ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମେୟର ବିନୋଦ ଆଗ୍ରୱାଲ ରକ୍ତଦାନ କରିବା ପାଇଁ ପହଞ୍ଚିଥିଲେ। ଏଥିପାଇଁ ସେ ସର୍ବପ୍ରଥମେ ରକ୍ତଦାନ ପାଇଁ ପଡ଼ିଥିବା ବିଛଣାରେ ଶୋଇଥିଲେ। ପାଖରେ ଛିଡ଼ା ହୋଇଥିବା ଡାକ୍ତର ଇନଜେକସନ ବାହାର କରିଥିଲେ। ଏସବୁ ଦୃଶ୍ୟକୁ ମେୟରଙ୍କ କର୍ମଚାରୀମାନେ ଭିଡିଓ କରିଥିଲେ। ଯେମିତି ଫଟୋ ଓ ଭିଡିଓ ସମାପ୍ତ ହୋଇଥିଲା ମେୟର ରକ୍ତଦାନ ବିଛଣାରୁ ସଙ୍ଗେସଙ୍ଗେ ଉଠିପଡ଼ିଥିଲେ।
ସୂଚନାଯୋଗ୍ୟ, ବିନୋଦ ଅଗ୍ରୱାଲ ବିଜେପି ମୁରାଦାବାଦ ନଗରନିଗମର ମେୟର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ପାର୍ଟି ଅଫିସରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଭାଗ ନେବାକୁ ସେ ପହଞ୍ଚିଥିଲେ। ଏଠାରେ ସେ ରକ୍ତଦାନ ପାଇଁ ପଡ଼ିଥିବା ବିଛଣାରେ ଶୋଇ ରକ୍ତଦାନ ପ୍ରକ୍ରିୟା ଆରମ୍ଭ କରିଥିଲେ।
ଘଟଣାସ୍ଥଳରେ ଥିବା ଡାକ୍ତର ଓ ଉପସ୍ଥିତ ଥିବା ଲୋକଙ୍କୁ ଲାଗିଥିଲା ମେୟର ନିଶ୍ଚୟ ରକ୍ତଦାନ କରିବେ କିନ୍ତୁ ସେଠାରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ଦେଖି ମେୟର ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଡାକ୍ତର ପ୍ରଥମେ ବିନୋଦଙ୍କ ରକ୍ତଚାପ ପରୀକ୍ଷା କରିଥିଲେ। ଏହାପରେ ଇନଜେକସନ ବାହାର କରି ରକ୍ତଦାନ ପ୍ରକ୍ରିୟା ଆରମ୍ଭ କରିଥିଲେ। ମେୟର ଏହି ସମୟରେ ବଲ ଧରି ଜୋରଜୋରରେ ହସିବାକୁ ଲାଗିଥିଲେ। ଆଉ କହିଥିଲେ, ‘ଡାକ୍ତର ସାର ରହିଯାଆନ୍ତୁ। ମୁଁ ରକ୍ତଦାନ କରିବି ନାହିଁ। କେବଳ ଏହି ଅବସରରେ ଯୋଗ ଦେବାକୁ ଆସିଥିଲି।’
ଏହି ଭିଡିଓକୁ ନେଇ ଲୋକେ ବିନୋଦଙ୍କୁ ସମାଲୋଚନା କରୁଥିବା ବେଳେ। ମେୟର ଏହି ଘଟଣାର ସଫେଇ ଦେଇ କହିଛନ୍ତି, ‘ମୁଁ ରକ୍ତଦାନ ପାଇଁ ଡାକ୍ତରଙ୍କୁ କହିଥିଲି। କିନ୍ତୁ ମଧୁମେହ ପାଇଁ ଡାକ୍ତର ମୋ ଠାରୁ ରକ୍ତଗ୍ରହଣ କରି ନଥିଲେ।’
Follow Us