VIP darshan at Mahakaleshwar Photograph: (sambad.in)
ନୂଆଦିଲ୍ଲୀ: ଉଜ୍ଜୟିନୀର ଶ୍ରୀମହାକାଳେଶ୍ୱର ମନ୍ଦିରରେ ଭିଆଇପି ଦର୍ଶନ ପ୍ରଥାକୁ କାଏମ୍ ରଖିଲେ ସୁପ୍ରିମ୍କୋର୍ଟ। ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍କୋର୍ଟରେ ଏକ ଆବେଦନ କରାଯାଇଥିଲା। ଆଜି ଏହି ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ଏହା କୋର୍ଟଙ୍କ କାର୍ଯ୍ୟ ନୁହେଁ କହି ମଙ୍ଗଳବାର ସୁପ୍ରିମ୍କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
କୋର୍ଟ ଏଭଳି ପ୍ରସଙ୍ଗରେ ନୀତି ସ୍ଥିର କରିବା ଅନୁଚିତ
ଉଜ୍ଜୟିନୀର ଶ୍ରୀମହାକାଳେଶ୍ୱର ମନ୍ଦିରର ଗର୍ଭଗୃହରେ ସାଧାରଣ ଓ ଭିଆଇପି ଭକ୍ତଙ୍କ ମଧ୍ୟରେ ଭେଦଭାବ ନ କରି ଦର୍ଶନ ପାଇଁ ସମସ୍ତ ଭକ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ଦର୍ପଣ ଅବସ୍ଥିଙ୍କ ଆବେଦନରେ ଦାବି କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଆର୍ ମହାଦେବନ୍ ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ କହିଛନ୍ତି, ଯେଉଁମାନେ ଏଭଳି ପିଟିସନ ଦାଖଲ କରନ୍ତି ସେମାନେ ପ୍ରକୃତ ଭକ୍ତ ନୁହନ୍ତି ଏବଂ କୋର୍ଟ ଏଭଳି ପ୍ରସଙ୍ଗରେ ନିର୍ଦ୍ଦେଶାବଳୀ କିମ୍ବା ନୀତି ସ୍ଥିର କରିବା ଅନୁଚିତ। ଆବେଦନକାରୀଙ୍କ ଓକିଲ ବିଷ୍ଣୁ ଜୈନଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ଏବଂ ଆବେଦନକାରୀଙ୍କୁ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ।
ଶୁଣାଣି ସମୟରେ ଜୈନ ଯୁକ୍ତି କରିଥିଲେ ଯେ, ଗର୍ଭଗୃହରେ କାହାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ସେ ନେଇ ସମାନ ନୀତି ରହିବା ଉଚିତ। ମହାକାଳକୁ ଆସୁଥିବା ପ୍ରତ୍ୟେକ ‘ଭିଆଇପି’ ଓ ସାଧାରଣ ବ୍ୟକ୍ତିଙ୍କର ଗର୍ଭଗୃହରେ ପ୍ରବେଶ କରିବା ଓ ଦେବତାଙ୍କୁ ଜଳଲାଗି କରିବାର ଅଧିକାର ରହିବା ଉଚିତ। ତେବେ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଜୈନଙ୍କ ଯୁକ୍ତିରେ ସନ୍ତୁଷ୍ଟ ନ ହୋଇ ସ୍ପଷ୍ଟ କରିଛନ୍ତି ଯେ ଏହା କୋର୍ଟଙ୍କ କାର୍ଯ୍ୟ ନୁହେଁ। ଯେଉଁମାନେ ଏହାର ଦାୟିତ୍ବରେ ଅଛନ୍ତି, ସେମାନେ ନିଷ୍ପତ୍ତି ନିଅନ୍ତୁ, କୋର୍ଟ ନୁହେଁ। ଯଦି କାହାକୁ ପ୍ରବେଶ ଅନୁମତି ଦିଆଯିବା ଉଚିତ ବା ଅନୁଚିତ ତାହା କୋର୍ଟ ସ୍ଥିର କରିବା ଆରମ୍ଭ କରନ୍ତି, ତେବେ ଏହା କୋର୍ଟଙ୍କ ପାଇଁ ଅତ୍ୟଧିକ ହୋଇଯିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ଆବେଦନକାରୀ ଉଜ୍ଜୟିନୀର ବାସିନ୍ଦା ଦର୍ପଣ ଅବସ୍ତି ଅଗଷ୍ଟ ୨୮, ୨୦୨୫ରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯିଏ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଅବସ୍ଥିଙ୍କ ଆବେଦନରେ ଦର୍ଶାଯାଇଛି ଯେ ଶ୍ରୀମହାକାଳେଶ୍ୱର ଅଧିନିୟମ, ୧୯୮୨ର ବ୍ୟବସ୍ଥା ଅନୁଯାୟୀ ଶ୍ରୀମହାକାଳେଶ୍ୱର ମନ୍ଦିର ପ୍ରଶାସନିକ କମିଟି ଗଠନ କରାଯାଇଛି, ଯାହା ଭିଆଇପି, ରାଜନେତା, ଅମଲାତନ୍ତ୍ର, ଧନୀ ବ୍ୟକ୍ତି କିମ୍ବା ଅନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସୃଷ୍ଟି କରିବାକୁ କମିଟିକୁ କ୍ଷମତା ପ୍ରଦାନ କରେ ନାହିଁ। ଭାରତୀୟ ସମ୍ବିଧାନର ଧାରା ୨୫ ଅନୁଯାୟୀ ପ୍ରତ୍ୟେକ ନାଗରିକଙ୍କର ମନ୍ଦିରରେ ପୂଜା କରିବାର ଅଧିକାର ରହିଛି। ରାଜ୍ୟ କିମ୍ବା ପ୍ରଶାସନିକ କମିଟି ମନ୍ଦିର ପ୍ରବେଶ ଓ ପୂଜା ପ୍ରସଙ୍ଗରେ ଭିଆଇପି ଓ ସାଧାରଣ ଜନତାଙ୍କ ମଧ୍ୟରେ ଭେଦଭାବ କରିପାରିବ ନାହିଁ, ଯାହା ଧାରା ୧୪ ଓ ୨୫ ଅନୁଯାୟୀ ଦିଆଯାଇଥିବା ଅଧିକାରକୁ କ୍ଷୁଣ୍ଣ କରିବ ବୋଲି ଆବେଦନକାରୀ କହିଛନ୍ତି।
ଆହୁରି ପଢ଼ନ୍ତୁ: Santos Costa Remarks: ମୁଁ ଜଣେ ପ୍ରବାସୀ ଭାରତୀୟ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଭାରତୀୟ ପାସପୋର୍ଟ ଦେଖାଇଲେ ସାଣ୍ଟୋସ୍ କୋଷ୍ଟା
Follow Us