ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍)କୁ ନେଇ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ନ୍ୟାୟିକ ଅଧିକାରୀଙ୍କ ତାଲିମ ମଡ୍ୟୁଲ୍ ଉପରେ ଆପତ୍ତି ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ପଶ୍ଚିମବଙ୍ଗ ପାଇଁ ବରିଷ୍ଠ ଓକିଲ କପିଲ ସିବଲ ପକ୍ଷ ରଖିଥିଲେ। ସିବଲ କହିଥିଲେ, ଏସ୍ଆଇଆର୍ ନେଇ ସମସ୍ତ କାର୍ଯ୍ୟପନ୍ଥା କୋଲକାତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏବଂ କମିଟି ଦ୍ୱାରା ସମାଧାନ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ନିର୍ବାଚନ ଆୟୋଗ ନ୍ୟାୟିକ ଅଧିକାରୀମାନଙ୍କ ନିମନ୍ତେ ଏକ ତାଲିମ ମଡ୍ୟୁଲ୍ ଜାରି କରି କ’ଣ ଗ୍ରହଣ କରିବା ଉଚିତ ଏବଂ ଗ୍ରହଣ କରିବା ଉଚିତ ନୁହେଁ ତାହା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଆମେ ଏପରି ମାମଲାର ଶୁଣାଣି କରିପାରିବୁ ନାହିଁ। ଏସବୁର ଅନ୍ତ ଘଟିବା ଉଚିତ। ଆମେ ଜାଣୁ ଆମ ନ୍ୟାୟିକ ଅଧିକାରୀ କୌଣସି ଜିନିଷ ଦ୍ବାରା ପ୍ରଭାବିତ ହେବେ ନାହିଁ। ଆମ ନିର୍ଦ୍ଦେଶ ଦିବାଲୋକ ପରି ସ୍ପଷ୍ଟ ବୋଲି ଜଷ୍ଟିସ ବାଗଚୀ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ନା ରାଜ୍ୟ ସରକାର ନା ନିର୍ବାଚନ ଆୟୋଗ କେହି ତାଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ କାର୍ଯ୍ୟ କରିପାରିବେ ନାହିଁ।
ଆହୁରି ପଢନ୍ତୁ:Tamil Nadu Assembly Election : ତାମିଲନାଡ଼ୁ ବିଧାନସଭା ନିର୍ବାଚନ, କଂଗ୍ରେସକୁ ୨୮ ଆସନ ଦେଇପାରେ ଡିଏମ୍କେ
ନିର୍ବାଚନ ଆୟୋଗ ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ଫେବ୍ରୁଆରି ୨୦ରେ ରାଜ୍ୟରେ ବିବାଦୀୟ ଭୋଟର ତାଲିକାର ସଂଶୋଧନରେ ନିର୍ବାଚନ ପ୍ୟାନେଲକୁ ସହାୟତା କରିବା ପାଇଁ କାର୍ଯ୍ୟରତ ଏବଂ ପୂର୍ବତନ ଜିଲ୍ଲା ବିଚାରପତିମାନଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବୃଆରୀ ୨୪ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏସ୍ଆଇଆର୍ ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ ବାଦ ଦିଆଯିବାର ସମ୍ମୁଖୀନ ହେଉଥିବା ୮୦ ଲକ୍ଷ ଦାବି ଏବଂ ଆପତ୍ତିର ସମାଧାନ ପାଇଁ ୨୫୦ ଜିଲ୍ଲା ଜଜ୍ଙ୍କ ବ୍ୟତୀତ ପଶ୍ଚିମବଙ୍ଗ ସିଭିଲ୍ ଜଜ୍ଙ୍କୁ ନିୟୋଜିତ କରିବା ଏବଂ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ନ୍ୟାୟିକ ଅଧିକାରୀମାନଙ୍କୁ ନିୟୋଜିତ କରିବା ପାଇଁ ଅନୁମତି ଦେଇଥିଲେ।
Follow Us