ଭିୱାଡି: ସୋମବାର ସକାଳେ ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିର ଖୁସଖେଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏକ ଘରୋଇ ରାସାୟନିକ କାରଖାନାରେ ଶକ୍ତିଶାଳୀ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ବହୁ ଶ୍ରମିକ ଏବେ ବି ଭିତରେ ଫସି ରହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦୁର୍ଘଟଣାରେ ସାତ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭିତରେ ଫସି ରହିଥିବା ଶ୍ରମି୍କମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଘଟଣା ସମୟରେ କାରଖାନାରେ ୨୦ ରୁ ୨୫ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଜୀବନ ବଞ୍ଚାଇ ବାହାରକୁ ପଳାଇବାରେ ସଫଳ ହୋଇଥିବା କୁହାଯାଉଛି।

Advertisment

ଅଧିକପଢ଼ନ୍ତୁ:ଓୟେ ଉପରେ ଲାଗିବ ପ୍ରତିବନ୍ଧକ, ଏବେ ପଞ୍ଜାବ ପୁଲିସ କହିବେ ସାର୍-ମାଡାମ୍; ମରିୟମ ନୱାଜଙ୍କ ନିର୍ଦ୍ଦେଶ

କାରଖାନା କିଛି ମାସ ଧରି ବନ୍ଦ ଥିଲା

ରିପୋର୍ଟ ଅନୁଯାୟୀ କାରଖାନାଟି କିଛି ମାସ ଧରି ବନ୍ଦ ଥିଲା। ସେଥିରେ କାର୍ଡବୋର୍ଡର ବହୁ ପରିମାଣର ଗଚ୍ଛିତ ଥିଲା। ଘଟଣାସ୍ଥଳରେ ଥିବା ଶ୍ରମିକମାନେ କାରଖାନା ଭିତରେ ତିନିରୁ ଚାରୋଟି ଜୋରଦାର ବିସ୍ଫୋରଣ ଶୁଣିବା ସହ ନିଆଁ ଲାଗିବା ସୂଚନା ଦେଇଥିଲେ। ବିସ୍ଫୋରଣ ଓ ଅଗ୍ନିକାଣ୍ଡର ସଠିକ୍ କାରଣ ବର୍ତ୍ତମାନ ଅସ୍ପଷ୍ଟ। ଏହାର ତଦନ୍ତ ଜାରି ରହିଛି। ବାହାରକୁ ଅଣାଯାଇଥିବା ମୃତଦେହଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ମାନବ କଙ୍କାଳରୁ ତାହା କାହାର ଚିହ୍ନଟ କରିବା କଷ୍ଟକର ହେଉଛି।

ପୂର୍ବାହ୍ନ ୯:୨୨ରେ ବାଜିଲା ମୃତ୍ୟୁର ସାଇରନ୍

ଖୁସଖେଡା ଶିଳ୍ପ ଅଞ୍ଚଳର ପ୍ଲଟ୍ ନମ୍ବର ଜି-୧-୧୧୮-ବି ରେ ଏହି ଦୁର୍ଘଟଣା ଘଟିଛି। ସକାଳେ, ଶ୍ରମିକମାନେ କାମରେ ବ୍ୟସ୍ତ ଥିବା ସମୟରେ, କାରଖାନାର ଏକ ଅଂଶରୁ ହଠାତ୍ ନିଆଁ ଉଠିବାକୁ ଲାଗିଲା। ପୁଲିସ ନିୟନ୍ତ୍ରଣ କକ୍ଷ ପୂର୍ବାହ୍ନ ୯:୨୨ରେ ରେ ଏକ ରିପୋର୍ଟ ପାଇଥିଲା। କାରଖାନାରେ ସାଇରନ୍ ବାଜି ଉଠିଥିଲା। ଏନେଇ ଅଗ୍ନିଶମ ବାହିନୀକୁ ତୁରନ୍ତ ସତର୍କ କରାଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, କାରଖାନା ଭିତରେ ଗଚ୍ଛିତ ରାସାୟନିକ ପଦାର୍ଥ କିମ୍ବା ଜ୍ୱଳନଶୀଳ ପଦାର୍ଥ ଯୋଗୁଁ ନିଆଁ କିଛି ମିନିଟ୍ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ଏହା ସମଗ୍ର କୋଠାକୁ ଗ୍ରାସ କରିଦେଇଥିଲା।

