ନୂଆଦିଲ୍ଲୀ: ଆଜି ବହୁବାଦବିବାଦ ପରେ ବରିଷ୍ଠ ମହିଳା ଆଇନଜୀବୀ ଏଲ୍ସି ଭିକ୍ଟୋରିଆ ଗୌରୀ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯିବା ପରେ ଏହାକୁ ବିରୋଧ କରି ବହୁ ଓକିଲ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ସେହି ପ୍ରଂସଗ ଉପରେ ଆଜି ଶୁଣାଣି କରି ସୁପ୍ରିମକୋର୍ଟ ଉକ୍ତ ଆବେଦନକୁ ଖାରଜ କରିଛନ୍ତି। ଏଲ୍ସି ଭିକ୍ଟୋରିଆ ଗୌରୀ ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ସୁପାରିସ କରାଯିବା ପରେ ଏହାକୁ ରଦ୍ଦ କରିବାକୁ କିଛି ଓକିଲ କରିଥିବା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଜଷ୍ଟିସ୍ ରଂଜିତ ଖାନ୍ନା ଏବଂ ଜଷ୍ଟିସ୍ ବି ଆର୍ ଗବଇଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି।
ଉଲ୍ଲେଖଯୋଗ୍ୟ, ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଓ ରାଜୁ ରାମଚନ୍ଦ୍ରନ୍ ପ୍ରମୁଖ ଗୌରୀଙ୍କ ପ୍ରସ୍ତାବିତ ନିଯୁକ୍ତିକୁ ବିରୋଧ କରି ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ସୋମବାର ଏହି ମାମଲାର ଜରୁରୀ ଶୁଣାଣି ପାଇଁ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଫାଇଲ ଉପସ୍ଥାପନ କରାଯାଇଥିଲା। ସିଜେଆଇ ଶୁକ୍ରବାର ଏହି ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ। ଏତିକିବେଳେ କେନ୍ଦ୍ରର ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଗୌରୀଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଏହାପରେ ଓକିଲମାନେ ଅପରାହ୍ଣ ୧ଟା ୨୦ରେ ସିଜେଆଇଙ୍କୁ ପୁଣି ଥରେ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ମାମଲାର ଜରୁରୀ ଶୁଣାଣି ପାଇଁ ଆବେଦନ କରିଥିଲେ।
ଗୌରୀଙ୍କ ନାମରେ ଅଭିଯୋଗ ହେଉଛି, ସେ ହେଉଛନ୍ତି ଜଣେ ବିଜେପି କାର୍ଯ୍ୟକର୍ତ୍ତା। ସେ ନିଜେ ସ୍ବୀକାର କରିଛନ୍ତି ଯେ, ସେ ହେଉଛନ୍ତି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା। ଗୌରୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଘୃଣା-ବ୍ୟଞ୍ଜକ ମନ୍ତବ୍ୟ ଦେବାର ମଧ୍ୟ ନଜିର ରହିଛି ବୋଲି କେତେକ ଓକିଲ ଅଭିଯୋଗ କରିଛନ୍ତି। ତେଣୁ ଏପରି ବ୍ୟକ୍ତିଙ୍କୁ ହାଇକୋର୍ଟର ଜଜ୍ କରାଯିବା ଅନୁଚିତ ବୋଲି ଓକିଲମାନେ ଯୁକ୍ତି କରିଛନ୍ତି। ତେବେ ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ବିଟ୍ କରିଛନ୍ତି ଯେ, ରାଜନୈତିକ ସହବନ୍ଧନ ଥିବା ଓକିଲ ବିଚାରପତି ହୋଇପାରିବେ। ଅତୀତରେ ମଧ୍ୟ କୌଣସି ରାଜନୈତିକ ଦଳର ପ୍ରତିନିଧିତ୍ବ କରୁଥିବା ପାର୍ଲାମେଣ୍ଟ ସଦସ୍ୟଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି।