ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଥିବା   ହିମାଳୟ ରାଜ୍ୟ ନେପାଳ ରଣନୀତିଗତ ଭାବରେ ଅବସ୍ଥିତ। ଅନ୍ତର୍ଜାତୀୟ ଗୁପ୍ତଚର, ଗୁପ୍ତତଥ୍ୟ ସଂଗ୍ରହ ତଥା ମନି ଲଣ୍ଡରିଂ, ଚୋରା ଚାଲାଣ ଏବଂ ନକଲି ମୁଦ୍ରା ଭଳି ବେଆଇନ କାର୍ଯ୍ୟକଳାପ ପାଇଁ ଏହା ଏକ ସୁରକ୍ଷିତ ସ୍ଥାନ। ବନ୍ଧୁତ୍ୱପୂର୍ଣ୍ଣ ତଥା ଶତ୍ରୁ ଦେଶର ଫିଲ୍ଡ ଅପରେଟିଭ୍ ଅବା ଏଜେଣ୍ଟମାନଙ୍କ ପାଇଁ କାଠମାଣ୍ଡୁରେ ପରସ୍ପର ସହିତ ଛକାପଞ୍ଝା ଏକ ସାଧାରଣ କଥା।

Advertisment

ନେପାଳର ସୀମା ଅନେକ ସ୍ଥାନରେ ଖୋଲା ରହିଛି। ଅଧିକନ୍ତୁ, ଚୀନ୍ ସହିତ ଏହାର ଏକ ନିବିଡ ଭୌଗୋଳିକ ସମ୍ପର୍କ ରହିଛି। ନେପାଳ ପାଶ୍ଚାତ୍ୟ ଏବଂ ପୂର୍ବ ଦେଶର ଗୁପ୍ତଚର ଏଜେନ୍ସିଗୁଡିକ ପାଇଁ ଏକ ଆଦର୍ଶ ସ୍ଥାନ ପାଲଟିଛି। ସେମାନଙ୍କର ଗୁପ୍ତଚର କାର୍ଯ୍ୟକଳାପ ଜାରି ରହିଥାଏ। ବ୍ରିଟେନର ଏମଆଇ-୬, ଆମେରିକାର ସିଆଇଏ, ପାକିସ୍ଥାନର ଆଇଏସଆଇ, ଚୀନ୍‌ର ଏମଏସଏସ, ରୁଷିଆର କେଜିବି ଏବଂ ଭାରତର ର’ଏଜେଣ୍ଟମାନେ ଏଠାରେ ଉପସ୍ଥିତ ଥିବା ଖବର  ମଧ୍ୟ ରହିଛି। ତେବେ, ସବୁଠାରୁ କୁଖ୍ୟାତ ହେଉଛି ଆଇଏସଆଇର ଏଜେଣ୍ଟମାନେ ଏଠାରେ ବହୁ ସଂଖ୍ୟାରେ ରହିଥିବା କୁହାଯାଉଛି।

ଭାରତୀୟ ଗୁପ୍ତଚର ଏଜେନ୍ସି  ର’ର ପୂର୍ବତନ ଏଜେଣ୍ଟ ଲକି ବିଷ୍ଟ ନବଭାରତ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ପାକିସ୍ତାନ ଏବଂ ଚୀନ୍ ଅପେକ୍ଷା ନେପାଳ ଭାରତ ପାଇଁ ଏକ ବଡ଼ ବିପଦ। ନେପାଳରେ ଦୁନିଆର ଗୁପ୍ତଚର ସେବାଗୁଡିକର ଏତେ ସଂଖ୍ୟକ ଏଜେଣ୍ଟ ଅଛନ୍ତି ଯେ, ଲାଗୁଛି ନେପାଳରେ କମ୍ ଲୋକ ବାସ କରୁଛନ୍ତି ଏବଂ ଗୁପ୍ତଚର ସେବାର ଅଧିକ ଏଜେଣ୍ଟ ଅଛନ୍ତି।

