ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍‌ପିଜି ଅଭାବ ଚିନ୍ତା ଘାରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍‌ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍‌ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି। ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରି। ଏହାକୁ ଦୃଷ୍ଟିରେ ରଖି ଏଲ୍‌ପିଜି ଉତ୍ପାଦନ ପାଇଁ ପ୍ରୋପେନ୍‌ ଓ ବ୍ୟୁଟେନ୍‌ ‌ଗ୍ୟାସ୍‌ ବ୍ୟବହାର କରିବାକୁ ‌ତୈଳ ବିଶୋଧନ କମ୍ପାନିଗୁଡ଼ିକୁ କୁହାଯାଇଛି। ଅନ୍ୟ କୌଣସି ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ଏହି ଦୁଇ ଗ୍ୟାସ୍‌ ବ୍ୟବହାର କରିବାକୁ ବାରଣ କରାଯାଇଛି।  

ମନ୍ତ୍ରଣାଳୟ କହିଛି ଯେ ତୈଳ ବିଶୋଧନକାରୀ କମ୍ପାନିଗୁଡ଼ିକ ପ୍ରୋପେନ୍‌ ଓ ବ୍ୟୁଟେନ୍‌ ଗ୍ୟାସ୍‌ର ସର୍ବାଧିକ ଉତ୍ପାଦନ କରିବେ ଓ ସେହି ଗ୍ୟାସ୍‌କୁ କେବଳ ତିନି ସରକାରୀ ତୈଳ କମ୍ପାନି ଇଣ୍ଡିଆନ ଅଏଲ୍‌, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌କୁ ଯୋଗାଇବେ। ଆମଦାନି ହୋଇଥିବା ସବୁ ଏଲ୍‌ପିଜି ଯେଭଳି ରୋଷେଇ ଉଦ୍ଦେଶ୍ୟରେ ବ୍ୟବହାର ହେବ ତାହା ନିଶ୍ଚିତ କରିବାକୁ ତୈଳ କମ୍ପାନିଗୁଡ଼ିକୁ କୁହାଯାଇଛି। ଏହି ଆଦେଶର ଉଲ୍ଲଂଘନ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ଓ ପେଟ୍ରୋଲିୟମ୍‌ ଉତ୍ପାଦ (ଉତ୍ପାଦନ, ସଂରକ୍ଷଣ ଓ ଯୋଗାଣର ରକ୍ଷଣାବେକ୍ଷଣ) ଆଦେଶ, ୧୯୯୯ ଓ ଅନ୍ୟାନ୍ୟ ପ୍ରଯୁଜ୍ୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜରୁରିକାଳୀନ କ୍ଷମତା ଲାଗୁ କଲେ
କେବଳ ଏଲ୍‌ପିଜି ଉତ୍ପାଦନରେ ବ୍ୟବହାର ହେବ ପ୍ରୋପେନ୍‌, ବ୍ୟୁଟେନ୍‌
ଉତ୍ପାଦନ ବଢ଼ାଇବାକୁ କମ୍ପାନିଙ୍କୁ ନିର୍ଦ୍ଦେଶ

