ଚଣ୍ଡୀଗଡ଼: ହାଜତରେ ଜଣେ ଓକିଲ ଓ ଅନ୍ୟ ଜଣେ ଲୋକକୁ ନିର୍ଯାତନା ଦେବା ଓ ପରସ୍ପର ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ପଞ୍ଜାବର ମୁକ୍ତସର ଜିଲ୍ଲାର ଜଣେ ପୁଲିସ ଅଧୀକ୍ଷକ ଏବଂ ଅନ୍ୟ ଦୁଇଜଣ ପୁଲିସ ଅଧିକାରୀଙ୍କୁ ଆଜି ଗିରଫ କରାଯାଇଛି। ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ପୁଲିସର ହାଜତ ବର୍ବରତା ସୀମା ଟପିଲାଣି ବୋଲି ବିଭିନ୍ନ ମହଲ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ତଦନ୍ତ ପାଇଁ ଲୁଧିଆନା ପୁଲିସ କମିସନର ମନଦୀପ ସିଂହ ସିଦ୍ଧୁଙ୍କ ନେତୃତ୍ବରେ ୪ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରାଯାଇଛି। ଅତିରିକ୍ତ ପୁଲିସ ମହାନିର୍ଦେଶକ (ଗୁଇନ୍ଦା) ଜସକରନ ସିଂହ ତଦନ୍ତର ତଦାରଖ କରିବେ ଏବଂ ଏହି ଏସ୍ଆଇଟିରେ ଅନ୍ୟ ୩ ଜଣ ପୁଲିସ କର୍ମଚାରୀ ମଧ୍ୟ ସଦସ୍ୟ ରହିବେ। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବାର୍ ଆସୋସିଏସନ୍ର ଏକ ପ୍ରତିନିଧି ଦଳ ଚଣ୍ଡୀଗଡ଼ରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ବୈଠକ କରିବା ପରେ ଏହି ପଦକ୍ଷେପ ନିଆଯାଇଛି।
ସୋମବାର ଜଣେ ଏସ୍ପି ପାହ୍ୟାର ଅଧିକାରୀଙ୍କ ସମେତ ୬ ଜଣ ପୁଲିସ ତାଙ୍କ ହେପାଜତରେ ଥିବା ଜଣେ ଓକିଲଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ମୁକ୍ତସର ଏସ୍ପି (ତଦନ୍ତ) ରମଣଦୀପ ସିଂହ ଭୁଲ୍ଲର, ଇନ୍ସପେକ୍ଟର ରମଣ କୁମାର କାମ୍ବୋଜ, କନେଷ୍ଟବଳ ହରବଂଶ ସିଂହ, ଭୂପିନ୍ଦର ସିଂହ ଓ ଗୁରପ୍ରୀତ ସିଂହ ଏବଂ ହୋମଗାର୍ଡ ଦାରା ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏସ୍ପି ଭୁଲ୍ଲର, ଇନ୍ସପେକ୍ଟର ରମଣ କୁମାର କାମ୍ବୋଜ ଏବଂ କନେଷ୍ଟବଳ ହରବଂଶ ସିଂହଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଏହି ଅଭିଯୋଗ ଆସିବା ପରଠାରୁ ହାଇକୋର୍ଟର ବାର୍ ଆସୋସିଏସନ୍ ସହ ଜଡ଼ିତ ଓକିଲମାନେ ପୁଲିସ କର୍ମଚାରୀଙ୍କ ବହିଷ୍କାର ଓ ଗିରଫ ଦାବିରେ କାର୍ଯ୍ୟ ବର୍ଜନ କରିଛନ୍ତି।