ଫେବୃଆରୀ ୨୦୦୦ରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଜସୱନ୍ତ ସିଂ ସଂସଦରେ ଭାଷଣ ଦେଇ କହିଥିଲେ, ପାକିସ୍ତାନର ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) ଦ୍ୱାରା ନେପାଳ ଏବଂ ବାଂଲାଦେଶକୁ ଭାରତ ବିରୁଦ୍ଧରେ ହୋଇଥିବା ଅପବ୍ୟବହାର ବିଷୟରେ ଅଟଳ ବିହାରୀ ବାଜପେୟୀ ସରକାର ଜାଣିଛନ୍ତି। ସରକାର ଏନେଇ ଚିନ୍ତିତ ଅଛନ୍ତି।  ନେପାଳରେ ଆଇଏସଆଇ କାର୍ଯ୍ୟକଳାପକୁ ରୋକିବା ସହ ଜଡିତ ପ୍ରସଙ୍ଗ ମଧ୍ୟ ଉଚ୍ଚସ୍ତରରେ ଉଠାଯାଇଥିବା ସେ କହିଥିଲେ।

ଇଏଫଏସଏଏସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ନେପାଳର ଭୌଗୋଳିକ ରାଜନୈତିକ ଗୁରୁତ୍ୱ, ଭାରତ ଏବଂ ଚୀନ୍ ମଧ୍ୟରେ ରଣନୈତିକ ସ୍ଥାନ, ତିବ୍ଦତର ନିକଟତରତା ଏବଂ ଅପେକ୍ଷାକୃତ ଦୁର୍ବଳ ସୁରକ୍ଷା ଭିତ୍ତିଭୂମି ନେପାଳକୁ ବିଶ୍ୱର ବିଭିନ୍ନ ଗୁପ୍ତଚର ଏଜେନ୍ସିମାନଙ୍କର ଗୁପ୍ତ ମିଶନ ପାଇଁ ଏକ ଆଦର୍ଶ ଭୂମିରେ ପରିଣତ କରିଛି। ନିକଟ ଅତୀତରେ, ନେପାଳ ଅଧିକ ସନ୍ତୁଳିତ ବୈଦେଶିକ ନୀତି ଆପଣାଇ ବିଦେଶୀ ପ୍ରଭାବର ଜଟିଳ ୱେବ୍ ସହିତ ମୁକାବିଲା କରିବାକୁ ଚେଷ୍ଟା କରିଛି ।

ସରକାର ଏହାର ଗୁପ୍ତଚର ଏଜେନ୍ସିଗୁଡ଼ିକୁ ମଜବୁତ କରିବାକୁ, ସୀମା ସୁରକ୍ଷାକୁ ସୁଦୃଢ଼ କରିବାକୁ ଏବଂ ‌କୌଣସି ବିଦେଶୀ ଶକ୍ତି ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଅଞ୍ଚଳରେ ଚାଲିଥିବା ଭୌଗୋଳିକ ରାଜନୈତିକ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ନେପାଳ ନିକଟ ଭବିଷ୍ୟତ ପାଇଁ ଅନ୍ତର୍ଜାତୀୟ ଗୁପ୍ତଚରର କେନ୍ଦ୍ରବିନ୍ଦୁ ହୋଇ ରହିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି।

ଇଏଫଏସଏଏସ  ଅନୁଯାୟୀ, ୧୯୮୦ ଦଶକ ମଧ୍ୟ ଭାଗରେ ଆତଙ୍କବାଦୀଙ୍କ ମାଧ୍ୟମରେ ଭାରତକୁ ଟାର୍ଗେଟ କରିବା ପାଇଁ ଆଇଏସଆଇ ନେପାଳକୁ ଦ୍ୱିତୀୟ ଫ୍ରଣ୍ଟ ଭାବରେ ବ୍ୟବହାର କରିବା ଆରମ୍ଭ କରିଥିଲା। ତାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଭାରତରୁ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଗତିବିଧି ପାଇଁ ନେପାଳକୁ ବ୍ୟବହାର କରାଯାଉଥିଲା। ୧୯୯୦ ଦଶକ ମଧ୍ୟଭାଗ ପର୍ଯ୍ୟନ୍ତ ଭାରତରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଏବଂ ନକଲି ମୁଦ୍ରା ଚୋରା ଚାଲାଣରେ ଆଇଏସଆଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

୧୯୯୦ ଦଶକରେ ନେପାଳରେ ଆଇଏସଆଇ କାର୍ଯ୍ୟକଳାପ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ୨୦୧୧ରେ ୱିକିଲିକ୍ସ ଦ୍ବ‌େରା ପ୍ରକାଶିତ ଆମେରିକୀୟ କେବୁଲରେ ଆମେରିକାର ଏକ ସରକାରୀ ରିପୋର୍ଟ ଅନ୍ତର୍ଭୁକ୍ତ ଯାହାକି ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ନେପାଳକୁ ଆଇଏସଆଇ  ବ୍ୟବହାର କରୁଥିବା ଦର୍ଶାଯାଇଥିଲା।

