ନୂଆଦିଲ୍ଲୀ: ସର୍ବନିମ୍ନ ମଜୁରି ଲାଗୁ ଦାବି ନେଇ ଚଳିତ ମାସ ୭ ତାରିଖ ଶନିବାର ଦିନ ଅନ୍‌ଲାଇନ୍‌ ପ୍ଲାଟଫର୍ମ ପାଇଁ ଗାଡ଼ି ଚଳାଉଥିବା ଗିଗ୍‌ ଓ ପ୍ଲାଟଫର୍ମ ଶ୍ରମିକମାନେ ଧର୍ମଘଟ କରିବେ। ଏଥିରେ ଓଲା, ଉବର୍‌ ଓ ରାପିଡୋର କର୍ମଚାରୀମାନେ ଭାଗ ନେବେ। ଧର୍ମଘଟ ଦିନ ଚାଳକମାନେ ୬ ଘଣ୍ଟା ପାଇଁ ଅଫ୍‌ଲାଇନ୍‌ ରହିବେ। ଫଳରେ ସେହି ସମୟରେ ଯାତାୟାତ ପାଇଁ କେହି ଗାଡ଼ି ବୁକିଂ କରିପାରିବେ ନାହିଁ। ଧର୍ମଘଟ ସମ୍ପର୍କରେ ତେଲେଙ୍ଗାନା ଗିଗ୍‌ ଆଣ୍ଡ୍‌ ପ୍ଲାଟଫର୍ମ ୱାକର୍ସ ୟୁନିୟନ୍‌ ପକ୍ଷରୁ ସୂଚନା ଦିଆଯାଇଛି।  ସଂଘ ପକ୍ଷରୁ କୁହାଯାଇଛି ଯେ ମୋଟର ଯାନ ଏଗ୍ରିଗେଟର୍‌ ଗାଇଡ୍‌ଲାଇନ୍‌ ୨୦୨୫ ଥିବା ସତ୍ତ୍ବେ ପ୍ଲାଟଫର୍ମଗୁଡ଼ିକ ମନଇଚ୍ଛା ମଜୁରି ଧାର୍ଯ୍ୟ କରୁଛନ୍ତି। 

Advertisment

ସର୍ବନିମ୍ନ ମଜୁରି ଲାଗୁ କରିବାରେ ସରକାର ହସ୍ତକ୍ଷେପ କରିବା ଓ ଘରୋଇ ପଞ୍ଜୀକରଣ ହୋଇଥିବା ଗାଡ଼ିଗୁଡ଼ିକର ବାଣିଜ୍ୟିକ ଅପବ୍ୟବହାରକୁ ରୋକିବାକୁ ମଧ୍ୟ ସଂଘ ଦାବି କରିଛି। ଗତବର୍ଷ ଡିସେମ୍ବର ୩୧ରେ ଲୋକଙ୍କ ପାଖରେ ଭୋଜନ ପହଞ୍ଚାଉଥିବା ଗିଗ୍‌ ଓ ପ୍ଲାଟଫର୍ମ ଶ୍ରମିକମାନେ ଧର୍ମଘଟ କରିଥିଲେ, ଯାହା ଏକ ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଥିଲା। ତାହାର ଗୋଟିଏ ମାସ ପରେ ଅନ୍‌ଲାଇନ୍‌ ଗାଡ଼ି ଚାଳକମାନେ ଧର୍ମଘଟ ଡାକରା ଦେଇଛନ୍ତି।