ୱାସିଂଟନ: ଇରାନର ଅତ୍ୟାଚାରୀ ଶାସନର ଅନ୍ତ ଘଟାଇବା, ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ନିପାତ କରିବା ଏବଂ ଇରାନକୁ ପରମାଣୁ ଶକ୍ତିସମ୍ପନ୍ନ ହେବାକୁ ନ ଦେବା ଲାଗି ଆମେରିକା-ଇସ୍ରାଏଲର ଯୋଜନା ପ୍ରାୟତଃ ସଫଳ ହୋଇଛି। ଖେମିନିଙ୍କ ଅନ୍ତ ଘଟିଛି। ଇସ୍ରାଏଲ ଓ ଆମେରିକା ମଧ୍ୟରେ ସମନ୍ୱିତ ଯୋଜନାର ଏକ ଅଂଶ ଭାବରେ ଖେମିନି ରହୁଥିବା ପରିସର ଉପରେ ଇସ୍ରାଏଲ ଯୁଦ୍ଧ ବିମାନ ୩୦ଟି ବୋମା ପକାଇଥିଲା।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ଖେମିନିଙ୍କ ଅବସ୍ଥାନ ଚିହ୍ନଟ ହେବା ପରେ ସେ ରହୁଥିବା କମ୍ପ୍ଲେକ୍ସରେ ଇସ୍ରାଏଲ୍ ଯୁଦ୍ଧ ବିମାନ ୩୦ଟି ବୋମା ପକାଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଇସ୍ରାଏଲ ଓ ଆମେରିକାର ଗୁପ୍ତଚର ଅଧିକାରୀମାନେ ଦୀର୍ଘ ଦିନ ଧରି ଇସଲାମିକ୍ ରିପବ୍ଲିକ୍ର ବରିଷ୍ଠ ରାଜନୈତିକ ଓ ସାମରିକ ନେତାଙ୍କ ମିଳିତ ବୈଠକକୁ ଅପେକ୍ଷା କରିଥିଲେ।
ଇସ୍ରାଏଲୀ ଅଧିକାରୀମାନେ କହିଛନ୍ତି ଯେ, ଗୁପ୍ତଚର ବାହିନୀ ଶେଷରେ ଶନିବାର ଏହିପରି ତିନୋଟି ବୈଠକ ଚିହ୍ନଟ କରିଥିଲେ ଏବଂ ସେହି ସମୟରେ ଖେମିନିଙ୍କ ଅବସ୍ଥାନ ମଧ୍ୟ ଚିହ୍ନଟ କରାଯାଇଥିଲା। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏହି ମୁହୂର୍ତ୍ତକୁ ଏକ ଅନନ୍ୟ ସୁଯୋଗ ଭାବରେ ବର୍ଣ୍ଣନା କରିଛି, ଯାହା ସ୍ପଷ୍ଟ ଦିବାଲୋକରେ ଏହି ଆକ୍ରମଣ କରିବାକୁ ପ୍ରେରିତ କରିଛି।
ଆମେରିକା ସୂତ୍ରରୁ ପ୍ରକାଶ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆକ୍ରମଣ ନିର୍ଦ୍ଦେଶ ଜାରି ହେବା ପୂର୍ବରୁ ଇସଲାମିକ୍ ରିପବ୍ଲିକ୍ ଆମେରିକାର ଟାର୍ଗେଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଥିବା ୱାସିଂଟନ ପାଖରେ ଗୁଇନ୍ଦା ସୂଚନା ଥିଲା। ଏହି ସୂଚନା ପରେ ଆମେରିକା ରାଷ୍ଟ୍ରପତି ଆକ୍ରମଣ ପାଇଁ ତୁରନ୍ତ ନିଷ୍ପତ୍ତି ନେଇଥିଲେ।
ଆହୁରି ପଢନ୍ତୁ: Supporter of Khemeini: କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ
ଆମେରିକା ଓ ଇସ୍ରାଏଲ ଶନିବାର ଇରାନରେ ମିଳିତ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ସାମରିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ତଥା ସର୍ବୋଚ୍ଚ ନେତା ଅଲ୍ଲୀ ଖେମିନି, ପ୍ରତିରକ୍ଷା ମନ୍ତ୍ରୀ ଆମୀର ନାସିରଜାଦେ ଓ କମାଣ୍ଡର-ଇନ୍-ଚିଫ୍ ମହମ୍ମଦ ପାକପୁରଙ୍କ ସମେତ ଶାସନର ଶୀର୍ଷ ରାଜନୈତିକ ନେତୃତ୍ୱଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରାଯାଇଛି। ୧୯୮୯ ମସିହାରୁ ଇରାନର ନେତୃତ୍ୱ ନେଉଥିବା ୮୬ ବର୍ଷୀୟ ଖେମିନି ଏହି ଆକ୍ରମଣରେ ନିହତ ହୋଇଛନ୍ତି। ଇରାନ ଏହା ମଧ୍ୟ ନିଶ୍ଚିତ କରିଛି ଯେ, ଆମେରିକା-ଇସ୍ରାଏଲ ବିମାନ ଆକ୍ରମଣରେ ସର୍ବୋଚ୍ଚ ନେତା ଖେମିନିଙ୍କ ମୃତ୍ୟୁ ଘଟିଛି। ଏହା ପରେ ୪୦ ଦିନର ଜାତୀୟ ଶୋକ ଘୋଷଣା କରାଯାଇଛି।
Follow Us