twitter Photograph: (Photo: social media)
ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଗ୍ରୋକ୍ ଜରିଆରେ ଆଉ ଅଶ୍ଳୀଳ ତଥା ଆପତ୍ତିଜନକ ଛବି ସୃଷ୍ଟି କରାଯାଇପାରିବ ନାହିଁ। ଏଭଳି ଛବିକୁ ନେଇ ବିଶ୍ବବ୍ୟାପୀ ପ୍ରତିବାଦ ହେବା ପରେ ସୋସିଆଲ ମିଡିଆ ‘ଏକ୍ସ’ ପକ୍ଷରୁ ସେହି ସୁବିଧାକୁ ବନ୍ଦ କରିଦିଆଯାଇଛି। ବିଶ୍ବର କୌଣସି ସ୍ଥାନରେ ଆଉ ଗ୍ରୋକ୍କୁ ନିର୍ଦ୍ଦେଶ ଦେଇ ଅଶ୍ଳୀଳ ଛବି ସୃଷ୍ଟି କରାଯାଇପାରିବ ନାହିଁ। ‘ଏକ୍ସ’ ପକ୍ଷରୁ କୁହାଯାଇଛି ଯେ ଅସଲି ଲୋକମାନଙ୍କ ଛବିକୁ ଏଡିଟିଂ କରି ବିକିନି ପିନ୍ଧାଇବା ଛବି ସୃଷ୍ଟି କରାଯାଇପାରିବ ନାହିଁ। ପ୍ରଯୁକ୍ତିରେ ପରିବର୍ତ୍ତନ କରି ସେହି ସୁବିଧାକୁ ବନ୍ଦ କରିଦିଆଯାଇଛି। ପେଡ୍ ୟୁଜରଙ୍କ ସମେତ ସବୁ ପ୍ରକାର ବ୍ୟବହାରକାରୀମାନଙ୍କ ପାଇଁ ସେହି ନିୟମ ଲାଗୁ କରାଯାଇଛି।
ଗତ କିଛିଦିନ ଧରି ‘ଗ୍ରୋକ୍’ ଜରିଆରେ ବିଶେଷ କରି ମହିଳା ଓ ଶିଶୁମାନଙ୍କ ଛବିକୁ ଅଶ୍ଳୀଳ ଓ ବିକୃତ କରି ‘ଏକ୍ସ’ରେ ପୋଷ୍ଟ କରାଯାଉଥିଲା। ତାହାକୁ ନେଇ ବିଶ୍ବବ୍ୟାପୀ ସ୍ବର ଉଠିଥିଲା। ଭାରତରେ ମଧ୍ୟ ଏହାକୁ ତୀବ୍ର ବିରୋଧ କରାଯିବା ସହ ନାରୀଙ୍କ ସମ୍ମାନ ପ୍ରତି ତାହା ଏକ ବଡ଼ ଆଘାତ ବୋଲି ଅଭିଯୋଗ ହୋଇଥିଲା। କେବଳ ଭାରତ ନୁହେଁ ବିଶ୍ବର ପ୍ରାୟ ସବୁ ଦେଶରେ ଏହାକୁ ନେଇ ପ୍ରତିବାଦ ହୋଇଥିଲା। ଇଣ୍ଡୋନେସିଆ ଓ ମାଲେସିଆ ପକ୍ଷରୁ ଗ୍ରୋକ୍କୁ ନିଷିଦ୍ଧ କରାଯାଇଛି।
ଆହୁରି ପଢନ୍ତୁ: US withdraws some personnel: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପଦଧ୍ବନୀ: ଅଲ୍ ଉଦୈଦ୍ ବାୟୁସେନା ଘାଟିରୁ କର୍ମଚାରୀ ପ୍ରତ୍ୟାହାର ଆରମ୍ଭ
ବ୍ରିଟେନ୍ ସରକାର ମଧ୍ୟ ଏହି ଏଆଇ ଟୁଲ୍କୁ ନିଷିଦ୍ଧ କରିବା ଉପରେ ବିଚାର କରୁଛନ୍ତି। ଭାରତରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ‘ଏକ୍ସ’କୁ ଆକ୍ସନ ଟେକେନ୍ ରିପୋର୍ଟ ମଗାଯାଇଥିଲା। ଗ୍ରୋକ୍ ଜରିଆରେ ମହିଳାମାନଙ୍କ ଛବିକୁ ବିକୃତ ଓ ଅଶ୍ଳୀଳ କରାଯାଉଥିବା ଅଭିଯୋଗ ଆସିବା ପରେ ‘ଏକ୍ସ’ ପକ୍ଷରୁ କେବଳ ପେଡ୍ ୟୁଜରମାନଙ୍କ ଲାଗି ସେହି ସୁବିଧାକୁ ସୀମିତ ରଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନି ନିଜ ଆଭିମୁଖ୍ୟ ବଦଳାଇଥିଲା।
ଆହୁରି ପଢନ୍ତୁ: Indigo Action: ଦୁର୍ବ୍ୟବହାର ପାଇଁ ୨ ଯାତ୍ରୀଙ୍କୁ ଥାଇଲାଣ୍ଡ ଯାଉଥିବା ବିମାନରୁ ଓହ୍ଲାଇ ଦେଲା ଇଣ୍ଡିଗୋ
ଭାରତରେ ‘ଏକ୍ସ’ ପକ୍ଷରୁ ୩୫୦୦ରୁ ଅଧିକ ଅଶ୍ଳୀଳ ପୋଷ୍ଟକୁ ହଟାଯାଇଥିବା ବେଳେ ୬୦୦ରୁ ଅଧିକ ଆକାଉଣ୍ଟ୍ ଡିଲିଟ୍ କରାଯାଇଛି। ଏଆଇ ଅପବ୍ୟବହାର ରୋକିବା ଲାଗି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ‘ଏକ୍ସ’କୁ ସରକାର କହିଛନ୍ତି। ‘ଏକ୍ସ’ ହେଉଛି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ କମ୍ପାନି। ପୂର୍ବରୁ ଥିବା ଟ୍ବିଟର୍କୁ କିଣି ସେ ତାହାର ନାମକୁ ପରିବର୍ତ୍ତନ କରି ‘ଏକ୍ସ’ ରଖିଛନ୍ତି। ଗ୍ରୋକ୍ ହେଉଛି ତାଙ୍କ ଏଆଇ କମ୍ପାନି ‘ଏକ୍ସଏଆଇ’ର ଏକ ଟୁଲ୍ ଯାହାକୁ ‘ଏକ୍ସ’ ସହିତ ସମନ୍ବିତ କରାଯାଇଛି। ଗ୍ରୋକ୍ର ନିଜସ୍ବ ଆପ୍ ମଧ୍ୟ ରହିଛି।
Follow Us