ଜଳନ୍ତା ପାଉଁଶ ମଧ୍ୟରୁ ପ୍ରିୟଜନଙ୍କୁ ଖୋଜୁଛନ୍ତି ଲୋକେ

ନିଆଁର ଶିଖା ଦୂରକୁ ଦେଖାଯାଉଥିଲା। ଚାରିଆଡ଼େ କଳାଧୂଆଁ ବ୍ୟାପି ଯାଇଥିଲା। ସୂଚନା ପାଇବା ପରେ ପୁଲିସ, ଅଗ୍ନିଶମ ଗାଡ଼ି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯେତେବେଳେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରି କୋଠାରେ ପ୍ରବେଶ କରିଥିଲେ, ସେତେବେଳେ ଦୃଶ୍ୟ ଭୟଙ୍କର ଥିଲା। ଘଟଣାସ୍ଥଳରେ ଶ୍ରମିକଙ୍କ ଜଳିଯାଇଥିା ମୃତଦେ ପଡ଼ି ରହିଥିଲା।ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ମାନବ କଙ୍କାଳ ପରି ଥିଲା, ସେଥିରୁ ନିଆଁର ତୀବ୍ରତା ଅନୁମାନ କରାଯାଇପାରିଛି। ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଆହତମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ପଠାଯାଇଛି। ‌ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ନିଖୋଜ ଥିବା ପ୍ରିୟପରିଜନଙ୍କୁ ଲୋକେ ଲୁହଭରା ଆଖିରେ ଉଦ୍ଧାରକାରୀ ଦଳଙ୍କ ସହ ମିଶି ପାଉଁଶ ମଧ୍ୟରୁ ଖୋଜିବା ଜାରି ରଖିଛନ୍ତି।

ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ, ଶ୍ରମିକ ଆତଙ୍କିତ

ଏହି ଘଟଣା ପରେ ସମଗ୍ର ଭିୱାଡି ଓ ଖୁଶଖେଡା ଶିଳ୍ପାଞ୍ଚଳରେ ଶୋକ ତଥା ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଶ୍ରମିକଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ସୂଚିତ କରିଛି। ପ୍ରାରମ୍ଭିକ ତଦନ୍ତରୁ ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ୍ ବୋଲି ଅନୁମାନ କରାଯାଉଛି। କିନ୍ତୁ କାରଖାନାରେ ଅଗ୍ନି ନିରାପତ୍ତା ମାନଦଣ୍ଡକୁ ଅଣଦେଖା କରାଯାଇଥିଲା କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଘଟଣାସ୍ଥଳରେ ପହଞ୍ଚିଥିବା ପ୍ରଶାସନିକ ଅଧିକାରୀ ଓ ଡାକ୍ତରଙ୍କ ଏକ ଦଳ ଉଦ୍ଧାର କାର୍ଯ୍ୟକୁ ଜୋରଦାର୍ କରିଛନ୍ତି। ପୁଲିସ ମୃତକଙ୍କ ପରିବାର ସହିତ ଯୋଗାଯୋଗ କରୁଛି । ମୃତଦେହଗୁଡ଼ିକୁ ଚିହ୍ନଟ କରିବାକୁ ଚେଷ୍ଟାଜାରି ରହିଛି।

ଅଧିକପଢ଼ନ୍ତୁ:ମାଗନସ୍‌ କାର୍ଲସନ ଫ୍ରିଷ୍ଟାଇଲ୍‌ ଚେସ୍‌ ବିଶ୍ବ ଚାମ୍ପିୟନ