Indian-origin leaks confidential documents Photograph: (sambad.in)
ୱାସିଂଟନ: ଆମେରିକା ସରକାରଙ୍କ ଗୋପନୀୟ କାଗଜପତ୍ର ସୁରକ୍ଷା ଦାୟିତ୍ବରେ ରହିଥିବା ଆମେରିକା ସାଇବର ପ୍ରତିରକ୍ଷା ଏଜେନ୍ସିର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ଚାଟ୍ଜିପିଟିରେ ଅତି ସମ୍ବେଦନଶୀଳ କାଗଜପତ୍ର ଅପଲୋଡ କରିଦେଇଛନ୍ତି। ଏହି ଏଜେନ୍ସି ଗତବର୍ଷ ମେ’ ମାସରେ ଦାୟିତ୍ୱ ନେବା ପରେ ଚାଟଜିପିଟିର ଏକ ସାର୍ବଜନୀନ ସଂସ୍କରଣରେ ସମ୍ବେଦନଶୀଳ ଚୁକ୍ତିନାମା ଡକ୍ୟୁମେଣ୍ଟଗୁଡ଼ିକୁ ଅପଲୋଡ୍ କରିଥିଲେ।
ପଲିଟିକୋର ଏକ ରିପୋର୍ଟ ଅନୁଯାୟୀ, ସାଇବର ସିକ୍ୟୁରିଟି ଏବଂ ଇନଫ୍ରାଷ୍ଟ୍ରକ୍ଚର ସିକ୍ୟୁରିଟି ଏଜେନ୍ସି (ସିଆଇଏସ୍ଏ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମଧୁ ଗୋଟ୍ଟୁମୁକ୍କାଲାଙ୍କ ଏପରି କାର୍ଯ୍ୟ ଯୋଗୁ ଫେଡେରାଲ୍ ନେଟୱାର୍କଗୁଡ଼ିକରୁ ସରକାରୀ କାଗଜପତ୍ର ଚୋରି କିମ୍ବା ଅନିଚ୍ଛାକୃତ ପ୍ରକାଶନକୁ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଏକାଧିକ ସ୍ୱୟଂଚାଳିତ ସୁରକ୍ଷା ଚେତାବନୀ ସୃଷ୍ଟି କରିଛି। ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ବଂଶୋଦ୍ଭବ ସହାୟକ ଗୋଟ୍ଟୁମୁକ୍କାଲା ମେ ମାସରେ ଏଜେନ୍ସିରେ ପହଞ୍ଚିବା ପରେ ସିଆଇଏସ୍ଏର ମୁଖ୍ୟ ସୂଚନା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଲୋକପ୍ରିୟ ଏଆଇ ଉପକରଣ ବ୍ୟବହାର କରିବା ପାଇଁ ସ୍ୱତନ୍ତ୍ର ଅନୁମତି ନେଇଥିଲେ।
ଗୋଟ୍ଟୁମୁକ୍କାଲାଙ୍କ ଦ୍ବାରା ଚାଟ୍ଜିପିଟିର ସାର୍ବଜନୀନ ସଂସ୍କରଣରେ ଅପଲୋଡ୍ କରାଯାଇଥିବା ସମସ୍ତ ସୂଚନା ଏଆଇ ଟୁଲ୍ ମାଲିକ ଓପନ୍ଏଆଇ ସହିତ ସେୟାର କରାଯାଇଛି। ଓପନଏଆଇର ୭୦୦ ନିୟୁତର ଅଧିକ ସକ୍ରିୟ ୟୁଜର୍ସ ଅଛନ୍ତି। ଅନ୍ୟପକ୍ଷରେ ଗୃହ ସୁରକ୍ଷା ବିଭାଗର ଅନ୍ୟ କର୍ମଚାରୀଙ୍କ ପାଇଁ ଚାଟ୍ଜିପିଟିର ବ୍ୟବହାରକୁ ଅବରୋଧ କରାଯାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଗୋଟ୍ଟୁମୁକ୍କାଲା ସିଆଇଏସ୍ଏକୁ ଚାଟଜିପିଟି ଦେବାକୁ ବାଧ୍ୟ କରିଥିଲେ ଓ ପରେ ସେ ଏହାର ଅପବ୍ୟବହାର କରିଥିଲେ।
