ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନର ପ୍ରଥମ ଭାଗ ହୋହଲ୍ଲା ଓ ମୁଲତବୀ ଭିତରେ ଶେଷ ହୋଇଥିଲା। ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେଉଥିବା ଦ୍ବିତୀୟ ଭାଗ ଏପ୍ରିଲ ମାସ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏହା ଖୁବ୍ ରୋଚକପୂର୍ଣ୍ଣ ହେବାକୁ ଯାଉଛି ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ବିରତି ପରେ ଗୃହ ପୁନର୍ବାର ଆରମ୍ଭ ହେଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବହିଷ୍କାର ଉପରେ ବିତର୍କ ହେବ। ଦ୍ବିତୀୟ ଭାଗରେ ସରକାର ଅନେକ ଗୁଡ଼ିଏ ବିଲ୍ ପାରିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଚଳିତ ବର୍ଷ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ ଓ କେରଳ ପରି ୪ ରାଜ୍ୟ ସହିତ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ଗୁଡ଼ିଏ ବିଲ୍ ପାରିତ କରିବାକୁ ଯାଉଛନ୍ତି। ଏଥିରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଲ୍ ମଧ୍ୟ ରହିଛି। ସେହି ବିଲ୍ଟି ଅଧିକ କହିବାକୁ ରିଜିଜୁ ମନା କରିଦେଇଛନ୍ତି।ଏଥର ବିରୋଧୀ ଦଳମାନେ ଅଧିକ ହୋହଲ୍ଲା କଲେ ସେମାନଙ୍କ ବିରୋଧରେ ସରକାର ଗିଲୋଟିନ୍ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଏବଂ ଭୋଟ୍ ମାର୍ଚ୍ଚ ୯ ତାରିଖରେ ନିଆଯିବ ବୋଲି ରବିବାର ରିଜିଜୁ ସୂଚନା ଦେଇଛନ୍ତି।
ବିରୋଧୀ ଦଳ ତାଙ୍କୁ ପଦରୁ ବହିଷ୍କାର ପାଇଁ ପ୍ରସ୍ତାବ ଆଗତ କରିବାର କିଛି ଘଣ୍ଟା ପରେ ବାଚସ୍ପତି ଗୃହର ଅଧ୍ୟକ୍ଷତା ଅଧିକାରୀ ଭାବରେ ତାଙ୍କ ଭୂମିକାରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ଯଦି ବିରୋଧୀ ଦଳଗୁଡ଼ିକ ଅଧିବେଶନର ଦ୍ବିତୀୟ ଭାଗରେ ପ୍ରଥମ ଭାଗ ପରି ହୋହଲ୍ଲା ଜାରି ରଖନ୍ତି ତେବେ ତାହା ସେମାନଙ୍କ ପାଇଁ କ୍ଷତିକାରକ ହେବ ବୋଲି ରିଜିଜୁ କହିଛନ୍ତି। ସୂଚନାଯୋଗ୍ୟ, ଜାନୁଆରି ୨୮ ତାରିଖରେ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ଫେବ୍ରୁଆରି ୧୨ରେ ମୁଲତବୀ ଘୋଷଣା କରାଯାଇଥିଲା।
ଅରୁଣାଚଳ ପଶ୍ଚିମ ଗସ୍ତରେ ଯାଇଛନ୍ତି ରିଜିଜୁ
ରିଜିଜୁ ବର୍ତ୍ତମାନ ତାଙ୍କ ସଂସଦୀୟ କ୍ଷେତ୍ର ଅରୁଣାଚଳ ପଶ୍ଚିମ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଥିଲେ ଯେ, ଅଧିବେଶନର ଦ୍ୱିତୀୟ ଭାଗରେ, ସରକାର ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟଗୁଡ଼ିକୁ ଚିହ୍ନଟ କରିବାକୁ ଯୋଜନା କରିଛନ୍ତି। ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ସରକାର ରାଜ୍ୟସଭାରେ ଆଲୋଚନା ପାଇଁ ପାଞ୍ଚଟି ମନ୍ତ୍ରଣାଳୟ ଏବଂ ଲୋକସଭା ପାଇଁ ପାଞ୍ଚଟି ମନ୍ତ୍ରଣାଳୟ ଚୟନ କରିବେ। ଦ୍ବିତୀୟ ଭାଗ ଖୁବ୍ ମଜାଦାର ହେବ ବୋଲି ରିଜିଜୁ କହିଛନ୍ତି। ଯଦି ବିରୋଧୀ ଦଳ ଗୃହ କାର୍ଯ୍ୟ ଚାଲିବାକୁ ନଦିଅନ୍ତି, ତେବେ ଆମେ ଗିଲୋଟିନ୍ ବ୍ୟବହାର କରିବୁ। ଏହା ସେମାନଙ୍କ ପାଇଁ କ୍ଷତି ହେବ ବୋଲି ସେ କହିଛନ୍ତି।
ଆହୁରି ପଢନ୍ତୁ - Tejas Hospitalised In Mumbai: ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ୍ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ: ହସ୍ପିଟାଲରେ ଚିକିତ୍ସାଧୀନ
Follow Us