୮ ଜୁଲାଇ ୧୯୯୭ରେ ଭାରତରେ ଅବସ୍ଥାପିତ ତତ୍କାଳୀନ ଆମେରିକା ରାଷ୍ଟ୍ରଦୂତ ଫ୍ରାଙ୍କ ୱିସନରଙ୍କ ଦ୍ବାରା ଦସ୍ତଖତ ହୋଇଥିବା ଏହିପରି ଗୋଟିଏ କେବୁଲରେ ଦାବି କରାଯାଇଛି ଯେ, ୧୯୯୯ ମସିହାରେ ପାକିସ୍ତାନୀ ଆତଙ୍କବାଦୀମାନେ ଇଣ୍ଡିଆନ ଏୟାରଲାଇନ୍ସର ଆଇସି-୮୧୪ ବିମାନକୁ ଅପହରଣ କରିବା ପୂର୍ବରୁ ଆଇଏସଆଇ ନେପାଳକୁ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ରରେ ପରିଣତ କରିଥିଲା।

କେବୁଲରୁ ଜଣାପଡିଛି, ପାକିସ୍ତାନରେ ଆଇଏସଆଇ ଦ୍ୱାରା ସୃଷ୍ଟି ହୋଇଥିବା ଏଭଳି ଏକ ସଂଗଠନ ହେଉଛି ଜମ୍ମୁ-କଶ୍ମୀର ଇସଲାମିକ୍ ଫ୍ରଣ୍ଟ (ଜେକେଆଇଏଫ୍), ଯାହାର କାଠମାଣ୍ଡୁରେ ଏକ ସଦୃଢ ବେସ୍ ଥିଲା। ଆମେରିକାର ରାଷ୍ଟ୍ରଦୂତ କହିଥିଲେ, ଜେକେଆଇଏଫ୍ ନେତା ଜାଭେଦ୍ କ୍ରାୱାହ କାଠମାଣ୍ଡୁରେ ଏକ କାର୍ପେଟ ବ୍ୟବସାୟ ଚଳାଉଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଆଇଏସଆଇ ଏବଂ ଟାଇଗର ମେମୋନଙ୍କ ତରଫରୁ ଜେକେଆଇଏଫ୍ ପାକିସ୍ତାନରୁ ନିୟନ୍ତ୍ରିତ ହୋଇଥିଲା।

୨୪ ଡିସେମ୍ବର ୧୯୯୯ରେ କାଠମାଣ୍ଡୁରୁ ନୂଆଦିଲ୍ଲୀକୁ ଉଡାଣ କରୁଥିବା ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଆଇସି -୮୧୪  ଅପହରଣ ନେପାଳରେ ଆଇଏସଆଇର କାର୍ଯ୍ୟକଳାପକୁ ସ୍ପଷ୍ଟ କରିଥିଲା। ଏହି ବିମାନଟି ଶେଷରେ ଅମୃତସର, ପାକିସ୍ଥାନର ଲାହୋର ଏବଂ ୟୁଏଇର ଦୁବାଇରେ ଅପହରଣକାରୀଙ୍କ ଦ୍ୱାରା ଅଟକିବା ପରେ ଆଫଗାନିସ୍ତାନର କାନ୍ଦାହାରକୁ ନିଆଯାଇଥିଲା। ବିମାନ କାନ୍ଦାହାରରେ ଅବତରଣ କରିବା ପରେ ଆଇଏସଆଇର ଦୁଇଜଣ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ।

ବିମାନଟି କାନ୍ଦାହାରରେ ପହଞ୍ଚିବା ବେଳକୁ ଅପହରଣକାରୀମାନେ ଜଣେ ଯାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା କରିଥିବାବେଳେ ଦୁବାଇରେ ୨୬ ଜଣଙ୍କୁ ଛାଡି ଦିଆଯାଇଥିଲା। କାନ୍ଦାହାରର ଚୟନ ଏକ ସଚେତନ ନିଷ୍ପତ୍ତି ଥିଲା, କାରଣ ଏହା ଆଫଗାନିସ୍ତାନରେ କ୍ଷମତାରେ ଥିବା ଆଫଗାନିସ୍ତାନ ତାଲିବାନର ଗଡ଼ ଥିଲା।

