ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଆସନ୍ତା ବର୍ଷ ଜାନୁଆରିରେ ଓଡ଼ିଶା ଆସିବେ। ରାଷ୍ଟ୍ରପତି ଶ୍ରୀ ସନଗୁମରତ୍ନମଙ୍କ ଓଡ଼ିଶା ଗସ୍ତ ନେଇ ସିଙ୍ଗାପୁର ହାଇକମିସନର ସିମୋନ୍ ୱଙ୍ଗ୍ ଆଜି ଲୋକସେବା ଭବନରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ୱଙ୍ଗ୍ କହିଛନ୍ତି ଯେ, ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ସନଗୁମରତ୍ନମ ଓଡ଼ିଶା ଗସ୍ତରେ ଆସିବେ। ସିଙ୍ଗାପୁର ଓ ଭାରତର ୬୦ ବର୍ଷ କୁଟନୈତିକ ସଂପର୍କ ଅବସରରେ ଏହି ଗସ୍ତ ହେଉଛି।
ଏହି ଖବର ପଢ଼ନ୍ତୁ: ପ୍ରବାସୀ ଓଡ଼ିଆ, ଶିଳ୍ପପତିଙ୍କୁ ଭେଟିଲେ
ସିଙ୍ଗାପୁର ହାଇକମିସନର ସିମୋନ୍ ୱଙ୍ଗ୍ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତି ଆସନ୍ତା ଜାନୁଆରି ୨୮ ତାରିଖ ଠାରୁ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ଦୁଇଦିନିଆ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା-୨୦୨୫ରେ ଯୋଗଦେବେ। ପେଟ୍ରୋକେମିକାଲ୍ସ, ଗ୍ରୀନ ଏନାର୍ଜି, ସହରାଞ୍ଚଳ ଯୋଜନା ଓ ଦକ୍ଷତା ବିକାଶ ପ୍ରକଳ୍ପ ଉପରେ କାମ ହେବ।
ଏହି ଖବର ପଢ଼ନ୍ତୁ: ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୧୧୧ କୋଟି ଖର୍ଚ୍ଚ
ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାଲକ୍ସ କମ୍ପ୍ଲେକ୍ସ ଓ ଟୁଆସ ବନ୍ଦର ମଡେଲ୍ରେ ପାରାଦୀପ ବନ୍ଦରର ବିକାଶ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ରାଷ୍ଟ୍ରପତି ଶ୍ରୀ ସନଗୁମରତ୍ନମଙ୍କ ଓଡ଼ିଶା ଗସ୍ତ ବେଶ୍ ଗୁରୁତ୍ବ ରଖୁଛି।
ଏହି ଖବର ପଢ଼ନ୍ତୁ: ଅସଦଙ୍କ ଭଳି ଖାମେନି ସାମ୍ରାଜ୍ୟ ଧ୍ବଂସ ଯୋଜନା
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଗତ ନଭେମ୍ବରରେ ସିଙ୍ଗାପୁର ଗସ୍ତ କରିଥିଲେ। ଏହି ଗସ୍ତକାଳରେ ସେ ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସିମ୍ ଆନ୍ନଙ୍କ ସହ ସାକ୍ଷାତ ବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ। ଗସ୍ତର ଶେଷ ଦିନରେ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ କହିଛନ୍ତି। ଏଥି ସହିତ ସେ ସିଙ୍ଗାପୁରରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ବିଶ୍ବସ୍ତରରେ ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ପ୍ରବାସୀ ଓଡ଼ିଆଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ।
ଏହି ଖବର ପଢ଼ନ୍ତୁ: ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