world largest temple virat ramayan mandir Photograph: (@sambad.in)
ପାଟନା: ବିଶ୍ୱର ସବୁଠାରୁ ଉଚ୍ଚ ଶିବଲିଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚର୍ଚ୍ଚାରେ ଥିବା ଶିବଲିଙ୍ଗକୁ ତାମିଲନାଡୁରୁ ବିହାରର ଜାନକୀନଗରକୁ ୨,୩୧୬ କିଲୋମିଟର ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ୯୬ ଚକିଆ ଟ୍ରକରେ ପରିବହନ କରାଯାଉଛି। ଶିବଲିଙ୍ଗର ଉଚ୍ଚତା ପ୍ରାୟ ୩୩ ଫୁଟ ରହିଛି। ଯାହାକି ଏକ ତିନି ମହଲା କୋଠାର ଉଚ୍ଚତା ସହିତ ସମାନ ହେବ ବୋଲି କୁହାଯାଉଛି। ଖୁବଶୀଘ୍ର ଚମ୍ପାରଣରେ ନିର୍ମାଣାଧୀନ ବିରାଟ ରାମାୟଣ ମନ୍ଦିରରେ ଉକ୍ତ ଶିବଲିଙ୍ଗକୁ ସ୍ଥାପିତ କରାଯିବ।
ଗ୍ରାନାଇଟ୍ ପଥରରେ ତିଆରି ହୋଇଛି ଶିବଲିଙ୍ଗ
ଗ୍ରାନାଇଟ୍ ପଥରରେ ତିଆରି ହୋଇଥିବା ଶିବଲିଙ୍ଗର ସ୍ବତନ୍ତ୍ରତା ହେଉଛି, ଏହା ବିଶ୍ୱର ଏମିତି ଏକ ଶିବଲିଙ୍ଗ ଯାହାର କି ଗୋଟିଏ ପଥରଖଣ୍ଡରେ ଖୋଦେଇ ହୋଇଛି। ଶଙ୍ଖ, ବଜା ଓ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଏହି ବିଶାଳ ଶିବଲିଙ୍ଗ ଟ୍ରକ ଯୋଗେ ବିହାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହା ତାମିଲନାଡୁରୁ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଦେଇ ବିହାର ପହଞ୍ଚିବ। ଶିବଲିଙ୍ଗକୁ ରଖିବା ପାଇଁ ରାସ୍ତାରେ ଅନେକ ରାସ୍ତାକୁ ପ୍ରଶସ୍ତ କରାଯିବା ସହିତ ଭାରବହନ କରିବା ପାଇଁ ସେତୁଗୁଡ଼ିକୁ ମଜବୁତ କରାଯାଇଛି।
ଅଧିକପଢ଼ନ୍ତୁ:ରାଜଭବନର ଇତିହାସ : ଗଭର୍ଣ୍ଣର ହାଉସରୁ ଲୋକଭବନ ପର୍ଯ୍ୟନ୍ତ
ଶିବଲିଙ୍ଗକୁ ତିଆରି ପାଇଁ ଲାଗିଛି ୧୦ବର୍ଷର ସମୟ
ବିନାୟକ ଭେଙ୍କଟରମନଙ୍କ କମ୍ପାନି ଦ୍ୱାରା ଏହି ଶିବଲିଙ୍ଗକୁ ତିଆରି କରିବା ପାଇଁ ୧୦ବର୍ଷର କଠିନ ପରିଶ୍ରମ ସହିତ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମହାବଳୀପୁରମର ପଟ୍ଟିକାଡୁ ଗାଁର ବାସିନ୍ଦା ଲୋକନାଥ ଏହି ବିଶାଳ ଶିବଲିଙ୍ଗକୁ କଠିନ ପରିଶ୍ରମ କରି ତିଆରି କରିଛନ୍ତି। ବିହାରରେ ଶିବଲିଙ୍ଗକୁ ପହଞ୍ଚିବାକୁ ୨୦ ରୁ ୨୫ ଦିନର ସମୟ ଲାଗିପାରେ। ଏହାକୁ ୨୦୨୬ ଜାନୁଆରୀ ଶେଷ କିମ୍ବା ଫେବୃଆରିରେ ଏକ ଶୁଭ ତିଥିରେ ମନ୍ଦିର ପରିସରରେ ସ୍ଥାପନ କରାଯିବ। ବିହାରରେ ବିରାଟ ରାମାୟଣ ମନ୍ଦିରର ନିର୍ମାଣ ମନ୍ଦିରର ଟ୍ରଷ୍ଟ ସମିତି କରୁଛି। ମୁଖ୍ୟ ମନ୍ଦିରଟି ୧୦୮୦ ଫୁଟ ଲମ୍ବା ଏବଂ ୫୪୦ଫୁଟ ଚଉଡା ରହିଛି।ମନ୍ଦିର ଶିଖରର ଉଚ୍ଚତା ୨୭୦ ଫୁଟ ରଖାଯାଇଛି। ୨୦୨୩ ଜୁନରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ବିରାଟ ରାମାୟଣ ମନ୍ଦିର
ପାଟନାରୁ ୧୨୦ କିଲୋମିଟର ଦୂରରେ ଥିବା ପୂର୍ବ ଚମ୍ପାରଣ ଜିଲ୍ଲାର ଜାନକୀନଗରର କୈଥୱାଲିଆ ଗ୍ରାମରେ ଏହି ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରରେ ଚାରୋଟି ବଡ଼ ଆଶ୍ରମ ରହିବ। ମହାବୀର ମନ୍ଦିର କମିଟିର ସଚିବ ଦାବି କରିଛନ୍ତି ଯେ ଏହା ବିଶ୍ୱର ସର୍ବବୃହତ ମନ୍ଦିର ହେବ। ଯାହାକି ଅଯୋଧ୍ୟା ରାମ ମନ୍ଦିର ଅପେକ୍ଷା ତିନି ଗୁଣ ବଡ଼ ହେବ।
ଅଧିକପଢ଼ନ୍ତୁ:ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ… ନୂଆ ନାଁ ହେଲା ‘ସେବାତୀର୍ଥ’
Follow Us