Supreme Court
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଗୁରୁବାର ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଗତ ବୈଷମ୍ୟ ପରିଭାଷା ସମ୍ପର୍କିତ ନୂଆ ନିୟମକୁ ସ୍ଥଗିତ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ୟୁଜିସିର ନୂଆ ନିୟମକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଓ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୯ ତାରିଖକୁ ଧାର୍ଯ୍ୟ କରିବା ସହିତ ଏହି ସମୟ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଉଚ୍ଚଶିକ୍ଷା ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬ କେବଳ ଏସ୍ସି, ଏସ୍ଟି ଓ ଓବିସି ବର୍ଗ ପାଇଁ ଜାତିଭିତ୍ତିକ ଭେଦଭାବ ଅଭିଯୋଗ ବ୍ୟବସ୍ଥାକୁ ସୀମିତ କରିଛି।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ମୁକ୍ତ, ସମାନ ଓ ଅନ୍ତର୍ଭୁକ୍ତିମୂଳକ ପରିବେଶ ଚାହୁଥିବା କହିଥିଲେ। ଆବେଦନରେ ଆହୁରି ଅଭିଯୋଗ କରାଯାଇଥିଲା ଯେ ନୂତନ ନିୟମାବଳୀ ସମାଜକୁ ବିଭାଜିତ କରିପାରେ। ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୧୨ ନିୟମାବଳୀ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହେବ। ଶୁଣାଣିବେଳେ ଆବେଦନକାରୀମାନେ ୟୁଜିସିର ନୂଆ ନିୟମଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ରହିଛି ବୋଲି ଦର୍ଶାଇବା ସହିତ ସମ୍ଭାବ୍ୟ ଅପବ୍ୟବହାର ନେଇ ଆଶଙ୍କା ବ୍ୟକ୍ତ କରିଥିଲେ।
ସାଧାରଣବର୍ଗ ପକ୍ଷରୁ କୋର୍ଟଙ୍କ ପାଖରେ ଦାଖଲ ହୋଇଥିବା ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଥିଲା ଯେ ୟୁଜିସିର ଜାତିଭିତ୍ତିକ ଭେଦଭାବ ପରିଭାଷା କିଛି ବର୍ଗକୁ ସଂସ୍ଥାଗତ ସୁରକ୍ଷାରୁ ବାଦ୍ ଦେଇଛି। ଏହାପୂର୍ବରୁ ସୁପ୍ରିମ୍କୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରି କହିଥିଲେ ଯେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମେ ସମାଜକୁ ଜାତିବାଦରୁ ମୁକ୍ତ କରି ପାରିନାହୁଁ। ଏବେ କ’ଣ ନୂଆ ନିୟମ ଦ୍ବାରା ଆମେ ଆହୁରି ପଛକୁ ଯାଉଛୁ କି? ଆବେଦନଗୁଡ଼ିକ ମୃତ୍ୟୁଞ୍ଜୟ ତିୱାରୀ, ଆଡ୍ଭୋକେଟ୍ ବିନୀତ ଜିନ୍ଦଲ ଓ ରାହୁଲ ଦେୱାନଙ୍କ ଦ୍ବାରା ଦାଖଲ କରାଯାଇଥିଲା, ଯାହାର ଜରୁରୀ ଶୁଣାଣି ପାଇଁ କୋର୍ଟ ରାଜି ହୋଇଥିଲେ।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ଖଣ୍ଡପୀଠ ଏହି ପ୍ରସଙ୍ଗରେ ସାମାଜିକ ମୂଲ୍ୟବୋଧ ଓ ସାମାଜିକ ଚ୍ୟାଲେଞ୍ଜକୁ ବୁଝିଥିବା ପ୍ରଖ୍ୟାତ ଆଇନ ବିଦ୍ବାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ୟୁଜିସି ଚଳିତ ବର୍ଷ ଜାନୁଆରି ୧୩ରେ ଏହି ନୂତନ ନିୟମକୁ ସୂଚିତ କରିଥିଲା। ୟୁଜିସିର ଏହି ନିୟମକୁ ଦେଶବ୍ୟାପୀ ସାଧାରଣବର୍ଗ ଛାତ୍ର ଓ ଉଚ୍ଚଜାତିର ଲୋକ ତୀବ୍ର ବିରୋଧ କରିଥିଲେ।
Follow Us