସରକାର ଗଠନ ହୁଏ ତେବେ ମହିଳାଙ୍କୁ ଏକ ଟଙ୍କାରେ ଜମି ରେଜିଷ୍ଟ୍ରିର ସୁବିଧା ଦିଆଯିବ। ନିର୍ବାଚନ ପୂର୍ବରୁ ବିଜେପିର ଏହି ପଦକ୍ଷେପ ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ ଭାବରେ ଦେଖାଯାଉଛି। 

ଏଥର ମହିଳାମାନେ ଝାଡଖଣ୍ଡରେ ନିର୍ବାଚନ ପ୍ରଚାରର କେନ୍ଦ୍ରରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର 'ମଈୟାଁ ସମ୍ମାନ ଯୋଜନା' ମାଧ୍ୟମରେ ମହିଳାଙ୍କୁ ଆକର୍ଷିତ କରୁଥିବାବେଳେ ବିଜେପି 'ଗୋଗୋ ଦିଦି' ଯୋଜନା ଏବଂ ଏକ ଟଙ୍କାରେ ଜମି ରେଜିଷ୍ଟ୍ରିର ସୁବିଧା ପ୍ରଦାନ କରି ମହିଳା ଭୋଟରଙ୍କୁ ଆକର୍ଷିତ କରିବାକୁ ଚାହୁଁଛି।

ଶାହ ତାଙ୍କ ଅଭିଭାଷଣରେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ନିର୍ବାଚନ ପୂର୍ବରୁ କଂଗ୍ରେସ ନେତାମାନେ "ଖଟାଖଟ, ଖଟାଖଟ" ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ନିର୍ବାଚନ ପରେ ସବୁକିଛି ଭୁଲିଯାଆନ୍ତି। ସେ କହିଛନ୍ତି ବିଜେପି ଯାହା ପ୍ରତିଶ୍ରୁତି ଦେଉଛି ତାହା ପ୍ରଦାନ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ପଥରର ଗାର।  

୧୭ ମିନିଟର ସମ୍ବୋଧନରେ ଶାହ ହେମନ୍ତ ସୋରେନଙ୍କ ଅପେକ୍ଷା କଂଗ୍ରେସକୁ ଅଧିକ ଟାର୍ଗେଟ କରିଥିଲେ। ସେ ଧାରା ୩୭୦, ରାମମନ୍ଦିର ଏବଂ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ। ସେ ରାଲିରେ "ଜୟ ଶ୍ରୀରାମ" ସ୍ଲୋଗାନ ଦେଇଥିଲେ।

ଶାହ ଜେଏମଏମ ନାମ ନେଇଥିଲେ, କିନ୍ତୁ ହେମନ୍ତ ସୋରେନଙ୍କ ବିଷୟରେ ଉଲ୍ଲେଖ କରି ନ ଥିଲେ। ଏଥର ଝରିଆରେ କଂଗ୍ରେସର ପୂର୍ଣ୍ଣିମା ନୀରଜ ସିଂ ବିଜେପିର ରାଗିନି ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଗତଥର ପୂର୍ଣ୍ଣିମା ଏଠାରୁ ବଡ଼ ବିଜୟ ହାସଲ କରିଥିଲେ।

ରାଲିରେ ଅମିତ ଶାହ କହିଛନ୍ତି ଯେ ଦଳିତ, ଆଦିବାସୀ ତଥା ପଛୁଆ ବର୍ଗଙ୍କୁ ଦିଆଯାଇଥିବା ସଂରକ୍ଷଣକୁ ଛଡ଼ାଇ ନେଇ ଏହାକୁ ମୁସଲମାନ ସମ୍ପ୍ରଦାୟକୁ ଦେବାକୁ କଂଗ୍ରେସ ଚେଷ୍ଟା କରୁଛି, କିନ୍ତୁ ବିଜେପି ଥିବାଯାଏଁ ଏହା ସମ୍ଭବ ହେବ ନାହିଁ। ଶାହ  କହିଛନ୍ତି କଂଗ୍ରେସ ନେତାମାନେ ଧାରା ୩୭୦କୁ ହଟାଇବା ବିଷୟରେ କଥାବାର୍ତ୍ତା କରନ୍ତି, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ।

ଅଧିକ ପଢ଼ନ୍ତୁ: ୱେଷ୍ଟବ୍ୟାଙ୍କ ଦଖଲ ପାଇଁ ଇସ୍ରାଏଲର ଯୋଜନା: ଟ୍ରମ୍ପଙ୍କ ବିଜୟ ପରେ ନେତାନ୍ୟାହୁଙ୍କ ମନ୍ତ୍ରୀଙ୍କ ଘୋଷଣା

ବିପୁଳ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୂ ସେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ରାଲିରେ ଶାହ ମନରେଗାରେ ହୋଇଥିବା ଦୁର୍ନୀତି ଏବଂ ଝାଡଖଣ୍ଡର ଅନ୍ୟାନ୍ୟ ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ମେଣ୍ଟ ସରକାରର ନେତାଙ୍କ ଦୁର୍ନୀତି ସମସ୍ତଙ୍କ ସାମ୍ନାରେ ଅଛି।

ଲୁଟ୍ ହୋଇଥିବା ଟଙ୍କା କାହାର ବୋଲି ସେ ପ୍ରଶ୍ନ କରିଛନ୍ତି? ଶାହ ପ୍ରତିଶ୍ରୁତି ଦେଇଛନ୍ତି ଯଦି ବିଜେପି ସରକାର କ୍ଷମତାକୁ ଆସନ୍ତି, ତେବେ ଆଇନ ପ୍ରଣୟନ କରି ଏହି ଟଙ୍କା ଝାଡଖଣ୍ଡର ରାଜକୋଷରେ ଜମା ହେବ ଯାହା ଦ୍ବାରା ରାଜ୍ୟ ବିକାଶ ହୋଇପାରିବ।

ଅଧିକ ପଢ଼ନ୍ତୁ: ଜୁଣ୍ଟା ଆର୍ମିର ଏମଆଇ-୧୭ ହେଲିକପ୍ଟର ଗୁଳି କରି ଖସାଇଲେ ବିଦ୍ରୋହୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe