ନୂଆଦିଲ୍ଲୀ: ଦେଶରେ ଗତକାଲି ୩ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ଆଉ ୨ଜଣ କରୋନା ଭାଇରସ୍‌ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରାଯିବା ଘଟଣା ଦେଶରେ ଏବେ ଭୟର ଏକ ବାତାବରଣ ସୃଷ୍ଟି କରିଛି। କାରଣ ଚୀନ୍‌ର ଉହାନ୍‌ରେ ପ୍ରକଟ ହୋଇଥିବା ଏହି କରୋନା ଭାଇରସ୍‌ ଏବେ ବିଶ୍ୱର ୬୦ଟି ରାଷ୍ଟ୍ରକୁ ବ୍ୟାପିଯିବା ସହ ୯୦,୦୦୦ରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୩୦୦୦ରୁ ଅଧିକ ଜୀବନ ନେଇ ସାରିଲାଣି।

Advertisment

ଏହି ପରିପ୍ରେକ୍ଷୀରେ ଦେଶବାସୀଙ୍କୁ ଆଶ୍ୱାସନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କରୋନା ଭାଇରସ୍‌କୁ ନେଇ କୌଣସି ଭାରତୀୟ କୌଣସି ପ୍ରକାରର ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ। ଦେଶବାସୀଙ୍କୁ ସୂଚୀତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କରୋନା ଭାଇରସ୍‌ର ମୁକାବିଲା ପାଇଁ ଆମର ପ୍ରସ୍ତୁତିକୁ ନେଇ ସମସ୍ତ କ୍ୟାବିନେଟ ସହଯୋଗୀ ଓ ସମସ୍ତ ରାଜ୍ୟ ସରକାରମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଳୋଚନା କରି ସବୁ ସ୍ତରରୁ ସ୍ଥିତିର ସମୀକ୍ଷା ସେ କରି ସାରିଛନ୍ତି। ତେଣୁ ଏଥିପାଇଁ କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।

ତେବେ, ପ୍ରତ୍ୟେକ ଦେଶବାସୀ ସେମାନଙ୍କ ବ୍ୟକ୍ତିଗତ ସ୍ତରରେ ନିଜ ନିଜର ଆବଶ୍ୟକୀୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। କରୋନା ଭାଇରସ୍‌ର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୨୪x୭ ହେଲଫ୍‌ ଲାଇନ୍‌ ନମ୍ବର ଜାରି କରାଯିବା ସହ ଦେଶର ସମସ୍ତ ଡାକ୍ତରଖାନାମାନଙ୍କୁ ଏଥିପାଇଁ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।