କୋଚି: ହେମା କମିଟି ରିପୋର୍ଟ ଉପରେ ପଦକ୍ଷେପ ନ ନେଇଥିବାରୁ କେରଳ ହାଇକୋର୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ‌ପିନାରାଇ ବିଜୟନଙ୍କ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଏହି ରିପୋର୍ଟରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଉତ୍ପୀଡ଼ନ ତଥା ନିର୍ଯାତନା ମାମଲା ପ୍ରକାଶ ପାଇଛି।

Advertisment

ଜଷ୍ଟିସ ଏ.କେ ଜୟଶଙ୍କରନ୍ ନାମ୍ବିଆର୍ ଏବଂ ଜଷ୍ଟିସ୍ ସି.ଏସ୍.ସୁଧାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ବିଶେଷ ତଦନ୍ତ ଦଳ(ଏସଆଇଟି) ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ‌ଏହା ସହିତ ଗଣମାଧ୍ୟମ ଉପରେ କୌଣସି ପ୍ରତିବନ୍ଧକ ଲଗାଇବାକୁ ମନା କରିଛନ୍ତି। 

୨୦୧୭ରେ ହେମା କମିଟି ଗଠନ କରାଯାଇଥିଲା। ଏହାର ରିପୋର୍ଟ ୨୦୧୯ରେ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିବା ପରେ ମଧ୍ୟ ସରକାର ଏଫଆଇଆର ପଞ୍ଜିକରଣ ଭଳି କୌଣସି ଠୋସ୍ ପଦକ୍ଷେପ ନେଇ ନ ଥିଲେ।

ସରକାରଙ୍କ ନିଷ୍କ୍ରିୟତା ଉପରେ କୋର୍ଟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଗତ ୪ ବର୍ଷ ମଧ୍ୟରେ କେବଳ ରିପୋର୍ଟକୁ ଚାପି ଦିଆଯାଇଛି। ଏହି ୪ ବର୍ଷରେ ରାଜ୍ୟ ସରକାର କ’ଣ କରିଛନ୍ତି?

ଯେତେବେଳେ ଅଗଷ୍ଟ ୧୯ରେ ଏହି ରିପୋର୍ଟ ସାର୍ବଜନୀନ ହେଲା, ସେତେବେଳେ ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ତଥା ଅସଦାଚରଣ ଅଭିଯୋଗ ଆସିଥିଲା। ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପରେ ଯୌନ ଶୋଷଣର ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ୨୦୧୭ରେ ହେମା କମିଟି ଗଠନ ହୋଇଥିବାବେଳେ ୨୦୧୯ରେ ଏହାର ଫଳାଫଳ ସରକାରଙ୍କ ନିକଟରେ ଉପଲବ୍ଧ ଥିଲା ବୋଲି ହାଇକୋର୍ଟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

କୋର୍ଟ କହିଛନ୍ତି, ଆମେ ମୁଖ୍ୟତଃ ଏଫଆଇଆର ପଞ୍ଜିକରଣ ନ କରିଥିବାରୁ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଚିନନ୍ତା ବ୍ୟକ୍ତ କରୁଛୁ।  ରାଜ୍ୟ ସରକାର ୪ ବର୍ଷ ମଧ୍ୟରେ କେବଳ ରିପୋର୍ଟକୁ ଚାପି ଦେବା ବ୍ୟତୀତ କିଛି କରିନାହାନ୍ତି। 

ସୂଚନାଯୋଗ୍ୟ, ଏହି ଅଭିଯୋଗରେ ଆସୋସିଏସନ ଅଫ୍ ମାଲାୟାଲମ୍ ଚଳଚ୍ଚିତ୍ର କଳାକାର (ଏମ୍ଏମ୍ଏ)ର କାର୍ଯ୍ୟନିର୍ବାହୀ କମିଟି ବିଲୋପ ହୋଇଯାଇଥିଲା ଯେଉଁଥିରେ ନିର୍ଦ୍ଦେଶକ ରଣଜିତ୍ ଏବଂ ଅଭିନେତା ସିଦ୍ଦିକ, ମୁକେଶ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ। ଯଦିଓ ରାଜ୍ୟ ସରକାର ୭ ଜଣିଆ ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଛନ୍ତି, ତଥାପି ଅପରାଧୀଙ୍କ ବିରୋଧରେ ଠୋସ୍ ପଦକ୍ଷେପ ନ ନେଇ ଥିବାରୁ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଏଭଳି ଚିନ୍ତା କରିବା ଅପରାଧ: ରାହୁଲଙ୍କ ସଂରକ୍ଷଣ ବିବୃତି ନେଇ ଚିରାଗଙ୍କ ଚେତାବନୀ

ବିରୋଧୀଦଳ ନେତା ଭି.ଡି ସାଥେସନ ମଧ୍ୟ ସରକାରଙ୍କ 'ମହିଳା ବିରୋଧୀ' ନୀତିକୁ ନିନ୍ଦା କରିବା ସହ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ରାଷ୍ଟ୍ରପତି ଶାସନ!: ଦ୍ରୌପଦୀ ମୁର୍ମୁଙ୍କ ଏହି ପଦକ୍ଷେପ ନେଇ ଚର୍ଚ୍ଚା