ନୂଆଦିଲ୍ଲୀ: ଅଘଟଣ.. ଅଘଟଣ.. ଅଘଟଣ.. ବିମାନକୁ ନେଇ ଆସୁଛି ଗୋଟେ ପରେ ଗୋଟେ ଅଘଟଣର ଖବର । କେଉଁଠି ବିମାନ ଦୁର୍ଘଟଣା ହେଲାଣି ତ କେଉଁଠି ବିମାନକୁ ବୋମା ଧମକ ମିଳିଲାଣି ପୁଣି କେଉଁଠି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ କଲାଣି । ଅହମଦାବାଦ ବିମାନ ଦୁର୍ଘଟଣା ପରଠାରୁ ଏକପ୍ରକାର କହିବାକୁ ଗଲେ ବିମାନ ସେବାର ଅଶୁଭ ଦିନ ଚାଲିଛି ଆଉ ବିମାନର ବେଳା ଭଲ ନାହିଁ ବୋଲି କୁହାଯାଉଛି । କାରଣ ପ୍ରତିଦିନ ବିମାନକୁ ନେଇ ଆସୁଛି ଭିନ୍ନ ଭିନ୍ନ ଖବର । ଯାହା ବିମାନ ଯାତ୍ରୀଙ୍କ ମନରେ ଭୟ ଓ ଆଶଙ୍କା ସୃଷ୍ଟି କରୁଥିବା ବେଳେ ଏତେ ଅଘଟଣ ଦେଖି ଲୋକେ କହିଲେଣି… ନା ବାବା ନା, ବିମାନରେ ବସିବାକୁ ଲାଗୁଛି ଡର

Advertisment

ଆଜି ଗୋଟିଏ ଦିନରେ ତିନି ତିନିଟି ଅଘଟଣର ଖବର । କୋଲକାତାରେ ଏୟାର ଇଣ୍ଡିଆର ଜରୁରୀ ଅବତରଣ, ନାଗପୁରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ଆଉ ଅହମଦାବାରୁ ପ୍ରଥମ ଥର ପାଇଁ ଏୟାର ଇଣ୍ଡିଆ ଆଜି ଲଣ୍ଡନ ଅଭିମୁଖେ ଯିବାକୁ ଥିବାବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାକୁ ଉଡାଣକୁ ରଦ୍ଦ କରିଦିଆଯିବା ବିମାନ ସେବା ଉପରେ ଏକ ଆଶଙ୍କାର କଳା ବାଦଲ ଢାଙ୍କି ଦେଇଛି ।

ଅଧିକ ପଢନ୍ତୁ-

ଇଣ୍ଡିଗୋ ବିମାନକୁ ବୋମା ଧମକ, ନାଗପୁରରେ କଲା ଜରୁରୀ ଅବତରଣ

ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି

ଅହମଦାବାଦରୁ ଲଣ୍ଡନ ଯାଉଥିବା ବିମାନର ଉଡାଣ ବାତିଲ ହୋଇଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ରଦ୍ଦ ହୋଇଛି ଉଡାଣ । ଲଣ୍ଡନ ଅଭିମୁଖେ ଉ଼ଡାଣର କିଛି ସମୟ ପୂର୍ବରୁ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଉଡାଣକୁ ବାତିଲ କରାଯାଇଛି । ବିମାନସେବାକୁ ହଠାତ୍ ରଦ୍ଦ କରିବା ପରେ ଯାତ୍ରୀଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଅହମଦାବାଦ ବିମାନ ଦୁର୍ଘଟଣା ପର ଠାରୁ ଏୟାର ଇଣ୍ଡିଆର ଆଉ କୌଣସି ବିମାନ ଲଣ୍ଡନ ଅଭିମୁଖେ ଅହମଦାବାଦରୁ ଯାତ୍ର କରିନଥିଲା । ଏଆଇ-୧୭୧ ଦୁର୍ଘଟଣା ହେବା ପରେ ତାକୁ ସେବାରୁ ହଠାଇ ଦିଆଯାଇ ତା ଜାଗାରେ ଏଆଇ-୧୫୯କୁ ନିୟୋଜିତ କରାଯାଇଥିଲା  ଏବଂ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଆଜି ୧.୧୦ରେ ବିମାନର ଉଡାଣ ଭରିବାକୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉଡାଣ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ଉଡାଣକୁ ରଦ୍ଦ କରାଯାଇଛି ।

