ୟୁକ୍ରେନରେ ରୁଷିଆର ବଡ଼ ଧରଣର ଆକ୍ରମଣ

ଶନିବାର ପ୍ରତ୍ୟୁଷରେ ରୁଷିଆ କିଭ୍ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ବଡ଼ ଧରଣର ଆକ୍ରମଣ କରିଛି। ଫଳରେ ସୁରକ୍ଷା ଲାଗି ଲୋକଙ୍କୁ ମେଟ୍ରୋ ଷ୍ଟେସନଗୁଡ଼ିକରେ ଆଶ୍ରୟ ନେବାକୁ ପଡିଛି। ଦୁଇଦେଶ ମଧ୍ୟରେ କଏଦୀ ଅଦଳବଦଳର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା...

Russia's massive invasion of Ukraine

Russia's massive invasion of Ukraine Photograph: (sambad.in)

କିଭ୍: ଶନିବାର ପ୍ରତ୍ୟୁଷରେ ରୁଷିଆ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସାହାଯ୍ୟରେ ଏକ ବଡ଼ ଆକ୍ରମଣ କରିଛି। ଯାହା ଫଳରେ ସହର ସାରା ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ଜୀବନ ବଞ୍ଚାଇବା ପାଇଁ ଜନସାଧାରଣ ଭୂତଳ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଛନ୍ତି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ କଏଦୀ ବିନିମୟ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା । ଗତ ସପ୍ତାହରେ ଇସ୍ତାନବୁଲରେ ଏକ ବୈଠକରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବିନିମୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟର ଅଂଶ ସ୍ୱରୂପ ଶହ ଶହ ସୈନିକ ଏବଂ ସାଧାରଣ ଲୋକଙ୍କୁ ମୁକ୍ତ କରାଯାଇଥିଲା।

କିଭ୍ ସାମରିକ ପ୍ରଶାସନର କାର୍ଯ୍ୟକାରୀ ମୁଖ୍ୟ ତୈମୁର ତକାଚେଙ୍କୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମରେ କହିଛନ୍ତି ଯେ, ଶନିବାର ପ୍ରତ୍ୟୁଷରେ ଆକାଶରେ ଅଟକା ଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ର ଭଗ୍ନାବଶେଷ ସହରର ଚାରୋଟି ଜିଲ୍ଲାରେ ପଡ଼ିଛି। ତକାଚେଙ୍କୋଙ୍କ ଅନୁଯାୟୀ, ଆକ୍ରମଣ ପରେ ଛଅ ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଭ୍‌ର ସୋଲୋମିୟାନ୍‌ସ୍କି ଜିଲ୍ଲାରେ ଦୁଇଟି ବୋମା ଏବଂ କ୍ଷେପଣାସ୍ତ୍ର ମାଡ଼ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।
 

ସ୍ଥାନୀୟ ବାସିନ୍ଦା କହିଛନ୍ତି, ସହରରେ ବୋମାମାଡ଼ ସହିତ ସା‌ଇରନ୍ ବାଜିବା ଲାଗିଥିଲା। ବହୁ ଆପାର୍ଟମେଣ୍ଟ କ୍ଷତିଗ୍ରସ୍ତ ହୋଇଛି। କେତେକ ଘର ଭୁଶୁଡ଼ି ପଡ଼ିଛି। 

ରୁଷିଆ ଆକ୍ରମଣ ପୂର୍ବରୁ , ସହରର ମେୟର ଭିଟାଲି କ୍ଲିଟସ୍କୋ କିଭ୍ ବାସିନ୍ଦାଙ୍କୁ ସତର୍କ କରାଇ ଦେଇଥିଲେ ଯେ, ୨୦ ରୁ ଅଧିକ ରୁଷିଆ ଡ୍ରୋନ୍ କିଭନ ଆଡକୁ ମୁହାଁଇଛନ୍ତି। ସେ କହିଛନ୍ତି, ଆକ୍ରମଣ ସମୟରେ ନଷ୍ଟ କରାଯାଇଥିବା ଡ୍ରୋନ୍‌ର ଭଗ୍ନାବଶେଷ କିଭ୍‌ର ଓବୋଲୋନ୍ ଜିଲ୍ଲାରେ ଏକ 'ସପିଂ ମଲ୍' ଏବଂ ଏକ ଆବାସିକ କୋଠା ଉପରେ ପଡ଼ିଥିଲା। କ୍ଲିଟସ୍କୋ କହିଛନ୍ତି, ଜରୁରୀକାଳୀନ ସେବା ଘଟଣାସ୍ଥଳରେ ଜାରି ରହିଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧,୦୦୦ କଏଦୀଙ୍କ ଅଦଳ ବଦଳ ହେବାକୁ ଯାଉଛି ଏବଂ ଏହାର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଥିଲା। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୩୯୦ଜଣ ୟୁକ୍ରେନୀୟ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।  

ସପ୍ତାହାନ୍ତରେ ଆହୁରି ଅଧିକ ଲୋକ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଆମେ ୟୁକ୍ରେନକୁ ସମାନ ସଂଖ୍ୟକ କଏଦୀଙ୍କୁ ଫେରାଇ ଦେଇଛୁ। ଜଣେ ୟୁକ୍ରେନୀୟ ଅଧିକାରୀ କହିଛନ୍ତି, ଏହି ବିନିମୟ ବେଲାରୁଷ ସୀମାରେ ଥିବା ଉତ୍ତର ୟୁକ୍ରେନରେ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ମାଆ ! ମୁଁ ଚିପ୍ସ ଚୋରି କରିନି... ମୁଁ ଚୋର ନୁହେଁ... ରାତିରେ ଖାତାରେ ଲେଖି ବିଷ ପିଇଦେଲା ସପ୍ତମ ଶ୍ରେଣୀର ଛାତ୍ର

ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ରିପୋର୍ଟ କରିଛି, ମୁକ୍ତ ହୋଇଥିବା ରୁଷୀୟମାନଙ୍କୁ ଚିକିତ୍ସା ପାଇଁ ବେଲାରୁଷ ନିଆଯାଇଛି। ଶୁକ୍ରବାର ଦିନ ଯେତେବେଳେ ମୁକ୍ତ ହୋଇଥିବା ଲୋକମାନେ ମେଡିକାଲ୍ ଭିତରକୁ ପ୍ରବେଶ କରିଥିଲେ, ସେମାନେ ନିଜ ନିଜ ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ନାମ ଏବଂ ଫଟୋଥିବା ପ୍ଲାକାର୍ଡ ଧରିଥିଲେ। ସେମାନେ ସେମାନଙ୍କର ପ୍ରିୟଜନଙ୍କ ନାମ ଧରି ଡାକିଥିଲେ।

ଅଧିକ ପଢ଼ନ୍ତୁ: ଖଡ଼ିଆଳ ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଭିଜିଲାନ୍ସ ଦ୍ବାରା ଗିରଫ

Russia | russia-ukraine-war | Ukraine

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe