ଲାହୋର: ଗୁରୁବାରଠାରୁ ଆରମ୍ଭ ହୋଇଛି ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳା। ଏହି ଶୃଙ୍ଖଳାରେ ୩ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଉଛି। ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଉପ-ମହାଦେଶ ପରିବେଶ ସହ ଖାପ ଖୁଆଇବା ଲାଗି ଏହା ଅଷ୍ଟ୍ରେଲିଆ ପାଇଁ ଏକ ଭଲ ସୁଯୋଗ ହେବ। କିନ୍ତୁ ଅଷ୍ଟ୍ରେଲିଆର କେତେକ ଖେଳାଳି ପାକିସ୍ତାନ ଗସ୍ତ କରିବାକୁ ଇଚ୍ଛା କରିନଥିଲେ ବୋଲି ଅଧିନାୟକ ମିଚେଲ୍ ମାର୍ସ କହିଛନ୍ତି।
ଗୁରୁବାରର ମ୍ୟାଚ ପୂର୍ବରୁ ସେ କହିଛନ୍ତି ଯେ ଦଳର ପାଞ୍ଚଜଣ ବରିଷ୍ଠ ସଦସ୍ୟ ପାଟ୍ କମିନ୍ସ, ଜୋସ୍ ହେଜେଲଉଡ୍, ନାଥନ୍ ଏଲିସ୍, ଟିମ୍ ଡେଭିଡ୍ ଓ ଗ୍ଲେନ୍ ମାକ୍ସଓ୍ବେଲ୍ ପାକିସ୍ତାନ ଗସ୍ତରେ ନ ଆସି ଅଷ୍ଟ୍ରେଲିଆରେ ହିଁ ରହି ଅଭ୍ୟାସ କରୁଛନ୍ତି। ସେମାନେ ପାକିସ୍ତାନ ଆସିବାକୁ ରାଜି ହୋଇନଥିଲେ। ଏହି ଖେଳାଳିମାନେ ବିଶ୍ବକପ ଖେଳିବାକୁ ସିଧାସଳଖ ଶ୍ରୀଲଙ୍କାରେ ପହଞ୍ଚିବେ ବୋଲି ମାର୍ସ କହିଛନ୍ତି।
ଆହୁରି ପଢନ୍ତୁ: Modi will visit Israel: ଇସ୍ରାଏଲ୍ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଛାନିଆ ପାକିସ୍ତାନ
ସେ ଆହୁରି ମଧ୍ୟ କହିଛନ୍ତି ଯେ ଦଳର କେତେକ ସଦସ୍ୟ ଦୁବାଇରେ ଅଭ୍ୟାସ କରୁଥିବାବେଳେ ଆଉ କେତେକ ବିଗ୍ ବାସ୍ ଲିଗରେ ଖେଳି ଅଭ୍ୟାସ କରୁଥିଲେ। ଏହା ସତ୍ତ୍ବେ ବିଶ୍ବକପ୍ ପାଇଁ ଦଳର ପ୍ରସ୍ତୁତି ପ୍ରଭାବିତ ହେବ ନାହିଁ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ତେବେ ଦଳର ପାକିସ୍ତାନ ଗସ୍ତ ବିଶ୍ବକପ୍ ପ୍ରସ୍ତୁତି ପାଇଁ ବେଶ ସହାୟକ ହେବ। ପାକିସ୍ତାନରେ ବାବର, ସାହିନଙ୍କ ପରି କେତେକ ଭଲ ଖେଳାଳି ଅଛନ୍ତି। ଏପରି ପରିବେଶରେ ସେମାନଙ୍କୁ ଖେଳିବା ଆହ୍ବାନମୂଳକ ହେବ ବୋଲି ସେ କହିଛନ୍ତି।
Follow Us