ୱାଶିଂଟନ: ଆମେରିକା ଦ୍ୱାରା ଦିଆଯାଉଥିବା ଭିସା ବହୁତ କମ୍ ଥିବାରୁ ଭାରତରୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଯାଉ ପାରୁନାହାନ୍ତି। ଅପର ପକ୍ଷରେ ଆମେରିକା ଚୀନ୍ ଛାତ୍ରଛାତ୍ରୀଙ୍କୁ ଅଧିକ ଭିସା ଯୋଗାଇ ଦେଉଥିବା ଜଣାପଡ଼ିଛି। ୨୦୨୪ବର୍ଷର ପ୍ରଥମ ୯ ମାସରେ, ଆମେରିକାରେ ପଢ଼ିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୮ ପ୍ରତିଶତ ହ୍ରାସ ପାଇଛି।

Advertisment

ଯୁକ୍ତରାଷ୍ଟ୍ରରେ ଏକାଡେମିକ୍ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ଏଫ-୧ ଏବଂ ଏମ-୧ ଭିସା ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ ପାଇଛି।

ଏଫ-୧ ଭିସା ଏକାଡେମିକ୍ ପାଠ୍ୟକ୍ରମ ପାଇଁ ଏବଂ ଏମ-୧ ଭିସା ଧନ୍ଦାମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରଦାନ କରାଯାଇଥାଏ।

କରୋନା ମହାମାରୀ ପରେ ଆମେରିକାରେ ଅଧ୍ୟୟନ କରିବାକୁ ଯାଉଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିଥିଲା, କିନ୍ତୁ ବର୍ତ୍ତମାନ ଏହା ଦ୍ରୁତ ଗତିରେ ହ୍ରାସ ପାଉଛି। ଗତ ଦୁଇ ବର୍ଷର ଆକଳନ ଚିନ୍ତାଜନକ ରହିଛି।

ଆମେରିକାର ବୈଦେଶିକ ବିଭାଗର ତଥ୍ୟ ଦର୍ଶାଉଛି ଯେ ୨୦୨୪ର ପ୍ରଥମ ୯ମାସରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୬୪,୦୦୮ ଏଫ-୧  ଭିସା ଦିଆଯାଇଥିଲା। ଯେତେବେଳେ କି ୨୦୨୨୩ର ସମାନ ଅବଧି ପାଇଁ ଏହି ସଂଖ୍ୟା ଥିଲା ୧,୦୩,୪୯୫ ।  

୨୦୨୨ରେ ଏହି ସଂଖ୍ୟା ୯୩,୧୮୧ ଥିଲା।  ୨୦୨୧ ମସିହାରେ ଏହା ୬୫,୨୩୫ ଥିଲା।  ୯୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ  ଭିସା ହେଉଛି ଏଫ-୧ ଭିସା। ଏହା ବ୍ୟତୀତ ବିନିମୟ କାର୍ଯ୍ୟକ୍ରମ ଏବଂ ତାଲିମ ପାଇଁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଭିସା ଦିଆଯାଇଥାଏ।

ଅଧିକ ପଢ଼ନ୍ତୁ: ବୋମା ବିସ୍ଫୋରଣରେ ତାଲିବାନ ମନ୍ତ୍ରୀ ଖଲିଲ୍ ହକ୍କାନି ନିହତ

ଅପରପକ୍ଷରେ ୨୦୨୪ମସିହାରେ ଚୀନ୍‌ର ଛାତ୍ରଛାତ୍ରୀମାନଙ୍କ ପାଇଁ ଭିସା ସଂଖ୍ୟା  ମାତ୍ର ୮ ପ୍ରତିଶତ ହ୍ରାସ ପାଇଛି। ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଚୀନ୍‌ର ଛାତ୍ରଛାତ୍ରୀମାନଙ୍କୁ ୭୩,୭୮୧ ଭିସା ଦିଆଯାଇଥିବାବେଳେ ୨୦୨୩ ରେ ୮୦,୬୦୩ ଭିସା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଚୀନ୍‌ରେ ଛାତ୍ରଛାତ୍ରୀମାନେ ଆମେରିକାରେ ଅଧ୍ୟୟନ କରୁଥିବା ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ଅଟନ୍ତି। ଏହି ହ୍ରାସର ପ୍ରକୃତ କାରଣ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। କିନ୍ତୁ, ବିଶେଷଜ୍ଞମାନେ କହିଛନ୍ତି ଯେ ଭିସା ହ୍ରାସ ପାଇଁ ଭାରତର ଅର୍ଥନୈତିକ ସମସ୍ୟା ଏବଂ ଦେଶରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃଦ୍ଧି ପାଉଥିବା ସୁଯୋଗ ମଧ୍ୟ ଦାୟୀ ହୋଇପାରେ।

ଅଧିକ ପଢ଼ନ୍ତୁ: ସିରିଆ ତୈଳଭଣ୍ଡାର ପାଇଁ ନୂଆ ଯୁଦ୍ଧ: ମରୁଭୂମିକୁ ଦଖଲ କଲେ ବିଦ୍ରୋହୀ