ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ (ସିଇଓ) ସୋମବାର କହିଛି ଯେ, ୨୦୨୪ର ଡ୍ରାଫ୍ଟ ଓ ଚୂଡ଼ାନ୍ତ ଭୋଟର ତାଲିକା କଂଗ୍ରେସ ଓ ଅନ୍ୟାନ୍ୟ ଦଳକୁ ପ୍ରଦାନ କରାଯାଇଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖବରକାଗଜ ଲେଖାରେ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗ ଆଣିଥିବା ବେଳେ ଏହି ବୟାନ ଆସିଛି।
ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ଏକ ଭାଗୀଦାରି ପ୍ରକ୍ରିୟା ମାଧ୍ୟମରେ ପ୍ରତିବର୍ଷ ଭୋଟର ତାଲିକା ସଂଶୋଧନ କରାଯାଏ। ଏହି ବାର୍ଷିକ ଅଭ୍ୟାସ ସମୟରେ ଭୋଟର ତାଲିକାକୁ କଂଗ୍ରେସ ସମେତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମାଗଣାରେ ବଣ୍ଟନ କରାଯାଏ, ପ୍ରଥମେ ଡ୍ରାଫ୍ଟ ପର୍ଯ୍ୟାୟରେ ଏବଂ ପରେ ଏହା ଚୂଡ଼ାନ୍ତ ହେବା ପରେ। ୨୦୦୯, ୨୦୧୪, ୨୦୧୯ ଓ ୨୦୨୪ରେ ମଧ୍ୟ ସମାନ ପ୍ରକ୍ରିୟା କରାଯାଇଥିଲା ଏବଂ ଏଭଳି ଭୋଟର ତାଲିକାର ନକଲ କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳ ସହ ସେୟାର କରାଯାଇଥିଲା।
ମହାରାଷ୍ଟ୍ର ବିଧାନସଭା, ୨୦୨୪ରେ ସାଧାରଣ ନିର୍ବାଚନରେ ବ୍ୟବହୃତ ଭୋଟର ତାଲିକାର ସମ୍ପୂର୍ଣ୍ଣ ନକଲ ମଧ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ଅଛି ଯାହାଦ୍ୱାରା ଜନସାଧାରଣ ମୁକ୍ତ ଭାବରେ ଏହା ଡାଉନ୍‌ଲୋଡ୍ କରିପାରିବେ। ଭୋଟର ପଞ୍ଜୀକରଣ ନିୟମ, ୧୯୬୦ର ନିୟମ ୩୩ ଅନୁଯାୟୀ ଯେ କୌଣସି ବ୍ୟକ୍ତି ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରି ନିର୍ଦ୍ଧାରିତ ଶୁଳ୍କ ପୈଠ କରିବା ପରେ ଭୋଟର ତାଲିକାର ନକଲ ପାଇପାରିବେ। ସୂଚନାଯୋଗ୍ୟ, ଗଣମାଧ୍ୟମରେ ପ୍ରକାଶିତ ଲେଖାରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନିର୍ବାଚନରେ ‘ମ୍ୟାଚ୍ ଫିକ୍ସିଂ’ ଅଭିଯୋଗ ଆଣିଥିଲେ ଏବଂ ଦାବି କରିଥିଲେ ଯେ ଏହା ବିହାର ନିର୍ବାଚନରେ ବି ହେବ।