Harish Rana be granted a dignified death? Photograph: (sambad.in)
ନୂଆଦିଲ୍ଲୀ: ଗତ ୧୩ ବର୍ଷ ଧରି କୋମାରେ ଥିବା ହରିଶ ରାଣା ନାମକ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ପାଇଁ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରତ୍ୟାହାର କରିବାକୁ ବିଚାର କରାଯିବ ବୋଲି ଗୁରୁବାର ସୁପ୍ରିମ୍କୋର୍ଟ କହିଛନ୍ତି। ଶୁଣାଣି ପୂର୍ବରୁ ହରିଶଙ୍କ ପିତାମାତାଙ୍କୁ ଭେଟିଥିବା ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି କହିଛନ୍ତି।
ଏହି ପ୍ରସଙ୍ଗଗୁଡ଼ିକ ସମ୍ବେଦନଶୀଳ। ଆମେ ମଧ୍ୟ ମଣିଷ। କିଏ ବଞ୍ଚିବ ବା ମରିବ ତାହା ସ୍ଥିର କରିବାକୁ ଆମେ କିଏ? ତେବେ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରତ୍ୟାହାର କରିବାକୁ ଆମେ ବିଚାର କରିବୁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ହରିଶଙ୍କ ପିତାମାତାଙ୍କ ପ୍ରତିନିଧିତ୍ୱ କରୁଥିବା ଆମିକସ୍ କ୍ୟୁରି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଏଏସ୍ଜି ଐଶ୍ୱର୍ଯ୍ୟା ଭାଟିଙ୍କ ବିସ୍ତୃତ ଉପସ୍ଥାପନ ପରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।
ହରିଶ ରାଣା ମାମଲା
ଦିଲ୍ଲୀର ମହାବୀର ଏନକ୍ଲେଭରେ ରହୁଥିବା ହରିଶ କିଶୋର ଅବସ୍ଥାରେ ଚଣ୍ଡୀଗଡ଼ରେ କଲେଜରେ ପଢ଼ିବା ପାଇଁ ଘର ଛାଡ଼ିଥିଲେ। ତେବେ ୨୦୧୩ ମସିହା ଅଗଷ୍ଟ ୨୦ ତାରିଖରେ ହରିଶ ତାଙ୍କ ପିଜି ହଷ୍ଟେଲର ଚତୁର୍ଥ ମହଲାର ବାଲକୋନିରୁ ଖସିପଡ଼ି ମୁଣ୍ଡରେ ଗଭୀର ଆଘାତ ପାଇଥିଲେ। ଏହା ତାଙ୍କୁ ଶତପ୍ରତିଶତ ଅଚଳ କରିଦେଇଥିଲା। ସେବେଠାରୁ ହରିଶ ଶ୍ୱାସକ୍ରିୟା ଓ ଖାଦ୍ୟ ପାଇଁ ଟ୍ୟୁବ୍ ଉପରେ ନିର୍ଭର କରି କୋମା ଅବସ୍ଥାରେ ବଞ୍ଚିରହିଛନ୍ତି।
ଶୁଣାଣି ସମୟରେ, ଆମିକସ୍ କ୍ୟୁରି ହରିଶଙ୍କ ପାଇଁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ (ପାସିଭ୍ ୟୁଥାନାସିଆ) ମାଗିଥିଲେ, ଯାହାଫଳରେ ତାଙ୍କର ପ୍ରାକୃତିକ ମୃତ୍ୟୁ ତ୍ୱରାନ୍ୱିତ ହୋଇପାରିବ। ଦୁଇଟି ମେଡିକାଲ ବୋର୍ଡର ରିପୋର୍ଟକୁ ଦର୍ଶାଇ ଓକିଲ କହିଛନ୍ତି ଯେ, ହରିଶଙ୍କ ଆରୋଗ୍ୟ ହେବାର ସମ୍ଭାବନା ନଗଣ୍ୟ। ଏହିପରି ଚିକିତ୍ସା ଜାରି ରଖିବା ସମ୍ମାନର ସହିତ ବଞ୍ଚିବାର ଅଧିକାରକୁ ଉଲ୍ଲଂଘନ କରୁଛି।
