ନୂଆଦିଲ୍ଲୀ: ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା‌ ଶୀତ ଅଧିବେଶନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିତର୍କ ଓ ଆଲୋଚନା ପରେ ଅଧିବେଶନ ଏବେ ଶେଷ ସପ୍ତାହରେ ପ୍ରବେଶ କରିଛି। ଆଜି ଦ୍ବାଦଶ ଦିବସରେ ଲୋକସଭାରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିସନ (ଗ୍ରାମୀଣ) ବିଲ୍-୨୦୨୫’ (ଭିବି-ଜି ରାମ ଜି) ବିଲ୍‌କୁ ନେଇ ବିରୋଧୀ ଦଳମାନେ ଜୋର୍‌ଦାର ପ୍ରତିବାଦ କରିଛନ୍ତି। ଫଳରେ ଗୃହକାର୍ଯ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ମନରେଗା ନାମ ପରିବର୍ତ୍ତନ କରିବା ଏବଂ ଏହି  ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇବାକୁ ନେଇ ଅନେକ ସାଂସଦ ତୀବ୍ର ବିରୋଧ କରିଛନ୍ତି।  ପ୍ରସ୍ତାବିତ ବିଧେୟକକୁ ଭଲଭାବେ ଯାଞ୍ଚ କରିବା ପାଇଁ ବିଲ୍‌କୁ ଏକ ସଂସଦୀୟ କମିଟିକୁ ପଠାଇବାପାଇଁ  ବିରୋଧୀ ସାଂସଦମା‌ନେ ଦାବି କରିଛନ୍ତି। 
କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସରକାରଙ୍କ ଉପରେ ମନରେଗାର ନାମ ପରିବର୍ତ୍ତନ ନେଇ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯୋଜନାଗୁଡ଼ିକର ନାଁ ପରିବର୍ତ୍ତନ  ପାଇଁ ମୋଦୀ ସରକାରଙ୍କର କାହିଁକି ଏତେ ଦୁର୍ବଳତା ସେ ବୁଝି ପାରୁନାହାନ୍ତି।  

Advertisment

Mining Safety : ଜାମଖାନୀ କୋଇଲା ଖଣିରେ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ପ୍ରଥମତଃ ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ କରିବା ଦ୍ବାରା ଦେଶର  ଅର୍ଥ ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି। ସରକାରଙ୍କ ଏହି ନୂଆ ପଦକ୍ଷେପ  ଅଧିକାର-ଆଧାରିତ ଗ୍ୟାରେଣ୍ଟିଗୁଡ଼ିକୁ ଦୁର୍ବଳ କରିବ ଏବଂ ରାଜ୍ୟଗୁଡ଼ିକୁ ଅଧିକ ଆର୍ଥିକ ବୋଝ ଦେବ।  ୬୦:୪୦ କେନ୍ଦ୍ର-ରାଜ୍ୟ ଅନୁପାତକୁ ବଦଳାଇବା ଗ୍ରହଣୀୟ ନୁହେଁ ବୋଲି ପ୍ରିୟଙ୍କା କହିଛନ୍ତି। ସଂପ୍ରତି ବିଦେଶ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଏକ୍ସ’ରେ କହିଛନ୍ତି ଯେ ଗ୍ରାମୀଣ ନିଯୁକ୍ତି ଉପରେ ସରକାରଙ୍କ ନୂଆ ବିଲ୍‌ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ପ୍ରତି ଏକ ଅପମାନ।  ଆଜି ଅନେକ ବିରୋଧୀ ଦଳ ସାଂସଦ ‘ଭିବି-ଜି ରାମ ଜି’ ବିଲ୍‌କୁ ବି‌ରୋଧ କରି ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଅନ୍ୟପକ୍ଷରେ ଏହି ପ୍ରସ୍ତାବିତ ଆଇନ୍ ସରକାରଙ୍କ ‘ବିକଶିତ ଭାରତ ୨୦୪୭’ ଦୃଷ୍ଟିକୋଣ ସହିତ ତାଳ ଦେଇ  ପ୍ରସ୍ତୁତ କରାଯାଇଛି ବୋଲି ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି।

