Livestock plays an important role in rural economy
ନୂଆଦିଲ୍ଲୀ/ଭୁବନେଶ୍ବର/ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥ ମହତାବ ଭବନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଭାସୀ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ କରକମଳରେ ଗୋ-ସମାବେଶ, ଓମଫେଡକୁ ବିପଣନ ସହାୟତା ଏବଂ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମତ୍ସ୍ୟ,ପ୍ରାଣୀପାଳନ ଓ ଡାଏରୀ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ,ଭାରତ ସରକାରଙ୍କ ମାନ୍ୟବର ମତ୍ସ୍ୟ, ପ୍ରାଣୀ ପାଳନ ଓ ଡାଏରୀ ଏବଂ ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି ସିଂହ ବଘେଲ ମଧ୍ୟ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
କାର୍ଯକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ଶ୍ରମ,ନିଯୁକ୍ତି ଓ କର୍ମଚାରୀ ବୀମା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୟୁରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସlରସକଣା ବିଧାୟକ ଭାଦବ ହାଁସଦା,ଏନଡିଡିବି ଅଧ୍ୟକ୍ଷ ଡ଼କ୍ଟର ମିନେଶ ସାହା ଓ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ, ଗ୍ରାମୀଣ ଅର୍ଥନୀତି ଏବଂ ଗ୍ରାମୀଣ ଘରୋଇ ଆୟରେ ପଶୁପାଳନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତରେ ବିଭିନ୍ନ ପ୍ରକାରର ପଶୁପାଳନ ପ୍ରଜାତି ଅଛନ୍ତି। ସେହି ସମସ୍ତ ପ୍ରଜାତି ଦେଶର ସମୃଦ୍ଧ କୃଷି ବିକାଶରେ ସହାୟତା ପ୍ରଦାନ କରିଥାନ୍ତି। ଆମର ପଶୁପାଳନକୁ ବିକଶିତ କରିବା ଏବଂ ପ୍ରୋତ୍ସାହନ ଦେବା ପାଇଁ ପ୍ରଜାତିଗୁଡିକର ବିକାଶ ଏବଂ ପଶୁମାନଙ୍କର ଜେନେଟିକ ଉନ୍ନୟନ ପାଇଁ ସରକାର ଅନେକ ପଦକ୍ଷେପ ଏବଂ ନୀତି ପ୍ରଣୟନ କରିଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ, ପଶୁମାନଙ୍କର ସଂଖ୍ୟା ଏବଂ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଖାଦ୍ୟ ପଦାର୍ଥର ଗୁଣବତ୍ତା ଏବଂ ଦୁଗ୍ଧ ସମେତ ପଶୁମାନଙ୍କଠାରୁ ମିଳୁଥିବା ଅନ୍ୟାନ୍ୟ ସାମଗ୍ରୀର ଉନ୍ନତି ହେବ। ଦେଶର ସମସ୍ତ କ୍ଷେତ୍ରରେ ଏଭଳି ପ୍ରୟାସ ଦ୍ବାରା ଏକ ସୁସ୍ଥ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ସୃଷ୍ଟି ହୋଇପାରିବ।
ଏହି ଅବସରରେ ମୟୁରଭଞ୍ଜର ୩୦୦୦ ଚାଷୀଙ୍କୁ ଦୁଧିଆଳୀ ଗାଈ ପ୍ରଦାନ କରାଯାଇଛି। ୧୯ଟି ବିଦ୍ୟାଳୟକୁ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।
ଅଧିକ ପଢ଼ନ୍ତୁ: ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ରେ ଥିବା ସଂଗ୍ରାମୀଙ୍କୁ ୨୦ ହଜାର ପେନ୍ସନ୍ ସହିତ ମାଗଣା ଚିକିତ୍ସା ସୁବିଧା
Follow Us