ମନ୍ତ୍ରଣାଳୟ ଏକ ଆଦେଶରେ କହିଛି ଯେ ସାରା ଦେଶରେ ପରିବାର ପାଇଁ ଏଲ୍‌ପିଜି ଏକ ଅତ୍ୟାବଶ୍ୟକ ଇନ୍ଧନ। ଲୋକଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଏହାର ଅବିରତ ଯୋଗାଣ ଆବଶ୍ୟକ। ଏଲ୍‌ପିଜି ଅଭାବ ପୂରଣ କରିବାକୁ କୌଣସି ଗଚ୍ଛିତ ଭଣ୍ଡାର ମଧ୍ୟ ଦେଶରେ ନାହିଁ। ଦେଶରେ ୯୦ ପ୍ରତିଶତ ଏଲ୍‌ପିଜିକୁ ରୋଷେଇ ପାଇଁ ବ୍ୟବହାର କରାଯାଉଛି। ଏଲ୍‌ପିଜିର ୩୩.୨ କୋଟି ଗ୍ରାହକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦.୫୧ କୋଟି ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ଏଲ୍‌ପିଜି ସଂଯୋଗ ନେଇଛନ୍ତି। ଭାରତ ଏହାର ଆବଶ୍ୟକତାର ପ୍ରାୟ ୯୦ ପ୍ରତିଶତ ଏଲ୍‌ପିଜି ଆମଦାନି କରୁଛି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଭାରତ ଏଲ୍‌ପିଜି ଆମଦାନି କରିଥାଏ। ଯୁଦ୍ଧ ପାଇଁ ଏଲ୍‌ପିଜି ଆମଦାନି ପ୍ରଭାବିତ ହୋଇଛି। ଗତବର୍ଷ ଭାରତ ବିଶ୍ବର ଦ୍ବିତୀୟ ବୃହତ୍‌ ଏଲ୍‌ପିଜି ଆମଦାନିକାରୀ ଥିଲା। ଦେଶରେ ୩୩.୧୫ ନିୟୁତ ଟନ୍‌ ଏଲ୍‌ପିଜି ବ୍ୟବହାର ହୋଇଥିଲା। ଦେଶରେ ବ୍ୟବହାର ହେଉଥିବା ମୋଟ ଏଲ୍‌ପିଜିର ପ୍ରାୟ ଦୁଇ ତୃତୀୟାଂଶ ଆମଦାନି ହୋଇଥାଏ। ସେଥିରୁ ୮୫ରୁ ୯୦ ପ୍ରତିଶତ ମଧ୍ୟପ୍ରାଚ୍ୟରୁ ଆସିଥାଏ।
ଅନ୍ୟପକ୍ଷରେ ଦେଶରେ ଶକ୍ତିର ଅଭାବ ନାହିଁ ବୋଲି ଆଜି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଗ୍ରାହକଙ୍କୁ ଏ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଭୂରାଜନୈତିକ ଆହ୍ବାନ ସତ୍ତ୍ବେ ଲୋକଙ୍କୁ ସୁଲଭ ମୂଲ୍ୟରେ ନିରନ୍ତର ଇନ୍ଧନ ଯୋଗାଣକୁ ଆମେ ଅଗ୍ରାଧିକାର ଦେଉଛୁ ବୋଲି ମନ୍ତ୍ରୀ କହିଛନ୍ତି।

Helicopter Painting: ଇସ୍ରାଏଲ ଇରାନ ହେଲିକପ୍ଟରର ଛବି ଉପରେ ବୋମା ପକାଇଥିଲା କି?

ସାର ସଂକଟ ଆଶଙ୍କା

ନୂଆଦିଲ୍ଲୀ: ଅଧିକ ଦିନ ଯୁଦ୍ଧ ଲାଗିଲେ ଭାରତରେ ଖରିଫ ଋତୁରେ ସାର ଯୋଗାଣ ଗୁରୁତର ହୋଇପାରେ। ସାଧାରଣତଃ ପଶ୍ଚିମ ଏସିଆରୁ ସାର ଭାରତକୁ ଆସିଥାଏ। କିନ୍ତୁ ସେଠାରେ ଏବେ ଯୁଦ୍ଧ କାରଣରୁ ଅଧିକାଂଶ ସାର କାରଖାନା ବନ୍ଦ ରହିଛି। ଏଣୁ ଭାରତରେ ସାର ଯୋଗାଣକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସାର ଓ ପେଟ୍ରୋକେମିକାଲ୍‌ ଶିଳ୍ପ ପାଇଁ ଅଧିକାଂଶ କଞ୍ଚାମାଲ ମଧ୍ୟପ୍ରାଚ୍ୟରୁ ଭାରତକୁ ଆସିଥାଏ। ପ୍ରାକୃତିକ ଗ୍ୟାସ୍‌ ଦର ଉପରେ ଭାରତୀୟ ସାର ଶିଳ୍ପର ଉତ୍ପାଦକତା ନିର୍ଭର କରିଥାଏ। କିନ୍ତୁ ଏବେ ପ୍ରାକୃତିକ ଗ୍ୟାସ୍‌ର ମୂଲ୍ୟ ବିଶ୍ବ ବଜାରରେ ବୃଦ୍ଧି ପାଇଛି। ଯୁଦ୍ଧ ଲମ୍ବା ସମୟ ଜାରି ରହିଲେ ଘରୋଇ ବଜାରରୁ ମଧ୍ୟ ସାର ଯୋଗାଣ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ଏବେ କତରରୁ  ପ୍ରାକୃତିକ ଗ୍ୟାସ୍‌ (ଏଲ୍‌ଏନ୍‌ଜି) ରପ୍ତାନି ହ୍ରାସ କରାଯାଇଥିବାରୁ ଦେଶ ଭିତରେ ଥିବା ସାର କାରଖାନାଗୁଡ଼ିକରେ ୟୁରିଆ ଉତ୍ପାଦନ ହ୍ରାସ ପାଉଛି। ଖରିଫ ଋତୁ ଆରମ୍ଭ ପୂର୍ବରୁ ଯୋଗାଣରେ ଏଭଳି ବ୍ୟାଘାତ ଭାରତୀୟ କୃଷି ଉତ୍ପାଦନକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।