ସଂସଦ ଭବନ ପରିସରରେ ବିକ୍ଷୋଭ
ଲୋକସଭାରେ ‘ରିପିଲିଂ ଆଣ୍ଡ ଆମେଣ୍ଡିଂ ବିଲ୍‌ ,୨୦୨୫’ ଗୃହୀତ

ଗ୍ରାମ୍ୟ ପରିବାରଗୁଡ଼ିକୁ ବାର୍ଷିକ  ୧୦୦ ଦିନର କର୍ମନିଯୁକ୍ତି ଗ୍ୟାରେଣ୍ଟିକୁ ବଢ଼ାଇ ୧୨୫ ଦିନ କରାଯାଇଛି। ନୂତନ ମଜୁରି ଓ ଅଧିକ ଶ୍ରମ ଦିବସ ଏ କ୍ଷେତ୍ରରେ ନିର୍ଣ୍ଣାୟକ ପରିବର୍ତ୍ତନ ଆଣିବ ବୋଲି ଚୌହାନ କହିଛନ୍ତି। ସେ କହିଛନ୍ତି, ଗ୍ରାମାଞ୍ଚଳରେ ଏହି ଯୋଜନା ନିର୍ମାଣ ହେବାକୁ ଥିବା ସମ୍ପତ୍ତିଗୁଡ଼ିକୁ ପିଏମ୍ ଗତିଶକ୍ତି ଭଳି ପ୍ଲାଟଫର୍ମ ବ୍ୟବହାର କରି ଜାତୀୟ ଗ୍ରାମ୍ୟ  ସଂରଚନାକୁ ସୁଦୃଢ଼ କରାଯିବ ଏବଂ ଏହା  ଉତ୍ତମ ଯୋଜନା ଏବଂ ଉତ୍ତରଦାୟିତ୍ବ ଆଣିବ। ସରକାର ଏହାକୁ ପୂର୍ବରୁ ମନରେଗାର ରହିଥିବା ଦୁର୍ବଳତା ଓ ଅଧପନ୍ତରିଆ କାମ ଭଳି ସମସ୍ୟା ଦୂରୀକରଣ କ୍ଷେତ୍ରରେ  ଏକ ବଡ଼ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ଆଜି ଲୋକସଭାରେ ‘ରିପିଲିଂ ଆଣ୍ଡ ଆ‌‌ମେଣ୍ଡିଂ ବିଲ୍‌, ୨୦୨୫’ ଉପରେ ଆଲୋଚନା ହେବାପରେ ଏହା ଗୃହୀତ ହୋଇଛି। ୭୧ଟି ପୁରୁଣା ଆଇନକୁ ଉଚ୍ଛେଦ କରିବାପାଇଁ ଏହି ବିଲ୍‌‌ରେ ପ୍ରସ୍ତାବ ରହିଛି।  

Narendra Modi: ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ

ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହର ନେତା ଜେପି ନଡ୍ଡା ଏସ୍ଆଇଆର୍‌ ସଂକ୍ରାନ୍ତରେ ବୟାନ ରଖିଛନ୍ତି। ନଡ୍ଡା କହିଛନ୍ତି, ମୋଦୀ ସରକାର କେବେ ବି ସଂସଦରେ କୌଣସି ପ୍ରସଙ୍ଗରୁ ଦୌଡ଼ି ପଳାନ୍ତିନି।  ଏସ୍‌ଆଇଆର୍‌ ପ୍ରସଙ୍ଗରେ ନଡ୍ଡା କହିଛନ୍ତି, ନିର୍ବାଚନ କମିସନଙ୍କର  ଭୋଟର ତାଲିକା ଯାଞ୍ଚ କରିବାର କ୍ଷମତା ରହିଛି।  ସେ କହିଛନ୍ତି, ଇସି ଏହା ସୁନିଶ୍ଚିତ କରିବା ଉଚିତ ଯେ କୌଣସି ଯୋଗ୍ୟ ଭୋଟର ତାଲିକାରୁ ଯେଭଳି ବାଦ୍‌ ପଡ଼ିନାହନ୍ତି ଏବଂ କୌଣସି ଅଯୋଗ୍ୟ ଭୋଟର ତାଲିକାରେ ସାମିଲ ନାହାନ୍ତି।