ଇସଲାମାବାଦ: ପାକିସ୍ତାନରେ  ଦରଦାମ ବୃଦ୍ଧି ବର୍ତ୍ତମାନ ଶୀର୍ଷରେ ପହଞ୍ଚିଛି। ପରିସ୍ଥିତି ଏତେ ଭୟଙ୍କର ହୋଇଗଲାଣି ଯେ, ପାକିସ୍ତାନୀମାନେ ଦିନକୁ ଦୁଇଥର ଖାଇବା ମଧ୍ୟ କଷ୍ଟକର ହୋଇପଡୁଛି। ସବୁକିଛିର ଦର ଆକାଶଛୁଆଁ ହୋଇଛି। ବିଶେଷକରି ପନିପରିବା ଏବଂ ଫଳ ନେଇ ଲୋକେ ଚିନ୍ତାରେ ଅଛନ୍ତି। ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୬୦୦ ଟଙ୍କାରେ ପହଞ୍ଚିଛି।

Advertisment

ହଠାତ୍ ଦରଦାମ୍ ବୃଦ୍ଧି ଜନସାଧାରଣଙ୍କୁ ବିଚଳିତ କରିଛି।  ଏହାର ପ୍ରଭାବ ପାକିସ୍ତାନ ସଂସଦ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି। କିଛି ସାଂସଦ ଏବେ ଟମାଟୋ କିଣିବା ପାଇଁ ସରକାରୀ ଋଣ ଦାବି କରୁଛନ୍ତି। ଅନେକ ଲୋକ ଭାରତରୁ ଶସ୍ତା ଟମାଟୋ ଆମଦାନିର ଅତୀତର ସ୍ମୃତିକୁ ମଧ୍ୟ ମନେ ପକାଇଛନ୍ତି।

ଆହୁରି ପଢ଼ନ୍ତୁ:Pakistan new missile test speculation: ପାକିସ୍ତାନର ନୂତନ କ୍ଷେପଣାସ୍ତ୍ର ପରୀକ୍ଷଣ ଆକାଶରେ 'ରଙ୍ଗୋଲି' ସୃଷ୍ଟି କରିଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଟମାଟୋ ପ୍ରସଙ୍ଗ ସଂସଦରେ ପହଞ୍ଚିଲା

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ, ଜଣେ ପାକିସ୍ତାନୀ ସାଂସଦ ଟମାଟୋର ବର୍ଦ୍ଧିତ ମୂଲ୍ୟ ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଏଗୁଡ଼ିକୁ ପାଇବା କଷ୍ଟକର। ସେ ଏହି ଟମାଟୋକୁ ୭୫ ଟଙ୍କା ପ୍ରତି କିଲୋଗ୍ରାମରେ ଉପଲବ୍ଧ କରାଇବା ପାଇଁ ତାଙ୍କ ସାଥୀ ସାଂସଦ ଫାରୁକ ସାହେବଙ୍କୁ ଧନ୍ୟବାଦ ଜଣାଇଛନ୍ତି।


ପାକିସ୍ତାନରେ ଟମାଟୋର ମୂଲ୍ୟ ବୃଦ୍ଧି ମୁଖ୍ୟତଃ ପାକିସ୍ତାନ-ଆଫଗାନିସ୍ତାନ ସୀମା ବନ୍ଦ ହେବା ଯୋଗୁ ହେଉଛି। ଅକ୍ଟୋବର ୧୧ ତାରିଖରୁ ସୀମାରେ ସାମରିକ ସଂଘର୍ଷ ଚାଲିଛି ଏବଂ ଆଫଗାନିସ୍ତାନରେ ପାକିସ୍ତାନୀ ବିମାନ ଆକ୍ରମଣ ପରିସ୍ଥିତିକୁ ଆହୁରି  ସଙ୍କଟ ଜନକ କରିଛି। ଇସ୍ତାନବୁଲରେ ହୋଇଥିବା ସାମ୍ପ୍ରତିକ ଶାନ୍ତି ଆଲୋଚନା ମଧ୍ୟ ବିଫଳ ହୋଇଛି, ଯାହା ବାଣିଜ୍ୟ ଉପରେ ଅଧିକ ଚାପ ପକାଇଛି।

ପ୍ରତିଦିନ ୧୦ ଲକ୍ଷ ଡଲାର କ୍ଷତି

ସୀମା ବନ୍ଦ ହେବା ଯୋଗୁ ଉଭୟ ଦେଶ ପ୍ରତିଦିନ ପ୍ରାୟ ୧୦ ଲକ୍ଷ ଡଲାର କ୍ଷତି ସହୁଛନ୍ତି। ପାକିସ୍ତାନ ଏବଂ ଆଫଗାନିସ୍ତାନ ବାର୍ଷିକ ୨୩ ବିଲିୟନ ଡଲାରର ବାଣିଜ୍ୟ କରିଥାନ୍ତି। ଯେଉଁଥିରେ ତାଜା ଫଳ, ପନିପରିବା, ଔଷଧ, ଗହମ, ଚାଉଳ, ଚିନି, ମାଂସ ଏବଂ କ୍ଷୀର ଉତ୍ପାଦ ଅନ୍ତର୍ଭୁକ୍ତ। ଭାରତ ସହିତ ବାଣିଜ୍ୟ ଅବରୋଧ ଯୋଗୁ ପାକିସ୍ତାନ ଆଫଗାନିସ୍ତାନରୁ ଟମାଟୋ ଆମଦାନି କରୁଛି, କିନ୍ତୁ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁ ପ୍ରତି କିଲୋଗ୍ରାମ ଟମାଟୋର ଦର ୬୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଆହୁରି ପଢ଼ନ୍ତୁ:Drinking coffee has become a luxury in America: ଟ୍ରମ୍ପ୍‌ଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁ କଫି ଦର ବଢ଼ିଲା ୫୦%

ଏହା ସହିତ, ପାକିସ୍ତାନରେ ଅନ୍ୟାନ୍ୟ ପନିପରିବାର ଦର ମଧ୍ୟ ଆକାଶଛୁଆଁ ହେବାରେ ଲାଗିଛି। ଏବେ ରସୁଣ କିଲୋ ପିଛା ୪୦୦ ଟଙ୍କା, ଅଦା ୭୫୦ ଟଙ୍କା, ପିଆଜ ୧୨୦ ଟଙ୍କା, ମଟର ୫୦୦ ଟଙ୍କା, କ୍ୟାପ୍ସିକମ୍ ଏବଂ ଭେଣ୍ଡି ୩୦୦ ଟଙ୍କା, କାକୁଡି ୧୫୦ ଟଙ୍କା, ସ୍ଥାନୀୟ ଗାଜର ୨୦୦ ଟଙ୍କା ଏବଂ ଲେମ୍ବୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଧନିଆ ପତ୍ରର ସରୁ ବିଡ଼ା  ୫୦ ଟଙ୍କାରେ ମିଳୁଛି। ଏହାକୁ ନେଇ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।