Wangchuk admitted to AIIMS Photograph: (sambad.in)
ଜୟପୁର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପରିବେଶ କର୍ମୀ ତଥା ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ୍ଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି। ନ୍ୟାୟିକ ହେପାଜତରେ ଥିବା ସମୟରେ ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଶନିବାର ସକାଳ ପ୍ରାୟ ୬ଟା ୩୦ ମିନିଟରେ ୱାଙ୍ଗଚୁକ୍ଙ୍କୁ ପୁଲିସ ଯୋଧପୁର ସେଣ୍ଟ୍ରାଲ ଜେଲରୁ ଏମ୍ସର ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି କରିଥିଲା। ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟାଧରି ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟମାନେ ନିରୀକ୍ଷଣରେ ରଖିଥିଲେ।
ପାକସ୍ଥଳୀ ଜନିତ ସମସ୍ୟା ରହିଛି
ଏମ୍ସ ସୂଚନା ଅନୁଯାୟୀ ସୋନମ୍ଙ୍କର ପାକସ୍ଥଳୀ ଜନିତ ସମସ୍ୟା ରହିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେଉଥିବା ମଧ୍ୟ ସେ ଅଭିଯୋଗ କରୁଛନ୍ତି। ଦିନକ ପୂର୍ବରୁ ତାଙ୍କୁ ଏମ୍ସକୁ ପରୀକ୍ଷଣ ପାଇଁ ନିଆଯାଇଥିଲା। ପରେ କଡ଼ା ସୁରକ୍ଷା ମଧ୍ୟରେ ପୁଣି ଥରେ ଯୋଧପୁର ସେଣ୍ଟ୍ରାଲ ଜେଲ୍କୁ ପଠାଇ ଦିଆଯାଇଥିଲା। ସୋନମ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କ ପତ୍ନୀ ଚିନ୍ତା ପ୍ରକଟ କରିବା ସହିତ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଗୁରୁବାର ଜଷ୍ଟିସ ଅରବିନ୍ଦ କୁମାର ଓ ପିଭି ବରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି ସରକାରୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ୱାଙ୍ଗଚୁକ୍ଙ୍କ ସ୍ବାସ୍ଥ୍ୟାବସ୍ଥାର ପରୀକ୍ଷା କରିଥିଲେ। ୱାଙ୍ଗଚୁକ୍ଙ୍କ ପକ୍ଷ ରଖି ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ, ୱାଙ୍ଗଚୁକ୍ଙ୍କୁ ଜେଲରେ ଦିଆଯାଉଥିବା ପାଣି ଯୋଗୁ ତାଙ୍କଠାରେ ପାକସ୍ଥଳୀ ସମସ୍ୟା ଦେଖାଯାଉଛି। ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ତାଙ୍କର ଚିକିତ୍ସା କରାଯାଉନାହିଁ।
ଫେବୃଆରି ୨ ତାରିଖ ସୁଦ୍ଧା ମେଡିକାଲ ରିପୋର୍ଟ ଦିଅ
ବରିଷ୍ଠ ଓକିଲ ସିବଲ ଆହୁରି କହିଥିଲେ ଯେ, ସୋନମ୍ଙ୍କର ସାପ୍ତାହିକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ଏବଂ ତାଙ୍କ ପରିବାର ପକ୍ଷରୁ ଦିଆଯାଉଥିବା ପାନୀୟ ଜଳ ତାଙ୍କୁ ପିଇବାକୁ ଦେବାକୁ ଅନୁମତି ଦିଆଯାଉ। ସୁପ୍ରିମକୋର୍ଟ ୱାଙ୍ଗଚୁକ୍ଙ୍କ ମେଡିକାଲ ରିପୋର୍ଟ ଫେବୃଆରି ୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ଥାନ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍ ନଟରାଜ କୋର୍ଟରେ ପକ୍ଷ ରଖି କହିଥିଲେ ଯେ, ୱାଙ୍ଗଚୁକ୍ଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଗତ ୪ ମାସରେ ତାଙ୍କର ୨୧ ଥର ସ୍ବାସ୍ଥ୍ୟ ପରୀକ୍ଷା ହୋଇସାରିଛି। ଲଦାଖକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ଗତବର୍ଷ ସେପ୍ଟେମ୍ବରରେ ଲେହରେ ହିଂସା ଦେଖାଯାଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ୱାଙ୍ଗଚୁକ୍ଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖାଯାଇଛି।
ଆହୁରି ପଢ଼ନ୍ତୁ: Accident 5 Young Men Death ଟ୍ରକ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା: ଦୁର୍ଘଟଣାରେ ୫ ଜଣଙ୍କ ଶୋଚନୀୟ ମୃତ୍ୟୁ, ଡ୍ରାଇଭର୍ ଫେରାର
Follow Us