Violence over water in Sindh: Mobs burn down home minister's house Photograph: (sambad.in)
ଇସଲାମାବାଦ: ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ପାଣିକୁ ନେଇ ବ୍ୟାପକ ହିଂସା ଘଟିଛି। କିଛି ସପ୍ତାହ ଧରି ଚାଲିଥିବା ପାଣି ପାଇଁ ଏହି ବିବାଦ ଏବେ ହିଂସାତ୍ମକ ରୂପ ନେଇଛି। ଦି ଡନ୍ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ସିନ୍ଧ୍ ପ୍ରାନ୍ତୀୟ ଗୃହମନ୍ତ୍ରୀ ଜିଆ ଲାଞ୍ଜାରଙ୍କ ଗୃହ ଜିଲ୍ଲା ନୌସାହରୋ ଫିରୋଜର ମୋରୋ ସହରରେ ସଂଘର୍ଷ ସମୟରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିଲା।
ଏହା ସହିତ ସିନ୍ଧ୍ ପ୍ରଦେଶର ଗୃହମନ୍ତ୍ରୀଙ୍କ ଘରକୁ ପ୍ରଦର୍ଶନକାରୀମାନେ ପୋଡ଼ି ଦେଇଛନ୍ତି। ଡନ୍ କହିଛି ଯେ, ଏହି ହିଂସାରେ ଜଣେ ଡିଏସ୍ପିଙ୍କ ସମେତ ଅନ୍ୟ ଛଅ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହା ବ୍ୟତୀତ୧୨ରୁ ଅଧିକ ଲୋକ ଆହତ ହୋଇଥିବା ଡନ୍ ରିପୋର୍ଟ କରିଛି। ଡନ୍ କହିଛନ୍ତି ଯେ, ରାସ୍ତାରେ ଅନେକ ଯାନବାହନ ପୋଡ଼ା ଯାଇଛି ଏବଂ ଅରାଜକତାର ବାତାବରଣ ଦେଖାଦେଇଛି।
ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ସିନ୍ଧୁ ନଦୀରେ ନୂତନ କେନାଲ ନିର୍ମାଣ ପ୍ରସ୍ତାବ ବିରୋଧରେ ସିନ୍ଧ୍ ସଭା ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ଚାଳନା ଆରମ୍ଭ କରିବା ପରେ ହିଂସା ଆରମ୍ଭ ହୋଇଥିଲା। ଏହା ପରେ, ବିକ୍ଷୋଭକାରୀମାନେ ସେମାନଙ୍କର ପ୍ରତିବାଦ ଜଣାଇବା ପାଇଁ ମୋରୋ ବାଇପାସ୍ ରାସ୍ତା ଅବରୋଧ କରିଥିଲେ। ସିନ୍ଧ୍ ପ୍ରଦେଶରେ ପାଣିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି।
ଫେବ୍ରୁଆରି ୨୦୨୫ ରେ, ପାକିସ୍ତାନ ସରକାର ସିନ୍ଧୁ ନଦୀ ପ୍ରଣାଳୀରେ ୬ଟି ନୂତନ କେନାଲ ନିର୍ମାଣ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ପଞ୍ଜାବ, ବେଲୁଚିସ୍ତାନ ଏବଂ ସିନ୍ଧରେ କେନାଲ ନିର୍ମାଣ କରାଯିବାକୁ ଅଛି। କିନ୍ତୁ ସମାଲୋଚକମାନେ କହିଛନ୍ତି ଯେ, ଏହି ଡ୍ୟାମ୍ ମାଧ୍ୟମରେ, ପାକିସ୍ତାନ ସରକାର ସିନ୍ଧର ପାଣିକୁ ପଞ୍ଜାବ ପ୍ରଦେଶକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ଯାହାର ଲକ୍ଷ୍ୟ ହେଉଛି ପଞ୍ଜାବର ୧.୯ ନିୟୁତ ହେକ୍ଟର ଅନୁର୍ବର ଜମିକୁ ପାଣି ପଠାଇବା। ସିନ୍ଧର ବାସିନ୍ଦାମାନେ ବିଶ୍ୱାସ କରୁଛନ୍ତି ଯେ, ଏହି ପ୍ରକଳ୍ପ ସେମାନଙ୍କର ଜଳ ଅଧିକାରକୁ ଉଲ୍ଲଂଘନ କରୁଛି ଏବଂ ଏହା ପୂର୍ବରୁ ଜଳ ଅଭାବ ଥିବା ଅଞ୍ଚଳ ପାଇଁ ଏହା ବିପର୍ଯ୍ୟୟକାରୀ ହୋଇପାରେ।
ଅଧିକ ପଢ଼ନ୍ତୁ: ବୁକର ୨୦୨୫: ପ୍ରଥମ ଥର ପାଇଁ କନ୍ନଡ ଭାଷାକୁ ସମ୍ମାନ, ବାନୁ ମୁସ୍ତାକଙ୍କ ପୁସ୍ତକ ପୁରସ୍କୃତ
ପାକିସ୍ତାନ ଟୁଡେ ଅନୁଯାୟୀ, ସିନ୍ଧ୍ ପ୍ରଦେଶ ପୂର୍ବରୁ ଜଳ ସଙ୍କଟର ସମ୍ମୁଖୀନ ହେଉଛି। ୧୯୯୯ ରୁ ୨୦୨୩ ମଧ୍ୟରେ, ସିନ୍ଧରେ ହାରାହାରି ୪୦% ଜଳ ଅଭାବ ଦେଖାଦେଇଥିବା ବେଳେ ପଞ୍ଜାବରେ ୧୫% ଜଳ ଅଭାବ ରହିଛି। ଏହି ଜଳ ସଙ୍କଟ ଯୋଗୁଁ, ୨୫ ଲକ୍ଷ ଏକର ଆମ୍ବ ବଗିଚା ଏବଂ ଅନ୍ୟାନ୍ୟ ଫସଲ ଶୁଖିଯିବାକୁ ବସିଛି। ଏହା ବ୍ୟତୀତ ସମୁଦ୍ର ଜଳର ଜବରଦଖଲ ଯୋଗୁ ଉପକୂଳବର୍ତ୍ତୀ ଅଞ୍ଚଳର କୃଷି ଜମି ମଧ୍ୟ ପ୍ରଭାବିତ ହେଉଛି।
ସିନ୍ଧରେ ବିଭିନ୍ନ ରାଜନୈତିକ ଦଳ, ନାଗରିକ ସଂଗଠନ ଏବଂ କୃଷକ ସଂଗଠନଗୁଡ଼ିକ ଏନେଇ ପ୍ରତିବାଦ କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଲରକାନାରୁ ଥାଟ୍ଟା ପର୍ଯ୍ୟନ୍ତ ରାଲିର ଆୟୋଜନ କରିଥିଲା। ସିନ୍ଧ୍ ୟୁନାଇଟେଡ୍ ପାର୍ଟି, ସିନ୍ଧ୍ ଆବାଦଗର ଇତ୍ତେହାଦ ଏବଂ ଜୟ ସିନ୍ଧ୍ କୌମି ମହାଜ ଭଳି ସଂଗଠନ ମଧ୍ୟ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ।
ଅଧିକ ପଢ଼ନ୍ତୁ: ଭାରତର ସୁରକ୍ଷା ଏବଂ ଗୋପନୀୟତା ସହିତ ଯିଏ ଖେଳ ଖେଳିବ ତାକୁ ଛଡ଼ାଯିବ ନାହିଁ: ରାଜସ୍ଥାନର ଗୃହମନ୍ତ୍ରୀ
pakistan | sindh-province
Follow Us