Mumbai businessman loses 58 crore in 'digital arrest' arrest Photograph: (Sambad.in)
ମୁମ୍ବାଇ: ମୁମ୍ବାଇରେ ଏକ ଚାଞ୍ଚଲ୍ୟକର ‘ଡିଜିଟାଲ୍ ଆରେଷ୍ଟ’ ସାଇବର ଠକେଇ ଘଟଣାରେ ଜଣେ ୭୨ ବର୍ଷୀୟ ବ୍ୟବସାୟୀଙ୍କଠାରୁ ୫୮ କୋଟି ଟଙ୍କା ଲୁଟି ନିଆଯାଇଛି। ଏହି ମାମଲାଟି ସାଇବର ଅପରାଧ ଇତିହାସରେ ସର୍ବବୃହତ ବ୍ୟକ୍ତିଗତ କ୍ଷତି ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ମାମଲାର ତଦନ୍ତ କରି ମହାରାଷ୍ଟ୍ର ସାଇବର ବିଭାଗ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।ଏହି ଠକେଇର ଶିକାର ହୋଇଥିବା ବ୍ୟବସାୟୀ ଜଣକ ଷ୍ଟକ୍ ମାର୍କେଟ୍ ସହ ଜଡ଼ିତ। ଅଭିଯୁକ୍ତମାନେ ଅଗଷ୍ଟ ୧୯ରୁ ଅକ୍ଟୋବର ୮ ମଧ୍ୟରେ ଏକାଧିକ ଥର ତାଙ୍କୁ ଫୋନ୍ କରିଥିଲେ ଏବଂ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ସେମାନେ ବ୍ୟବସାୟୀଙ୍କ ନାମ ଏକ ମନି ଲଣ୍ଡରିଂ ମାମଲାରେ ସାମିଲ ଥିବା କହି ତାଙ୍କୁ ଭିଡିଓ କଲରେ ‘ଡିଜିଟାଲ୍ ଆରେଷ୍ଟ’ କରିବାର ଭୟ ଦେଖାଇଥିଲେ।
ଆହୁରି ପଢ଼ନ୍ତୁ: ଫେବ୍ରୁଆରି ୧୫ ତାରିଖରୁ ୨୫ ତାରିଖ ଭିତରେ ହେବ ଯୁକ୍ତ ଦୁଇ ପରୀକ୍ଷା
ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟରେ ପଡ଼ି ବ୍ୟବସାୟୀ ଏବଂ ତାଙ୍କ ପତ୍ନୀ ଭୟଭୀତ ହୋଇପଡ଼ିଥିଲେ। ଅଭିଯୁକ୍ତମାନଙ୍କ ନିର୍ଦ୍ଦେଶରେ ସେ ୫୮.୧୩ କୋଟି ଟଙ୍କା ୧୮ରୁ ଅଧିକ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଆରଟିଜିଏସ୍ ମାଧ୍ୟମରେ ପଠାଇ ଦେଇଥିଲେ। ଠକାମିର ଶିକାର ହୋଇଥିବା ଜାଣିବା ପରେ ସେ ସାଇବର ପୁଲିସରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ସାଇବର ବିଭାଗ ତୁରନ୍ତ ତଦନ୍ତ ଆରମ୍ଭ କରି ଟଙ୍କା ଯାଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ସିଜ୍ କରି ଦେଇଛି। ମାମଲାରେ ଅବଦୁଲ ଖୁଲ୍ଲୀ (୪୭), କେନ୍ଦ୍ରୀୟ ମୁମ୍ବାଇର ଅର୍ଜୁନ କାଦବାସାରା (୫୫) ଏବଂ ତାଙ୍କ ଭାଇ ଜେଠାରାମ (୩୫)ଙ୍କୁ ଗିରଫ କରାଯାଇଛି। ପୁଲିସ ଏହି ଠକେଇର ମୁଖ୍ୟ ଷଡ୍ଯନ୍ତ୍ରକାରୀଙ୍କୁ ଖୋଜୁଛି।
ଆହୁରି ପଢ଼ନ୍ତୁ: ହର୍ଷ ସାଂଘବୀ ହେଲେ ଉପମୁଖ୍ୟମନ୍ତ୍ରୀ, ରିବାବା ଜାଦେଜାଙ୍କ ସମେତ ୧୯ ନୂଆ ମନ୍ତ୍ରୀ ନେଲେ ଶପଥ
Follow Us