Renuka Chowdhury Reaction Photograph: (sambad.in)
ନୂଆଦିଲ୍ଲୀ: ଚର୍ଚ୍ଚାରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ। ତାଙ୍କ ଗାଡ଼ିରେ ସଂସଦ ପରିସରକୁ ବୁଲା କୁକୁର ଆଣିବା ପରେ ବିବାଦୀୟ ହୋଇ ପଡ଼ିଛନ୍ତି ରେଣୁକା। ଏନେଇ ରାଜ୍ୟସଭାରେ ତାଙ୍କ ବିରୋଧରେ ଏକ ବିଶେଷାଧିକାର ପ୍ରସ୍ତାବ ଆଗତ ହୋଇପାରେ ବୋଲି ସୂଚନା ମିଳୁଛି।
ଏମଧ୍ୟରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭୌ-ଭୌ ବୋଲି କହୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ବିବାଦକୁ ନେଇ ପ୍ରଶ୍ନ କରୁଛନ୍ତି। ଏହା ଶୁଣି ରେଣୁକା ଉତ୍ତର ଦେଉଛନ୍ତି, "ଭୌ- ଭୌ...ଆଉ କ’ଣ ଉତ୍ତର ଦେବି। ପଳାଅ ଏଠୁ।" ଏଭଳି କହି ସେ ଚାଲିଯାଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପଛେ ପଛେ ଦୌଡ଼ିବାରୁ ସେ ଅଟକି ଯାଉଛନ୍ତି। ତାଙ୍କ ଅଟକିବା ଦେଖି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରୁଛନ୍ତି, "ଆପଣଙ୍କ ବିରୋଧରେ ବିଶେଷାଧିକାର ପ୍ରସ୍ତାବ ଆଗତ ହୋଇପାରେ ବୋଲି କୁହାଯାଉଛି। ଏହା ଉପରେ କ’ଣ କହିବେ?" ପ୍ରଶ୍ନ ଶୁଣି ରେଣୁକା କହୁଛନ୍ତି, "ଯେତେବେଳେ ଆସିବ ସେତେବେଳେ ଦେଖିବି କ’ଣ କରିବି। ସେମାନଙ୍କୁ ମୁହଁତୋଡ଼ ଜବାବ ଦେବି।" ଏଭଳି କହି ସେ ସେଠାରୁ ଚାଲିଯାଉଛନ୍ତି।
ଅଟଳଜୀ ମଧ୍ୟ ଏକ ବଳଦ ଗାଡ଼ିରେ ସଂସଦକୁ ଆସିଥିଲେ
ରେଣୁକା ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଯଦି ସେମାନେ ବିଶେଷ ଅଧିକାର ଉଲ୍ଲଂଘନ ପାଇଁ ମୋ ବିରୋଧରେ ଏକ ପ୍ରସ୍ତାବ ଆଣିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ କରିବାକୁ ଦିଅ। ଏହା ମୋ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ବଳଦ ଗାଡ଼ିରେ ସଂସଦକୁ ଆସିଥିଲେ। ହିନ୍ଦୁ ଧର୍ମରେ କୁକୁରର ବହୁତ ଗୁରୁତ୍ୱ ଅଛି। ଏପରି କୌଣସି ନିୟମ ନାହିଁ ଯାହାକୁ ମୁଁ ଉଲ୍ଲଂଘନ କରିଛି।"
ସଂସଦ ଭିତରକୁ କାହିଁକି ଏକ କୁକୁର ଆଣିଥିଲେ ରେଣୁକା ଚୌଧୁରୀ?
କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ସୋମବାର ଦିନ ତାଙ୍କ କାରରେ ଏକ ବୁଲା କୁକୁର ଧରି ସଂସଦରେ ପହଞ୍ଚିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଶାସକ ଦଳର ସାଂସଦମାନେ ତାଙ୍କ ଉପରେ ନାଟକ କରୁଥିବା ଅଭିଯୋଗ କରିଥିଲେ। ବିବାଦ ମଧ୍ୟରେ ରେଣୁକା କହିଥିଲେ ଯେ, "କୁକୁର ନୁହେଁ, ସଂସଦ ଭିତରେ ବସିଥିବା ଲୋକମାନେ କାମୁଡ଼ନ୍ତି। ବୁଲା କୁକୁରକୁ ଉଠାଇ ପଶୁଚିକିତ୍ସକଙ୍କ ପାଖକୁ ନେଉଥିବା ବେଳେ ସଂସଦ ଭବନକୁ ଚାଲିଗଲି। ଏହାକୁ ନେଇ ଏତେ ବିବାଦ କାହିଁକି? ସରକାର ପ୍ରାଣୀମାନଙ୍କୁ ପସନ୍ଦ କରନ୍ତି ନାହିଁ। ବୁଲା କୁକୁରମାନଙ୍କୁ ଉଦ୍ଧାର କରିବା ପାଇଁ କୌଣସି ଆଇନ ନାହିଁ।"
ଆହୁରି ପଢ଼ନ୍ତୁ: Imran Khan Attack: ମୋତେ ହତ୍ୟା କରିବା ଛଡ଼ା ଆଉ କୌଣସି ବିକଳ୍ପ ନାହିଁ: ଇମ୍ରାନ
Follow Us