କୋଲକାତାରେ ଜରୁରୀ ଅବତରଣ

ଅହମଦାବାଦ ବିମାନ ଦୁର୍ଘଟଣାରେ ସାରା ଦେଶ ଦୋହଲିଯାଇଥିବା ବେଳେ ଦୁର୍ଘଟଣାର ଭୟ କାହାରି ମନରୁ ଯାଇନି । ଆଉ ଏତିକି ବେଳେ ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି । 

ତେବେ ବିମାନର ଇଞ୍ଜିନର ଯାନ୍ତ୍ରିକ ଅସୁବିଧା ଯୋଗୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଲା । ଯାନ୍ତ୍ରିକ ତ୍ରୁଟି ପରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏୟାରଇଣ୍ଡିଆର ବିମାନ ଏଆଇ-୧୮୦ ଗତକାଲି ରାତି ୧୨ ଟା ୪୫ ମିନିଟ ସମୟରେ କୋଲକାତାରେ ଅବତରଣ କରିଥିଲା । ପରେ ଇଞ୍ଜିନରେ ତ୍ରୁଟି ଯୋଗୁ ବିମାନ ସେଠାରୁ ମୁମ୍ବାଇକୁ ଉଡାଣ ଭରିବାରେ ବିଳମ୍ବ ହୋଇଥିଲା । ପରେ ଭୋର ୫ଟା ୨୦ ମିନିଟ ସମୟରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଯିବାକୁ କୁହାଯାଇଥିଲା । ବିମାନର ସୁରକ୍ଷା ଦୃଷ୍ଟିରୁ ଯାତ୍ରୀଙ୍କୁ ଓହ୍ଲାଇଯିବାକୁ ପାଇଲଟ ଅନୁରୋଧ କରିଥିଲେ । 

ବିମାନକୁ ବୋମା ଧମକ

ବିମାନକୁ ବାରମ୍ବାର ମିଳୁଛି ବୋମା ଧମକ । ଇଣ୍ଡିଗୋ ବିମାନକୁ ମିଳିଲା ବୋମା ଧମକ । କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିବା ପରେ ଆତଙ୍କ ଖେଳିଯାଇଛି । ଇଣ୍ଡିଗୋ ବିମାନ ୬ଇ-୨୭୦୬ ଦିଲ୍ଲୀ ଅଭିମୁଖେ ଉଡାଣ ଭରି ସାରିଥିବା ବେଳେ ବୋମା ଧମକ ମିଳିଥିଲା ଆଉ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ବାହାର କରାଯାଇଛି ।

ଗତ ଶୁକ୍ରବାର ମଧ୍ଯ ଥାଇଲାଣ୍ଡରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନକୁ ମଧ୍ଯ ବୋମା ଧମକ ମିଳିଥିଲା । ଏଆଇ-୩୭୯ ବମାନକୁ ବୋମା ଧମକ ମିଳିବା ପରେ ୧୫୬ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ବିମାନର ଜରୁରୀ ଅବତରଣ ହୋଇଥିଲା । ଅହମଦାବାଦ ବିମାନ ଦୁର୍ଘଟଣା ପରଠାରୁ ବିମାନକୁ ନେଇ ଏଭଳି ସମସ୍ୟା ବାରମ୍ବାର ଘଟୁଥିବାରୁ ଯାତ୍ରୀ ଭୟଭୀତ ଅଛନ୍ତି । ପୂର୍ବରୁ ବାହାନଗା ଦୁର୍ଘଟଣା ପରେ ଟ୍ରେନକୁ ନେଇ ଅଘଟଣ ପରେ ଅଘଟଣର ଖବର ଖାଲି ଆସୁଥିବା ବେଳେ ଏବେ ବିମାନକୁ ନେଇ ପ୍ରତିଦିନ ଆସୁଛି ଖବର ।

ଅଧିକ ପଢନ୍ତୁ-

ଅହମଦାବାଦରୁ ଲଣ୍ଡନ ଯିବାକୁ ଥିବା ଏଆଇ-୧୫୯ ବିମାନରେ ବି ଯାନ୍ତ୍ରିକ ତ୍ରୁଟି: ରଦ୍ଦ ହେଲା ଉଡାଣ, ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଉଡାଣ ଭରିଥାନ୍ତା..