ସମୀକ୍ଷା ନିଷ୍କର୍ସ ସମ୍ପର୍କରେ ଜଣାପଡ଼ିନାହିଁ।
ପଲିଟିକୋ ରିପୋର୍ଟ ଅନୁଯାୟୀ, ଅପଲୋଡ୍ ହୋଇଥିବା କୌଣସି ଡକ୍ୟୁମେଣ୍ଟକୁ ବର୍ଗୀକୃତ କରାଯାଇ ନଥିଲେ ମଧ୍ୟ ଏହା କେବଳ ସରକାରୀ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଥିଲା। ଚାଟଜିପିଟିରେ ଏହି ଗୁରୁତ୍ବପୂର୍ଣ୍ଣ ଫାଇଲ ଅପଲେଡ ଦ୍ବାରା ସରକାରୀ ସୁରକ୍ଷା ପ୍ରତି କୌଣସି ବିପଦ ସୃଷ୍ଟି ହୋଇଛି କି ନାହିଁ ତାହା ମୂଲ୍ୟାଙ୍କନ କରିବା ପାଇଁ ଏକ ଆଭ୍ୟନ୍ତରୀଣ ସମୀକ୍ଷା କରାଯାଇଥିଲା। ସମୀକ୍ଷା ନିଷ୍କର୍ସ ସମ୍ପର୍କରେ ଜଣାପଡ଼ିନାହିଁ।
ସୂଚନା ପ୍ରଯୁକ୍ତିରେ ମଧୁଙ୍କର ୨୪ ବର୍ଷର ଅଭିଜ୍ଞତା ରହିଛି
ସିଆଇଏସ୍ଏ, ସାଧାରଣ ବ୍ୟାପାର ନିର୍ଦ୍ଦେଶକ ମାର୍ସି ମ୍ୟାକକାର୍ଥି କହିଛନ୍ତି, ଗୋଟ୍ଟୁମୁକ୍କାଲାଙ୍କୁ ସ୍ବଳ୍ପ ସମୟ ପାଇଁ ଚାଟ୍ଜିପିଟି ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଗୋଟ୍ଟୁମୁକ୍କାଲା ବର୍ତ୍ତମାନ ସିଆଇଏସ୍ଏରେ ବରିଷ୍ଠ ରାଜନୈତିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ପ୍ରଯୁକ୍ତିରେ ତାଙ୍କର ୨୪ ବର୍ଷର ଅଭିଜ୍ଞତା ରହିଛି। ଇନଫରମେସନ ସିଷ୍ଟମରେ ସେ ଡାକୋଟା ଷ୍ଟେଟ ୟୁନିଭର୍ସିିଟିରୁ ପିଏଚ୍ଡି କରିଛନ୍ତି। ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ସେ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ ଇଞ୍ଜିନିୟରିଂରେ ବି.ଇ. କରିଥିଲେ। ରୁଷ୍ ଏବଂ ଚୀନ୍ ଭଳି ଦେଶର ସମର୍ଥିତ ହ୍ୟାକିଂ ଗୋଷ୍ଠୀ ସମେତ ଅତ୍ୟାଧୁନିକ ସାଇବର ବିପଦ ବିରୋଧରେ ଫେଡେରାଲ ନେଟୱାର୍କଗୁଡ଼ିକୁ ସୁରକ୍ଷା ଯୋଗାଇ ଦେବା ପାଇଁ ତାଙ୍କ ଏଜେନ୍ସିକୁ ଆମେରିକା ସରକାରଙ୍କ ପକ୍ଷରୁ ଦାୟିତ୍ୱ ଦିଆଯାଇଥିଲା।
ଆହୁରି ପଢ଼ନ୍ତୁ: ICC suspends USA batter: ବିଶ୍ବକପ୍ ପୂର୍ବରୁ ବାସନ୍ଦ ହେଲେ ଆମେରିକୀୟ କ୍ରିକେଟର୍ ଆରୋନ ଜୋନ୍ସ
Follow Us