Pakistan Threatened India Photograph: (sambad.in)
ଇସଲାମାବାଦ: ବାଂଲାଦେଶ ଉପରେ ନଜର ପକାଇଲେ ଭାରତକୁ ଛାଡ଼ିବୁନି। ଆମେ ନୁହେଁ ଆମ ମିସାଇଲ୍ ଜବାବ ଦେବ। ବାଂଲାଦେଶ ହିଂସାକୁ ନେଇ ଏଭଳି କହିଲେ ପାକିସ୍ତାନ ମୁସଲିମ ଲିଗ ୟୁଥ୍ ୱିଙ୍ଗର ସଭାପତି କାମରାନ ସଇଦ ଉସମାନି। ସମଗ୍ର ବିଶ୍ୱ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଦେଖୁଛି। ବିଶେଷ କରି ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଏବେ ସାରା ବିଶ୍ବକୁ ଥରାଇ ଦେଇଛି। ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କୁ ଦଙ୍ଗାକାରୀମାନେ ପିଟି ପିଟି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଉଲଗ୍ନ ଗଛରେ ଟଙ୍ଗାଇଥିଲେ ଏବଂ ଜାଳି ଦେଇଥିଲେ। ଏହାର ଅନେକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ସାରା ବିଶ୍ବ ନିନ୍ଦା କରୁଥିବା ବେଳେ ସମର୍ଥନ କରିଛନ୍ତି କାମରାନ ସଇଦ ଉସମାନି। ସେ ଭାରତକୁ ଆକ୍ରମଣର ଧମକ ଦେଇଛନ୍ତି।
"ଅଖଣ୍ଡ ଭାରତ" ଚିନ୍ତାଧାରା ଲାଗୁ କରିପାରିବ ନାହିଁ ଭାରତ
ସେ କହିଛନ୍ତି ଯେ, ବାଂଲାଦେଶ ଉପରେ "ଅଖଣ୍ଡ ଭାରତ" ଚିନ୍ତାଧାରା ଲାଗୁ କରିପାରିବ ନାହିଁ ଭାରତ। ଆମେ ଏହାକୁ ସହ୍ୟ କରିବୁ ନାହିଁ। ଭାରତକୁ ଦେଇଥିବା ଧମକରେ, ଉସମାନି ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଏକ ଆନୁଷ୍ଠାନିକ ସାମରିକ ମେଣ୍ଟ ପାଇଁ ଆହ୍ୱାନ ଦେଇଛନ୍ତି। ଉସମାନି ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି ଯେ, ବାଂଲାଦେଶକୁ ଭାରତର "ଆଦର୍ଶଗତ ପ୍ରାଧାନ୍ୟ" ଆଡ଼କୁ ଠେଲି ଦିଆଯାଉଛି, ଯାହାକୁ ପାକିସ୍ତାନ ଗ୍ରହଣ କରିବ ନାହିଁ। ଯଦି ଭାରତ ବାଂଲାଦେଶ ଉପରେ ଆକ୍ରମଣ କରେ କିମ୍ବା ଏହାର ସାର୍ବଭୌମତ୍ୱ ଉପରେ କୁଦୃଷ୍ଟି ପକାଏ, ତେବେ ପାକିସ୍ତାନ କଡ଼ା ଜବାବ ଦେବ।
ପାକିସ୍ତାନୀ କ୍ଷେପଣାସ୍ତ୍ର ଭାରତକୁ ଜବାବ ଦେବ
ଅପରେସନ ସିନ୍ଦୂର ସମୟରେ ଭାରତଠାରୁ ପରାଜୟବରଣ କରିଥିବା ପାକିସ୍ତାନର ଉସମାନି ଧମକ ଦେଇ କହିଛନ୍ତି ଯେ, "ଏବେ, ଯଦି କେହି ବାଂଲାଦେଶ ଉପରେ କୁଦୃଷ୍ଟି ପକାଏ, ତେବେ ପାକିସ୍ତାନୀ ଜନତା, ଏହାର ସେନା ଏବଂ ପାକିସ୍ତାନୀ କ୍ଷେପଣାସ୍ତ୍ର ଏହାର ଜବାବ ଦେବ।"
ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍ ଏକାଠି ଭାରତ ଉପରେ ଆକ୍ରମଣ କଲେ ବିଜୟ ନିଶ୍ଚିତ
ଭିଡିଓରେ ଉସମାନି ଗର୍ବର ସହିତ କହିଛନ୍ତି ଯେ, ଯଦି ପାକିସ୍ତାନ, ବାଂଲାଦେଶ ଏବଂ ଚୀନ୍ ମିଳିତ ଭାବରେ ଭାରତ ଉପରେ ଆକ୍ରମଣ କରେ, ତେବେ ବିଜୟ ନିଶ୍ଚିତ। ଯଦି ପାକିସ୍ତାନ ପଶ୍ଚିମ ଦିଗରୁ ଆକ୍ରମଣ କରେ, ବାଂଲାଦେଶ ପୂର୍ବ ଦିଗରୁ ଓ ଚୀନ୍ ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଉପରେ ଧ୍ୟାନ ଦିଏ, ତେବେ ବିଜୟ ସମ୍ଭବ।"
ଆହୁରି ପଢ଼ନ୍ତୁ: Russia Advice Bangladesh: ଭାରତ ସହ ଯଥାଶୀଘ୍ର ସମ୍ପର୍କ ସୁଧାରିବା ପାଇଁ ବାଂଲାଦେଶକୁ କହିଲା ରୁଷ୍
Follow Us