security of the North-East Bangladesh made great demands Photograph: (Sambad.in)
ଢାକା: ଗତ ୨୦୨୪ ବର୍ଷରେ, ବାଂଲାଦେଶରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟିଥିଲା । ଦେଶରେ ବିରୋଧ ପରେ ଶେଖ ହସିନାଙ୍କ ସରକାରଙ୍କର ପତନ ଘଟି ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଥିଲା। ଏହି ପରିବର୍ତ୍ତନରେ ସେନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ଗଣମାଧ୍ୟମ ପ୍ରଥୋମାଲୋକୁ ଦେଇଥିବା ଏକ ସାକ୍ଷାତକାରରେ ଦେଶର ରାଜନୈତିକ ପରିବର୍ତ୍ତନ ଏବଂ ଭବିଷ୍ୟତ ବିଷୟରେ କହିଛନ୍ତି।
ଜେନେରାଲ ୱାକର-ଉଜ-ଜମାନ କହିଛନ୍ତି ଯେ, ମଧ୍ୟବର୍ତ୍ତୀ ସରକାରଙ୍କୁ ସେନା ସମର୍ଥନ କରୁଛି। ୨୦୨୫ ମସିହାରେ, ଦୀର୍ଘସ୍ଥାୟୀ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ। ଆଇନ ଶୃଙ୍ଖଳା ଏବଂ ରାଜନୈତିକ ଦଳ ମଧ୍ୟରେ ସହମତି ଆବଶ୍ୟକ। ରାଜନୀତିରେ ହସ୍ତକ୍ଷେପ ନ କରିବା ପାଇଁ ସେନାର ପ୍ରତିବଦ୍ଧତାକୁ ପ୍ରକାଶ କରିଛନ୍ତି।
ବାଂଲାଦେଶରେ ସରକାର ପରିବର୍ତ୍ତନ ପରେ ଭାରତ ସହ ସମ୍ପର୍କ ତିକ୍ତ ହୋଇପଡିଛି। ଭାରତର ଉତ୍ତର ପୂର୍ବ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବାରେ ବାଂଲାଦେଶର ସହଯୋଗ ପ୍ରସଙ୍ଗରେ ଜେନେରାଲ ୱାକର କହିଛନ୍ତି ଯେ, ଆମର ପଡୋଶୀ ଦେଶମାନଙ୍କ ସହିତ ଆମେ ଏଭଳି କିଛି କରିବୁ ନାହିଁ ଯାହା ସେମାନଙ୍କ ରଣନୀତିକ ସ୍ୱାର୍ଥ ବିରୁଦ୍ଧ ହେବ।
ପ୍ରାଥୋମାଲୋ ସହ କଥାବାର୍ତ୍ତା କରି ଜେନେରାଲ ୱାକର ଗତ ବର୍ଷର ଜନ ଆନ୍ଦୋଳନକୁ ଐତିହାସିକ ବୋଲି ବର୍ଣ୍ଣନା କରିଥିଲେ। ନିର୍ବାଚନ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ଲୋକମାନେ ବର୍ତ୍ତମାନ ଦେଶରେ ନିରପେକ୍ଷ, ଶାନ୍ତିପୂର୍ଣ୍ଣ ତଥା ଉତ୍ସବମୁଖର ନିର୍ବାଚନ ଚାହୁଁଛନ୍ତି ଏବଂ ଏହା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୂଳ ଉଦ୍ଦେଶ୍ୟ। ସେ କହିଛନ୍ତି, ନିର୍ବାଚନ ଢାଞ୍ଚା କାର୍ଯ୍ୟକାରୀ କରିବାରେ ମଧ୍ୟବର୍ତ୍ତୀ ସରକାରଙ୍କୁ ସେନା ସମ୍ପୂର୍ଣ୍ଣ ସହଯୋଗ କରିବ।
