ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। ଭୋଟ ଶେଷ ହେବା ମାତ୍ରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। ଏନଡିଏ ଆଗୁଆ ରହିଥିବାବେଳେ ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍କା ଲାଗିବ ବୋଲି ଏକ୍ଜିଟ୍ ପୋଲ୍ରେ ଦର୍ଶାଯାଇଛି।
ବିଭିନ୍ନ ଏକ୍ଜିଟ୍ ପୋଲ୍ର ଆକଳନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ମହାୟୁତି ପୁଣି ସରକାର ଗଠନ କରିବ। ସେହିପରି ଝାଡ଼ଖଣ୍ଡରେ ବିଜେପି ମେଣ୍ଟ ସଫଳତା ହାସଲ କରିବ।
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫। ମାଟ୍ରିଜ କରିଥିବା ଏକ୍ଜିଟ୍ ପୋଲ୍ରେ କୁହାଯାଇଛି ଯେ ବିଜେପି ମେଣ୍ଟ ମହାରାଷ୍ଟ୍ରରେ ୧୫୦-୧୭୦ଟି ଆସନ ଜିତିବ। ସେହିପରି କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି ୧୧୦ରୁ ୧୩୦ ଓ ଅନ୍ୟାନ୍ୟ ଦଳ ୮ରୁ ୧୦ଟି ଆସନ ଜିତିବେ।
ମାଟ୍ରିଜ ଅନୁସାରେ ମହାରାଷ୍ଟ୍ରରେ ବିଜେପି ଏକାକୀ ୮୯ରୁ ୧୦୧, କଂଗ୍ରେସ ୩୯ରୁ ୪୭, ଶିବସେନା ୩୭ରୁ ୪୫, ଏନସିପି(ଶରଦ ପାୱାର) ୩୫ରୁ ୪୩, ଶିବସେନା(ଉଦ୍ଧବ ଠାକରେ) ୨୧ରୁ ୨୯ ଓ ଏନସିପି(ଅଜିତ ପାୱାର) ୧୭ରୁ ୨୬ଟି ଆସନ ଜିତିବ।
ପି-ଏମଆରକ୍ୟୁ ଏକ୍ଜିଟ୍ ପୋଲ୍ରେ କୁହାଯାଇଛି ଯେ ବିଜେପି ମେଣ୍ଟ ୧୩୭ରୁ ୧୫୭, ଏମଭିଏ ୧୨୬ରୁ ୧୪୬ ଓ ଅନ୍ୟାନ୍ୟ ଦଳ ୨ରୁ ୮ ଆସନ ଜିତିବେ।
ପିପୁଲ୍ସ ପ୍ଲସ ଏକ୍ଜିଟ୍ ପୋଲ୍ ଅନୁସାରେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୭୫ରୁ ୧୯୫, ଏମଭିଏ ୮୫ରୁ ୧୧୨ ଓ ଅନ୍ୟାନ୍ୟ ଦଳ ୭ରୁ ୧୨ଟି ଆସନ ପାଇବେ।
ଚାଣକ୍ୟ ଷ୍ଟ୍ରାଟେଟିଜ୍ ଏକ୍ଜିଟ୍ ପୋଲ୍ରେ କୁହାଯାଇଛି ମହାରାଷ୍ଟ୍ରରେ ମହାୟୁତି ସରକାରକୁ ଫେରିବ। ଭାଜପା ସହଯୋଗୀ ଦଳ ୧୫୨ ରୁ ୧୬୦ ଆସନ ପାଇବେ। କଂଗ୍ରେସ ମିଳିତ ଇଣ୍ଡିଆ ମେଣ୍ଟ ୧୩୦ ରୁ ୧୩୮ ଆସନ ପାଇବ।
ଅଧିକ ପଢ଼ନ୍ତୁ: ଚୀନ୍ର ଆର୍ଥିକ ପ୍ୟାକେଜ୍ ବୃଥା!: ଟ୍ରମ୍ପଙ୍କ ଭୟରେ ଭାରତର ନିକଟତର ହେଲେ ଜିନପିଙ୍ଗ୍
ସେହିପରି ଝାଡ଼ଖଣ୍ଡରେ ଏନଡିଏ ଆଗୁଆ ରହିଥିବା ବିଭିନ୍ନ ଏକ୍ଜିଟ୍ ପୋଲ୍ରେ ଦର୍ଶାଯାଇଛି। ମାଟ୍ରିଜ୍ ଏକ୍ଜିଟ୍ ପୋଲ୍ରେ ଝାଡ଼ଖଣ୍ଡରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ୪୨ରୁ ୪୭ଟି ଆସନ ମିଳିବ। ସେହିପରି ଇଣ୍ଡିଆ ମେଣ୍ଟକୁ ୨୫ରୁ ୩୦ ଆସନ ମିଳିବ। ଅନ୍ୟାନ୍ୟ ଦଳ ୧ରୁ ୪ଟି ମଧ୍ୟରେ ଆସନ ପାଇବେ ବୋଲି ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ଅଧିକ ପଢ଼ନ୍ତୁ: ଏମ୍ସରେ ଏମଆରଆଇ ପାଇଁ ୩ ବର୍ଷ ଅପେକ୍ଷା: ମିଳିଲା ୭ ସେପ୍ଟେମ୍ବର ୨୦୨୭ ତାରିଖ