ୱାଶିଂଟନ: ଭାରତ ଏବଂ ଚୀନ୍ ମଧ୍ୟରେ ଏଏଲସି ଚୁକ୍ତି ଉପରେ ଆମେରିକା ନଜର ରଖିଛି। ଏନେଇ ଆମେରିକା ବଡ଼ ମନ୍ତବ୍ୟ ଦେଇଛି। ଆମେରିକା କହିଛି ସୀମା ତିକ୍ତତା ହ୍ରାସକୁ ଆମେ ସ୍ୱାଗତ କରୁଛୁ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏହା କହିଛନ୍ତି।
ସେ କହିଛନ୍ତି, 'ଆମେ ଘଟଣାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମେ ବୁଝିପାରୁଛୁ ଯେ କଣ୍ଟ୍ରୋଲ୍ ଲାଇନ୍ରେ ଥିବା ଉତ୍ତେଜନାପୂର୍ଣ୍ଣ ପଏଣ୍ଟରୁ ଉଭୟ ଦେଶ ନିଜର ସୈନ୍ୟ ବାହିନୀ ପ୍ରତ୍ୟାହାର କରିବାକୁ ପ୍ରାରମ୍ଭିକ ପଦକ୍ଷେପ ନେଇଛନ୍ତି।
ଯେତେବେଳେ ତାଙ୍କୁ ପଚରାଗଲା ଯେ ଏହି ପ୍ରସଙ୍ଗରେ ଆମେରିକାର କୌଣସି ଭୂମିକା ଅଛି କି, ସେ ଉତ୍ତର ଦେଲେ, ନା, ଆମେ ଭାରତୀୟ ଭାଗିଦାରୀଙ୍କଠାରୁ ଏହି ବିଷୟରେ ସୂଚନା ନେଇଛୁ, କିନ୍ତୁ ଏଥିରେ ଆମର କୌଣସି ଭୂମିକା ନାହିଁ।
ଏହାପୂର୍ବରୁ ମଙ୍ଗଳବାର ଦିନ ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଥିଲା ଯେ ଉଭୟ ଦେଶର ସୈନିକମାନେ ପୂର୍ବ ଲଦାଖର ଡେପସାଙ୍ଗ ସମତଳ ଅଞ୍ଚଳରେ ଏବଂ ଡେମୋକୋକରେ ଅସ୍ଥାୟୀ ସଂରଚନା ହଟାଇ ଦେଇଛନ୍ତି। ସୈନିକମାନେ ବର୍ତ୍ତମାନ ପଛ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ଏବଂ ୧୦ ରୁ ୧୫ ସୈନିକଙ୍କୁ ନେଇ ଛୋଟ ଦଳରେ ପାଟ୍ରୋଲିଂ କରାଯିବ।
ସୂଚନାଯୋଗ୍ୟ ଯେ ଜୁନ୍ ୨୦୨୦ ଠାରୁ ଭାରତ ଏବଂ ଚୀନ୍ ମଧ୍ୟରେ ଏଲଏସି ଉପରେ ତିକ୍ତତା ଦେଖାଦେଇଛି। ତା’ପରେ ଗଲୱାନ ଘାଟିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ​​ଏବଂ ଉଭୟ ପାର୍ଶ୍ୱରୁ କେତେକ ଯବାନ ମଧ୍ୟ ଆହତ ହୋଇଥିଲେ। ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ଏଲଏସି ପାଟ୍ରୋଲିଂ ଚୁକ୍ତି ଘୋଷଣା କରାଯାଇଥିଲା। ୨୨ରୁ ୨୪ଅକ୍ଟୋବର ମଧ୍ୟରେ ରୁଷିଆର କାଜାନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଅଂଶଗ୍ରହଣ କରିଥିଲେ।
ଅଧିକ ପଢ଼ନ୍ତୁ:
ନବାବ ମଲିକଙ୍କୁ ନେଇ ମହାୟୁତି ଦୁଇଫାଳ: ଶିବସେନା ପ୍ରାର୍ଥୀଙ୍କୁ ବିଜେପିର ସମର୍ଥନ
ଶେଖ ହସିନାଙ୍କୁ ଆଶ୍ବସ୍ତି: ଆୱାମୀ ଲିଗ୍କୁ ନିଷିଦ୍ଧ କରିବା ଆବେଦନ ପ୍ରତ୍ୟାହାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)