ହରିଶଙ୍କୁ କଷ୍ଟ ନ ହେବା ଭଳି ଯତ୍ନରେ ରଖାଯିବ
ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ପ୍ରକ୍ରିୟା ବିଷୟରେ ବ୍ୟାଖ୍ୟା କରି ଆମିକସ୍ କହିଛନ୍ତି ଯେ, ହରିଶଙ୍କୁ କଷ୍ଟ ନ ହେବା ଭଳି ଯତ୍ନରେ ରଖାଯିବ ଏବଂ ତାଙ୍କର ଫିଡିଂ ଟ୍ୟୁବ୍ ବାହାର କରାଯିବ। କୌଣସି ହସ୍ତକ୍ଷେପ କରାଯିବ ନାହିଁ। ତାଙ୍କୁ ନିଶା ଔଷଧ ଦିଆଯିବ ଯାହାଦ୍ୱାରା ସେ କୌଣସି ଯନ୍ତ୍ରଣା ଅନୁଭବ କରିବେ ନାହିଁ। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଆରାମରେ ରଖାଯିବ ବୋଲି ଆମିକସ୍ କହିଛନ୍ତି।
ସକ୍ରିୟ ଇଚ୍ଛାମୃତ୍ୟୁ ବେଆଇନ ହୋଇଥିବାବେଳେ, ଅରୁଣା ଶାନବାଗ ମାମଲାରେ ୨୦୧୧ରେ ସୁପ୍ରିମ୍କୋର୍ଟ ଦ୍ୱାରା ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ସ୍ୱୀକୃତି ଦିଆଯାଇଥିଲା। ମୁମ୍ବାଇର କେଇଏମ୍ ହସ୍ପିଟାଲର ଜଣେ ନର୍ସ ଶାନବାଗଙ୍କୁ ୧୯୭୩ ମସିହାରେ ଜଣେ ୱାର୍ଡ ବୟ ଯୌନ ନିର୍ଯାତନା ଦେଇଥିଲେ, ଯାହା ତାଙ୍କୁ ୪୦ ବର୍ଷରୁ ଅଧିକ ସମୟ ଧରି କୋମା ଅବସ୍ଥାରେ ରଖିଥିଲା। କୋର୍ଟ ତାଙ୍କ ପାଇଁ ଇଚ୍ଛାମୃତ୍ୟୁକୁ ଅନୁମୋଦନ କରିଥିବାବେଳେ ଶେଷରେ ୨୦୧୫ରେ ନିମୋନିଆରେ ଶାନବାଗ୍ ମୃତ୍ୟୁବରଣ କରିଥିଲେ। ୨୦୧୮ ରେ, ସୁପ୍ରିମ୍କୋର୍ଟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ଆଇନଗତ କରିଥି ନିର୍ଦ୍ଦେଶାବଳୀ ଜାରି କରିଥିଲେ।
ଆମିକସଙ୍କ ଯୁକ୍ତିରେ ସହମତ ହୋଇ ଏଏସ୍ଜି ଭାଟି ମଧ୍ୟ ହରିଶଙ୍କ ପାଇଁ ଇଚ୍ଛାମୃତ୍ୟୁ ମାଗିଥିଲେ। ଏଏସ୍ଜି କହିଛନ୍ତି ଯେ, କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦେଶାବଳୀ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବ।
ଆହୁରି ପଢ଼ନ୍ତୁ: Reza Pahlavi's future uncertain: ଇରାନ ସଙ୍କଟ: ରେଜା ପହଲଭିଙ୍କ ଭବିଷ୍ୟତ ଅନିଶ୍ଚିତ, ରାଜତନ୍ତ୍ର ଫେରିବା ସହଜ ନୁହେଁ
Follow Us