Will Shashi Tharoor leave the Congress?: Rahul Gandhi's agenda is exposed, the party is in turmoil Photograph: (Sambad.in)
ନୂଆଦିଲ୍ଲୀ: ସାରା ଦେଶରେ ସମର୍ଥନ ଆଧାର ସହିତ ଅନେକ ବଡ଼ ନେତାଙ୍କୁ ହରାଇଥିବା କଂଗ୍ରେସ ଦଳ ପୁଣି ଥରେ ସମସ୍ୟାରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଥର କଂଗ୍ରେସ ହାଇକମାଣ୍ଡ କେରଳରୁ ଖରାପ ସଙ୍କେତ ପାଇଛନ୍ତି। ଦଳୀୟ ସାଂସଦ ଶଶି ଥରୁର ଏପରି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ଦେଖି ଲାଗୁଛି ଯେ, ସେ ଏବେ କିଛି କରିବାକୁ ମନସ୍ଥ କରିସାରିଛନ୍ତି।
ତିରୁବନନ୍ତପୁରମରୁ ଚାରିଥର କଂଗ୍ରେସ ସାଂସଦ ଥିବା ଶଶି ଥରୁର କହିଛନ୍ତି ଯେ, ଯଦି କଂଗ୍ରେସକୁ ତାଙ୍କର ଆବଶ୍ୟକତା ନାହିଁ ତେବେ ତାଙ୍କ ପାଖରେ କାମ ପାଇଁ ଅନେକ ବିକଳ୍ପ ଅଛି। ଶଶି ଥରୁର ଏକ ମାଲାୟଲମ ପୋଡକାଷ୍ଟରେ ଇଣ୍ଡିଆନ ଏକ୍ସପ୍ରେସ ସହିତ କଥାବାର୍ତ୍ତା ସମୟରେ ଏହା କହିଛନ୍ତି।
ଶଶି ଥରୁର କ’ଣ କହିଲେ?
ଶଶି ଥରୁର ୨୦୨୬ ମସିହାରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ବିଷୟରେ କହୁଥିଲେ। ସେ ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ଅନେକ ସଂଗଠନ ଦ୍ୱାରା କରାଯାଇଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ଯେ, କେରଳରେ ନେତୃତ୍ୱ ନେବା ପାଇଁ ମୁଁ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି। ଯଦି କଂଗ୍ରେସ ଦଳ ମୋତେ ବ୍ୟବହାର କରିବାକୁ ଚାହୁଁଛି, ତେବେ ମୁଁ ଦଳ ପାଇଁ ସେଠାରେ ରହିବି।
ସେ କହିଲେ ଯେ, ଯଦି ଦଳକୁ ମୋର ଆବଶ୍ୟକତା ନାହିଁ, ତେବେ ମୋତେ ମୋର ନିଜସ୍ୱ କାମ କରିବାକୁ ପଡ଼ିବ। ସେମାନେ ଭାବିବା ଉଚିତ୍ ନୁହେଁ ଯେ, ମୋର ଅନ୍ୟ କୌଣସି ବିକଳ୍ପ ନାହିଁ। ଥରୁର ସ୍ପଷ୍ଟ ଭାବରେ କହିଥିଲେ ଯେଳ ମୋ ପାଖରେ ସାରା ବିଶ୍ୱରୁ ପୁସ୍ତକ, ଭାଷଣ ଏବଂ ନିମନ୍ତ୍ରଣ ପତ୍ର ଅଛି।
ରାହୁଲଙ୍କ ଏଜେଣ୍ଡାର ପର୍ଦ୍ଦାଫାଶ?
ଶଶି ଥରୁର ପ୍ରାୟତଃ ତାଙ୍କର ସ୍ପଷ୍ଟବାଣୀ ପାଇଁ ଖବରକୁ ଆସିଥାନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଭଲ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ ଏବେ ସେ ଏଲଡିଏଫ ସରକାରଙ୍କ ଅର୍ଥନୈତିକ ନୀତିକୁ ମଧ୍ୟ ପ୍ରଶଂସା କରୁଛନ୍ତି।
ସେ ଯୁକ୍ତି ଦିଅନ୍ତି ଯେ, ବିକାଶ ପ୍ରସଙ୍ଗଗୁଡ଼ିକୁ ଦଳୀୟ ସୀମାଠାରୁ ଉର୍ଦ୍ଧ୍ୱରେ ବିଚାର କରାଯିବା ଉଚିତ୍। ଥରୁରଙ୍କ ଏପରି ଚିନ୍ତାଧାରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳର ଏଜେଣ୍ଡାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ତେଣୁ ତାଙ୍କ ମନୋଭାବକୁ ଦଳ ଭିତରେ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି।
ଅଧିକ ପଢ଼ନ୍ତୁ: ଆହତ ସୈନିକଙ୍କୁ ଯୁଦ୍ଧକୁ ପଠାଉଛି ରୁଷିଆ: ଆଶାବାଡ଼ି ଧରି ଲଢ଼ିବାକୁ ଯାଉଛନ୍ତି
ସେ କହିଛନ୍ତି,, ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି, ଚୀନ୍ ଏବଂ ପାକିସ୍ତାନ ସହିତ ଏପରି କୌଣସି ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରସଙ୍ଗ କିମ୍ବା ଏପରି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ହୋଇନାହିଁ ଯେଉଁଥିରେ କଂଗ୍ରେସ ଦଳ ଆନୁଷ୍ଠାନିକ ଭାବରେ ଭାରତ ସରକାରଙ୍କ ମତକୁ ସମର୍ଥନ କରିଛି। ଏପରି କହି ସେ ରାହୁଲ ଗାନ୍ଧୀଙ୍କ ଏଜେଣ୍ଡାର ପର୍ଦ୍ଦାଫାଶ କରିଛନ୍ତି ବୋଲି କୁହାଯାଛି। ଏହାକୁ ନେଇ ପାର୍ଟିରେ ହଲଚଲ୍ ଜାରି ରହିଛି। ଶଶି ଥରୁର କଂଗ୍ରେସ ଛାଡିବେ କି ବୋଲି ଆଲୋଚନା ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ସୁଭଦ୍ରା ଯୋଜନା ପରେ ଇ-କେୱାଇସି ବଣ୍ଡାଘାଟିରେ ପଛୁଆ
Follow Us