ସୋମନାଥ, ୧୧/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟର ‘ସୋମନାଥ ସ୍ବାଭିମାନ ପର୍ବ’ର ଏକ ଅଂଶ ଭାବରେ ସୋମନାଥ ମନ୍ଦିରରେ ‘ଶୌର୍ଯ୍ୟ ଯାତ୍ରା’ରେ ଅଂଶଗ୍ରହଣ କରିଥିଲେ। ସେ ସାରା ଦେଶର କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ। ସୋମନାଥ ମନ୍ଦିରର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଅଗଣିତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ‘ଶୌର୍ଯ୍ୟ ଯାତ୍ରା’ ହେଉଛି ଏକ ଆନୁଷ୍ଠାନିକ ଶୋଭାଯାତ୍ରା। ସ୍ୱାଧୀନତା ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ୧୯୫୧ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ମନ୍ଦିରର ଆଧୁନିକ ପୁନଃର୍ନିମାଣର ୭୫ ବର୍ଷ ପୂରଣ ଅବସରରେ ମଧ୍ୟ ସ୍ବାଭିମାନ ପର୍ବ ପାଳନ ହେଉଛି।

Advertisment

ଡମ୍ବରୁ ନିନାଦରେ ଗଗନପବନ ମୁଖରିତ ହେବା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାସ୍ତାକଡ଼ରେ ଧାଡ଼ି ବାନ୍ଧି ବିପୁଳ ସଂଖ୍ୟାରେ ସ୍ୱାଗତ କରାଯାଇଥିଲା। ଲୋକମାନେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ ଏବଂ ଉତ୍ସାହରେ ‘ମୋଦୀ-ମୋଦୀ’ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ସେ ଦୁଇ ହାତରେ ଡମ୍ବରୁ ଧରି ହାତ ଉପରକୁ ଟେକି ଡମ୍ବରୁ ବଜାଇଥିଲେ।

ଅଧିକପଢ଼ନ୍ତୁ:ଯୁବକଙ୍କୁ ଦଳି ଦେଲା ଦ୍ରୁତଗାମୀ କାର୍, ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

‘ଶୌର୍ଯ୍ୟ ଯାତ୍ରା’ରେ ମୋଦୀ

ରାଜସ୍ଥାନ, ପଞ୍ଜାବ, ମଣିପୁର, ଗୁଜରାଟ ଓ ଅନ୍ୟାନ୍ୟ ଅଞ୍ଚଳର କଳାକାରମାନେ କଳା ପ୍ରଦର୍ଶନ କରିଥିଲେ। ‘ଶୌର୍ଯ୍ୟ ଯାତ୍ରା’ରେ ଅଂଶଗ୍ରହଣ କରିଥିବା କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ। ଶୌର୍ଯ୍ୟ ଯାତ୍ରା ପାଇଁ ଅଣାଯାଇଥିବା ମୋଟ ୧୦୮ଟି ଘୋଡା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହି ଘୋଡାମାନେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିମାଳା ସହ ସାମିଲ ହୋଇ ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସଦ୍‌ଭାବନା ମଇଦାନରେ ଏକ ସାଧାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପ୍ରଧାନମନ୍ତ୍ରୀ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ।

ଅପରାହ୍ଣରେ ପ୍ରଧାନମନ୍ତ୍ରୀ ରାଜକୋଟ ଗସ୍ତରେ ଯିବେ, ଯେଉଁଠାରେ ସେ ଅପରାହ୍ଣ ୧ଟା ୩୫ ସମୟରେ ମାରୱାଡି ବିଶ୍ୱବିଦ୍ୟାଳୟରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ବାଣିଜ୍ୟ ପ୍ରଦ୍‌ର୍ଶନୀକୁ ଉଦଘାଟନ କରିବେ। ଅପରାହ୍ଣ ୨ଟାରେ ସେ କଚ୍ଛ ଓ ସୌରାଷ୍ଟ୍ର ପାଇଁ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରର ମହାତ୍ମା ମନ୍ଦିର ମେଟ୍ରୋ ଷ୍ଟେସନରେ ପହଞ୍ଚି ସେକ୍ଟର ୧୦ଏରୁ ମହାତ୍ମା ମନ୍ଦିର ପର୍ଯ୍ୟନ୍ତ ଅହମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମାର୍ଗର ଶୁଭାରମ୍ଭ କରିବେ।

ଅଧିକପଢ଼ନ୍ତୁ:ସୋମନାଥ ମନ୍ଦିରକୁ ମସଜିଦରେ ପରିଣତ କରିବାକୁ ଚେଷ୍ଟା କରାଯାଇଥିଲା: ପ୍ରଧାନମନ୍ତ୍ରୀ