ଭାରତ ସହ ସମ୍ପର୍କ ଉପରେ ୱାକର କହିଛନ୍ତି, ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ। ଆମେ ଅନେକ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳ। ଭାରତ ମଧ୍ୟ ଆମଠାରୁ ସହଯୋଗ ନେଉଛି। ସେମାନଙ୍କର ବହୁ ସଂଖ୍ୟକ ଲୋକ ବାଂଲାଦେଶରେ ଆନୁଷ୍ଠାନିକ ଏବଂ ଅନୌପଚାରିକ ଭାବରେ କାର୍ଯ୍ୟ କରୁଛନ୍ତି। ଅନେକ ଲୋକ ଚିକିତ୍ସା ପାଇଁ ଏଠାରୁ ଭାରତ ଯାଆନ୍ତି। ଆମେ ସେମାନଙ୍କଠାରୁ ବହୁତ ଜିନିଷ କିଣୁ । ତେଣୁ ବାଂଲାଦେଶର ସ୍ଥିରତା ଉପରେ ଭାରତର ବହୁ ହିତ ନିର୍ଭର କରିଥାଏ। ଏହା ଏକ ଦେବା ଏବଂ ନେବା ସମ୍ପର୍କ। ଏହା ନ୍ୟାୟ ଉପରେ ଆଧାରିତ ହେବା ଉଚିତ୍। ସମାନତା ଆଧାରରେ ଆମକୁ ଭଲ ସମ୍ପର୍କ ବଜାୟ ରଖିବାକୁ ପଡିବ। ତଥାପି, ଏହାକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ୍, ଆମ ଲୋକମାନେ ଅନୁଭବ କରିବା ଉଚିତ୍ ନୁହେଁ ଯେ, ଭାରତ ଆମ ଉପରେ ପ୍ରାଧାନ୍ୟ ବିସ୍ତାର କରୁଛି।
ଜେନେରାଲ ୱାକରଙ୍କୁ ପଚରାଯାଇଥିଲା ଯେ, ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବାରେ ବାଂଲାଦେଶର ସହଯୋଗ ନୂଆଦିଲ୍ଲୀ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ। ଏହି ପରିପ୍ରେକ୍ଷୀରେ ବାଂଲାଦେଶର ପୂର୍ବ ସରକାରଙ୍କ ଠାରୁ ଭାରତ ସହଯୋଗ ପାଇଛି, ଭବିଷ୍ୟତରେ ମଧ୍ୟ ଏହା ଘଟିବ କି? ଏହା ଉପରେ ଜେନେରାଲ ୱାକର କହିଥିଲେ, 'ଆମେ ଆମର ପଡୋଶୀ ଦେଶ ସହିତ ସେଭଳି କିଛି କରିବୁ ନାହିଁ ଯାହା ସେମାନଙ୍କର ରଣନୀତିକ ସ୍ୱାର୍ଥ ବିରୁଦ୍ଧ ହେବ। ସେହି ସମୟରେ, ଆମେ ଆଶା କରିବୁ ଯେ, ଆମର ପଡ଼ୋଶୀ ମଧ୍ୟ ସେଭଳି କିଛି କରିବେ ନାହିଁ ଯାହା ଆମର ସ୍ୱାର୍ଥର ବିପରୀତ ହୋଇଥିବ। ଯେତେବେଳେ ଆମେ ସେମାନଙ୍କର ହିତର ଯତ୍ନ ନେବୁ, ସେମାନେ ସମାନ ଭାବରେ ମଧ୍ୟ ଆମର ଯତ୍ନ ନେବେ।
ଅଧିକ ପଢ଼ନ୍ତୁ: ଭାଗୱତଙ୍କୁ ଚିଠି ଲେଖି ୪ ପ୍ରଶ୍ନ ପଚାରିଲେ କେଜ୍ରିୱାଲ
ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଯୋଗୁ ସୀମାରେ ଥିବା ଅଶାନ୍ତି ବିଷୟରେ ବାଂଲାଦେଶ ସେନା ମୁଖ୍ୟ ମଧ୍ୟ ଆଲୋଚନା କରିଛନ୍ତି। ମିଆଁମାର ସୀମାରେ ସ୍ଥିରତା ବ୍ୟାହତ ହେବ ନାହିଁ ବୋଲି ସେ କହିଛନ୍ତି। ସେମାନେ ସୀମାରେ ଆମ ଲୋକଙ୍କୁ ହତ୍ୟା କରିବେ ନାହିଁ। ଆମେ ଜଳର ଯଥାର୍ଥ ଅଂଶ ପାଇବୁ | ଏଥିରେ କୌଣସି ଅସୁବିଧା ନାହିଁ। ସମ୍ପର୍କ ସମାନସ୍ତରରେ ରହିବା ଉଚିତ୍। ଜେନେରାଲ କହିଛନ୍ତି ଯେ, ସମସ୍ତଙ୍କ ପ୍ରତି ଆମର ବନ୍ଧୁତ୍ୱର ଏକ ଉତ୍ତମ ବୈଦେଶିକ ନୀତି ଅଛି ଏବଂ କାହା ପ୍ରତି ଘୃଣା ନାହିଁ।
ଅଧିକ ପଢ଼ନ୍ତୁ: ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା
Follow Us