ଏକ ସପ୍ତାହ ଧରି ଚାଲିଥିବା ବିବାଦ ପରେ ଭାରତ ସରକାର ଅପହରଣକାରୀଙ୍କ କଥା ଅନୁସାରେ ତିନିଜଣ ଆତଙ୍କବାଦୀ ମୌଲାନା ମାସୁଦ ଅଜହର, ଅହମ୍ମଦ ଓମାର ସଇଦ ଶେଖ ଏବଂ ମୁସ୍ତାକ୍ ଅହମ୍ମଦ ଜରଗରଙ୍କୁ ମୁକ୍ତ କରିବା ଦାବି ପୂରଣ କରିଥିଲା। ଏହା ପରେ, ବିମାନରେ ଥିବା ବନ୍ଧକମାନେ ୩୧ ଡିସେମ୍ବର ୧୯୯୯ରେ ମୁକ୍ତ ହୋଇଥିଲେ।

ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍(ବିଆରଆଇ) ଆରମ୍ଭ ହେବା ଦିନଠାରୁ ଏହା ମୁଖ୍ୟତଃ ଭିତ୍ତିଭୂମି ପ୍ରକଳ୍ପ ଉପରେ ଧ୍ୟାନ ଦେଇଆସୁଛି। ତେବେ ଚୀନ୍‌ର ଆକ୍ରମଣାତ୍ମକ ଅର୍ଥନୈତିକ ଏକଚାଟିଆ ଅଭିଳାଷ ନେପାଳ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି। ନେପାଳ ଚୀନ୍ ସହିତ ଦୁଇଟି ସୀମା ପଏଣ୍ଟ ଅଂଶୀଦାର କରିଛି। ଏହା ସହିତ ନେପାଳରେ ଚୀନ୍ ନାଗରିକଙ୍କ ଉପସ୍ଥିତିରେ ମଧ୍ୟ ବୃଦ୍ଧି ଘଟିଛି।

୨୦୧୪-୧୫ ପରଠାରୁ, ଚୀନ୍‌ର ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକରେ ଦ୍ରୁତ ବୃଦ୍ଧି ଘଟିଛି। ଏହି ଚୀନ୍ ନାଗରିକମାନେ ନେପାଳରେ ଚୀନ୍ ପାଇଁ ଗୁପ୍ତଚର ଭାବରେ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ନେପାଳ ଏହା ଦ୍ୱାରା ଅସୁବିଧାରେ ପଡିଛି, କିନ୍ତୁ ସେଠାରେ ଥିବା ରାଜନୈତିକ ନେତୃତ୍ୱ ଚୀନ୍ ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି।

ଅଧିକ ପଢ଼ନ୍ତୁ: ନୌସେନା ବୋଟ୍-ଯାତ୍ରୀବାହୀ ବୋଟ୍ ମୁହାଁମୁହିଁ ଧକ୍କା: ୧୦୦ରୁ ଅଧିକ ସୁରକ୍ଷିତ ଉଦ୍ଧାର, ୧୩ ମୃତ

ଗତ ବର୍ଷ ଜୁଲାଇରେ ଭାରତ-ନେପାଳ ସୀମା ପାର ହୋଇ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ପ୍ରବେଶ କରିଥିବା ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ମାତ୍ରେ ମାମଲାା ତଦନ୍ତ ହୋଇଥିଲା। ଏହି ସନ୍ଦିଗ୍ଧ ବ୍ୟକ୍ତି ୩୯ ବର୍ଷ ବୟସ୍କ ୟୋଙ୍ଗସିନ୍ ପେଙ୍ଗ ବୋଲି ଜଣାପଡିଥିଲା। ସେ ଚୀନ୍ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିଲେ।  କାଠମାଣ୍ଡୁ ସିଆଇ,, ଆଇଏସଆଇ, ଏମଆଇ-୬ ଏଜେଣ୍ଟମାନଙ୍କ ପାଇଁ ଏକ ବେସ୍ ପାଲଟି ଥିବାରୁ ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଏକ ଦେଶ,ଏକ ନିର୍ବାଚନ ବିଲ୍: ଜେପିସିରେ ପ୍ରିୟଙ୍କାଙ୍କ ସମେତ ୪କଂଗ୍ରେସ ସାଂସଦ !