ନୂଆଦିଲ୍ଲୀ: ଆଇଏସ୍‌ଏଲ୍‌ ପରେ ‌ଦେଶର ଦ୍ବିତୀୟ ସମ୍ମାନସ୍ପଦ ତଥା ଲୋକପ୍ରିୟ ପେସାଦାର ଫୁଟ୍‌ବଲ୍‌ ଲିଗ୍ ‘ଆଇ-ଲିଗ୍‌’ର ନାଁ ବଦଳିବ। ଆଗାମୀ ଋତୁରୁ ଏହା ଇଣ୍ଡିଆନ୍‌ ଫୁଟ୍‌ବଲ୍‌ ଲିଗ୍‌ ବା ଆଇଏଫ୍‌ଏଲ୍‌ ଭା‌ବେ ପରିିଚିତ ହେବ। ୨୦୨୫-୨୬ ଋତୁରେ ଲିଗ୍ ଆୟୋଜନ ଲାଗି ମୋଟ ୩.୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଲିଗ୍‌ ଫେବ୍ରୁଆରି ୨୧ରୁ ଆରମ୍ଭ ହେବ। ଯଦି ୧୧ଟି ଦଳ ଭାଗ ନିଅନ୍ତି, ତାହେଲେ ୮୦ ମ୍ୟାଚ୍ ଖେଳାଯିବ।

Advertisment

୧୦ଟି ଦଳ ଖେଳିଲେ ୭୦ରୁ କମ୍‌ ମ୍ୟାଚ୍‌ ଆୟୋଜିତ ହେବ। ସେହିଭଳି ଆଇଏଫ୍‌ଏଲ୍‌ ଭାବେ ପରିଚିତ ହେବାକୁ ଥିବା ଏହି ଲିଗ୍‌ ଏଣିକି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ଏବଂ ଅଂଶଗ୍ରହଣକାରୀ ଦଳଗୁଡ଼ିକର ‌‌ଯୌଥ ମାଲିକାନାରେ ଖେଳାଯିବ। କ୍ଲବ୍‌ଗୁଡ଼ିକ ୬୦ ପ୍ରତିଶତ ଏବଂ ଏଆଇଏଫ୍‌ଏଫ୍‌ର ମାଲିକାନା ସ୍ବତ୍ବ ୪୦ ପ୍ରତିଶତ ରହିବ। ମୋଟ ଖର୍ଚ୍ଚର ୬୦ ପ୍ରତିଶତ କ୍ଲବ୍‌ ଏବଂ ୪୦ ପ୍ରତିଶତ ଏଆଇଏଫ୍‌ଏଫ୍‌ ସହିବ। ଲାଭାଂଶ ମଧ୍ୟ ତଦନୁଯାୟୀ ବଣ୍ଟନ କରାଯିବ।

ଆହୁରି ପଢନ୍ତୁ: Aryna Sabalenka in Final: ଅଷ୍ଟ୍ରେଲିଆନ୍ ଓପନ୍ ଟେନିସର ଫାଇନାଲରେ ଆରିନା ସାବାଲେଙ୍କା

କ୍ଲବ୍‌ ପ୍ରତିନିଧି ଏବଂ ଏଆଇଏଫ୍‌ଏଫ୍‌ ଅଧିକାରୀଙ୍କୁ ନେଇ ବୁଧବାର ଆୟୋଜିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ କିନ୍ତୁ ଏଆଇଏଫ୍‌ଏଫ୍‌ କାର୍ଯକାରିଣୀ କମିଟି ସ୍ବିକୃତି ଦେବା ବାକି ରହିଛି। ତେବେ ଖୁବ୍‌ଶୀଘ୍ର ଏହି ଔପଚାରିକତା ପୂରଣ କରାଯିବ ବୋଲି ଏଆଇଏଫ୍‌ଏଫ୍‌ ତରଫରୁ କୁହାଯାଇଛି। ଇଂଲିସ୍‌ ପ୍ରିମିୟର୍‌ ଲିଗ୍‌ ଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାର ପରିଚାଳନା ଏବଂ ଆୟୋଜନ ପଦ୍ଧତିକୁ ଅନୁସରଣ କରି ଉଭୟ ପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବାଣିଜ୍ୟିକ ରାଜିନାମା ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଦ୍ବନ୍ଦ୍ବ ଲାଗି ଆଇଏସ୍‌ଏଲ୍‌ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେବା ପରେ ଆଇ-ଲିଗ୍‌ରେ ଯେଭଳି ଏମିତି ପରିସ୍ଥିତି ସୃଷ୍ଟି ନହୁଏ, ତାକୁ ଦେଖି ଏଆଇଏଫ୍‌ଏଫ୍‌ ଆଗକୁ ଏହାର ଢଞ୍ଚାଗତ ଓ ପରିଚାଳନା ସାରଣୀରେ ପରିବର୍ତ୍ତନ ଆଣିଛି।

ଆହୁରି ପଢନ୍ତୁ: Illegal Temples Removal: ୭ଦିନ ଭିତରେ ହଟାଅ ବେଆଇନ ମନ୍ଦିର, ନିର୍ଦ୍ଦେଶ ଦେଲେ କୋର୍ଟ

 ଲିଗ୍‌ର ଦୈନନ୍ଦିନ ପରିଚାଳନା ଭାର ଏବେ ସଂପୂର୍ଣ୍ଣ ଭାବେ ପରିଚାଳନା କମିଟି ଉପରେ ନ୍ୟସ୍ତ କରାଯିବ। ପୁଣି ଏକ ପରିଚାଳନା ପରିଷଦ ଗଠନ କରାଯାଇ ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାର ଅଧିକାର ତାକୁ ପ୍ରଦାନ କରାଯିବ। ଏଆଇଏଫ୍‌ଏଫ୍‌ ସୂଚନା ମୁତାବକ ଆଇଏଫ୍‌ଏଲ୍‌ରେ ଅଂଶଗ୍ରହଣ କରିବାକୁ ଥିବା ୧୧ଟି ଦଳ ମଧ୍ୟରୁ ୮ଟି ସ୍ବୀକୃତିପତ୍ର ପ୍ରଦାନ କରିସାରିଛନ୍ତି। ୩ଟି ଦଳ ଖୁବ୍‌ଶୀଘ୍ର ସ୍ବୀକୃତିପତ୍ର ପ୍ରଦାନ କରିବାକୁ ଯାଉଛନ୍ତି। ଲିଗ୍‌ରେ ଖେଳିବାକୁ ଥିବା ପ୍ରମୁଖ ଦଳଗୁଡ଼ିକ ହେଲେ ଡାଏମଣ୍ଡ୍‌ ହାର୍ବର, ଚନମାରି ଏଫ୍‌ସି, ରିଅଲ କାଶ୍ମୀର, ଗୋକୁମଳ କେରଳା, ରାଜସ୍ଥାନ ୟୁନାଇଟେଡ୍‌, ଡେମ୍ପୋ ଏଫ୍‌ସି, ନାମଧାରି ଏଫ୍‌ସି, ସିଲଂ ଲାଜଙ୍ଗ, ଶ୍ରୀନିଦି ଡେକାନ ଓ ଆଇଜଲ ଏଫ୍‌ସି।